ଭୋପାଲ: ରାହୁଲ ଗାନ୍ଧୀଙ୍କ ‘ଭାରତ ଯୋଡୋ ନ୍ୟାୟ ଯାତ୍ରା’ ଆଜି (ମଙ୍ଗଳବାର) ମଧ୍ୟ ପ୍ରଦେଶର ଶାଜାପୁରରେ ପହଞ୍ଚିଛି । ଆଜି ରାଜ୍ୟରେ ଏହି ଯାତ୍ରାର ଚତୁର୍ଥ ଦିନ । ଶଜାପୁରରରେ ଏକ ସଭାକୁ ସମ୍ବୋଧିତ କରିବାବେଳେ ଏକାଧିକ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି ରାହୁଲ । କହିଛନ୍ତି, ‘‘ମୋଦି ଚାହାଁନ୍ତି, ଦେଶର ଯୁବପିଢି ସବୁବେଳେ ଜୟ ଶ୍ରୀରାମ ନାରା ଦିଅନ୍ତୁ, କିନ୍ତୁ ଭୋକରେ ମରନ୍ତୁ ।’’ ସମଗ୍ର ଦେଶରେ ବେକାରୀ ସମସ୍ୟା ରହିଛି, ମୋଦି ସରକାର ଅଗ୍ନିବୀର ଯୋଜନା ଆଣି ଯୁବକମାନଙ୍କୁ ବେକାରୀ ସମସ୍ୟାରେ ରଖିବାକୁ ବାଧ୍ୟ କରିଛନ୍ତି ବୋଲି ରାହୁଲ କହିଛନ୍ତି ।
ରାଲିରେ ଅଂଶଗ୍ରହଣ କରିଥିବା କଂଗ୍ରେସ କର୍ମୀଙ୍କୁ ସମ୍ବୋଧିତ କରିବାବେଳେ ରାହୁଲ ଗାନ୍ଧୀ ପଛୁଆ ଶ୍ରେଣୀକୁ ଉପେକ୍ଷା କରାଯାଉଥିବା ପ୍ରସଙ୍ଗ ମଧ୍ୟ ଉଠାଇଥିଲେ । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ବିଭିନ୍ନ ପ୍ରସଙ୍ଗରେ ବର୍ଷିଥିଲେ । କହିଥିଲେ, ‘‘ମୋଦିଜୀ ଚାହାଁନ୍ତି ଯେ ଆଜିର ଯୁବକମାନେ ଦିନସାରା ମୋବାଇଲରେ ବ୍ୟସ୍ତ ରୁହନ୍ତୁ, ଜୟ ଶ୍ରୀରାମ ନାରା ଲଗାନ୍ତୁ ଏବଂ ଭୋକରେ ମରନ୍ତୁ ।’’
ତେବେ ଏହି ସମୟରେ ଅନ୍ୟ ଏକ ରୋଚକ ଘଟଣାକ୍ରମ ମଧ୍ୟ ଦେଖିବାକୁ ମିଳିଥିଲା । ରାହୁଲ ଏକ ଖୋଲା ଜିପରେ ରୋଡ ଶୋ’ କରୁଥିବା ବେଳେ ବିଜେପି କର୍ମୀମାନେ ହାତରେ ଦଳୀୟ ପତାକା ଧରି ମୋଦି ମୋଦି ନାରା ଦେଇଥିଲେ । ସେମାନଙ୍କୁ ଦେଖି ରାହୁଲଙ୍କ ଗାଡି ଅଟକିଥିଲା । ରାହୁଲ ନିଜେ କାରରୁ ଓହ୍ଲାଇ ବିଜେପି କର୍ମୀଙ୍କୁ ସାକ୍ଷାତ କରିଥିଲେ । ଏହି ସମୟରେ ବିଜେପି କର୍ମୀମାନେ ତାଙ୍କୁ ଆଳୁ ଭେଟି ଦେଇଥିଲେ । ରାହୁଲ ମଧ୍ୟ ଆଳୁ ଗ୍ରହଣ କରିଥିଲେ । ରାହୁଲଙ୍କ ଆଳୁରୁ ସୁନା ବାହାରିବା ଟିପ୍ପଣୀକୁ କଟାକ୍ଷ କରି ବିଜେପି କର୍ମୀ ଏହି ଆଳୁ ଦେଇଥିବା ଚର୍ଚ୍ଚା ହେଉଛି ।