ମୁମ୍ବାଇ:ଗୋଟଏ ପଟେ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି)ରେ ଦଳୀୟ ବିଦ୍ରାହ ଓ ତିକ୍ତତା ଚରମ ସୀମାରେ ପହଞ୍ଚିଛି । ମାମଲା ନିର୍ବାଚନ କମିଶନ ପରେ ଏବେ ସର୍ବୋଚ୍ଚ କୋର୍ଟରେ ବିଚାରାଧୀନ ରହିଛି । ଏହାରି ମଧ୍ୟରେ ଭିନ୍ନ ଘଟଣାକ୍ରମ ମହାରାଷ୍ଟ୍ର ରାଜନୀତିରେ ଅପ୍ରତ୍ୟାଶିତ ଚର୍ଚ୍ଚା ଓ ପ୍ରଶ୍ନବାଚୀ ସୃଷ୍ଟି କରିଛି । ବରିଷ୍ଠ ରାଜନେତା ତଥା ଏନସିପି-ଶରଦଚନ୍ଦ୍ର ପାଓ୍ବାର ଗୋଷ୍ଠୀ ମୁଖ୍ୟ ଶରଦ ପାଓ୍ବାର ବାସଭବନରେ ମଧ୍ୟାହ୍ନ ଭୋଜନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଓ ଦୁଇ ଉପ-ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କରିଛି । ଏନେଇ ଶରଦ ଚିଠି ମଧ୍ୟ ଲେଖିଛନ୍ତି । ନିଜ ହୋମଟାଉନ ବାରମତିରେ ମାର୍ଚ୍ଚ 2 ତାରିଖରେ ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ଶରଦଙ୍କ ବାସଭବନରେ ଲଞ୍ଚ କରିବା ପାଇଁ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ, ଉପମୁଖ୍ୟନ୍ତ୍ରୀ ଦେବେନ୍ଦ୍ର ଫଡନାସିଭ ଓ ଅନ୍ୟତମ ମୁଖ୍ୟମନ୍ତ୍ରୀ ତଥା ବିଦ୍ରୋହ କରି ବିଜେପି ମେଣ୍ଟରେ ସାମିଲ ହୋଇଥିବା ଅଜିତ ପାଓ୍ବାରଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି ।
ତେବେ ନିର୍ବାଚନ ପୂର୍ବରୁ ଏନସିପିରେ ଜାରି ରହିଥିବା ବିବାଦ ଅଜିତଙ୍କ ସପକ୍ଷରେ ଯାଇଛି । ଦାଦା ତଥା 1999ରେ ପାର୍ଟି ପ୍ରତିଷ୍ଠା କରିଥିବା ଶରଦଙ୍କୁ ନିର୍ବାଚନ କମିଶନ ନିରାଶ କରିଛନ୍ତି । ତେବେ ଏପରି ବିବାଦ ମଧ୍ୟରେ ନିମନ୍ତ୍ରଣ ଶରଦଙ୍କ ଭୂମିକା ଓ ଉଦ୍ଦେଶ୍ୟକୁ ମଧ୍ୟ ସନ୍ଦେହଘରେକୁ ଟାଣିଛି । ଅନ୍ୟପଟେ ଅଜିତ ଗୋଷ୍ଠୀ ଏବେ ନିର୍ବାଚନ କମିଶନଠାରୁ ମୁଖ୍ୟ ଏନସିପି ପାର୍ଟିର ମାନ୍ୟତା ଓ ଦଳର ମୁଖ୍ୟ ନିର୍ବାଚନୀ ଚିହ୍ନ କାନ୍ଥଘଣ୍ଟା ମଧ୍ୟ ପାଇସାରିଛନ୍ତି । ଏବେ ବାରମତି ସଂସଦୀୟ ଆସନରୁ ସାଂସଦ ଥିବା ନିଜ ସମ୍ପର୍କୀୟ ଭଉଣୀ ତଥା ଶରଦଙ୍କ ଝିଅ ସୁପ୍ରିୟା ସୁଲେଙ୍କ ବିରୋଧରେ ମଧ୍ୟ ସେ ପ୍ରାର୍ଥୀ ଦେବାକୁ ପ୍ରକ୍ରିୟା ଆରମ୍ଭ କରିସାରିଥିବା ଚର୍ଚ୍ଚା ହେଉଛି ।