କୋଲକାତା: ବହୁଚର୍ଚ୍ଚିତ ଆରଜି.କର ମେଡିକାଲ କଲେଜରେ ଜଣେ କନିଷ୍ଠ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରାୟକୁ ଆଜୀବନ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ । ଶନିବାର ଅଭିଯୁକ୍ତ ସଞ୍ଜୟକୁ କୋର୍ଟ ଦୋଷୀ ସାବ୍ୟସ୍ତ କରିଥିବା ବେଳେ ଆଜି ଦଣ୍ଡବିଧାନ କରିଛନ୍ତି । ତାକୁ ଆଜୀବନ କାରା ଦଣ୍ଡାଦେଶ ସହ ୫୦,୦୦୦ ଟଙ୍କା ଜରିମାନା ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
- ପୀଡିତାଙ୍କ ପରିବାରକୁ 17 ଲକ୍ଷ କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ:
West Bengal's Sealdah court pronounces life imprisonment to convict Sanjay Roy in RG Kar rape-murder case. The court also imposes a fine of Rs 50,000 pic.twitter.com/pPa43LPuKY
— ANI (@ANI) January 20, 2025
ଆଇନଜୀବୀ ରେହମାନ କହିଛନ୍ତି, "ସଞ୍ଜୟ ରାୟଙ୍କୁ ମୃତ୍ୟୁ ପର୍ଯ୍ୟନ୍ତ ଆଜୀବନ କାରାଦଣ୍ଡ ଦିଆଯାଇଛି। ଦୋଷୀ ଉପରେ ଭାରତୀୟ ନ୍ୟାୟ ସଂହିତାର 3ଟି ଧାରା ଅନୁଯାୟୀ ଜରିମାନା ମଧ୍ୟ ଲାଗୁ କରାଯାଇଛି। କୋର୍ଟ ପୀଡିତାଙ୍କ ପରିବାରକୁ 17 ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ରାଜ୍ୟକୁ ନିର୍ଦ୍ଦେଶ ଦେଇଛନ୍ତି। ସିବିଆଇ ଏହି ମାମଲାରେ ଦୋଷୀକୁ ମୃତ୍ୟୁଦଣ୍ଡ ଦାବି କରିଥିଲା। ବିଚାରପତି କହିଛନ୍ତି ଯେ, ଏହା ବିରଳ ମାମଲା ନୁହେଁ, ତେଣୁ ମୃତ୍ୟୁଦଣ୍ଡ ଦିଆଯାଇନାହିଁ । '' ଅନ୍ୟପଟେ ଏନେଇ ପୀଡିତାଙ୍କ ବାପା ମାଆ ସିଆଲଦା କୋର୍ଟ ବିଚାରପତିଙ୍କ ନିକଟରେ କହିଛନ୍ତି ଯେ, ଆମେ କ୍ଷତିପୂପରଣ ନେବାକୁ ଚାହୁଁନାହୁଁ ବରଂ ନ୍ୟାୟ ଚାହୁଁଛୁ ।
#WATCH | Advocate Rehman says, " additional judge of sessions court, sealdah has sentenced life imprisonment till death to sanjay roy. the court directed the state government to give compensation of rs 17 lakhs to the victim's family. cbi had demanded capital punishment for the… pic.twitter.com/fBl7fxEPIt
— ANI (@ANI) January 20, 2025
ମାମଲାର ଶୁଣାଣି ସମୟରେ, କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ଅଭିଯୁକ୍ତ ସଞ୍ଜୟ ରାୟଙ୍କ ପାଇଁ "ଫାଶି ଦଣ୍ଡାଦେଶ " ଦେବାକୁ କହିଥିଲା। ଧାରା ଅନୁସାରେ ଦଣ୍ଡବିଧାନ ବିଷୟରେ ବ୍ୟାଖ୍ୟା କରି କୋର୍ଟ ଅଭିଯୁକ୍ତ ସଞ୍ଜୟ ରାୟଙ୍କୁ କହିଥିଲେ, " କେଉଁ ଅଭିଯୋଗରେ ତୁମକୁ ଦୋଷୀ ସାବ୍ୟସ୍ତ କରାଯାଇଛି ତାହା ତୁମକୁ ପୂର୍ବ ଦିନ କୁହାଯାଇଛି ।" ଅନ୍ୟପଟେ ଅଭିଯୁକ୍ତ ସଞ୍ଜୟ ରାୟ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗ ବିଷୟରେ ପଚରାଯିବାରୁ, ସେ ଦୋଷୀ ନୁହଁନ୍ତି ବରଂ ମିଥ୍ୟା ଅଭିଯୋଗରେ ଫସାଇ ଦିଆୟାଇଥିବା କହିଛି।
- ଶନିବାର ଦୋଷୀ ସାବ୍ୟସ୍ତ ହୋଇଥିଲା ସଞ୍ଜୟ:
ଶନିବାର ଦିନ ଏହି ମାମଲାରେ କୋଲକାତା ସିଆଲଦା କୋର୍ଟରେ ଶୁଣାଣି ହୋଇଥିଲା । ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରାୟକୁ ଦୋଷୀ ସାବ୍ୟସ୍ତ କରିଥିଲେ କୋର୍ଟ। ଛାତିଥରା ଘଟଣାର 6 ମାସ ପରେ ଭାରତୀୟ ନ୍ୟାୟ ସଂହିତାର ଧାରା 64, 66 ଏବଂ 103 (1) ଅନୁଯାୟୀ ରାୟ ଶୁଣାଇଥିଲେ ସିଆଲଦା କୋର୍ଟ । ଘଟଣାର ପରଦିନ ରବିବାର ପଡୁଥିବାରୁ 48 ଘଣ୍ଟା ପରେ ଅର୍ଥାତ ଆଜି ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ ।
- ପୂରା ମାମଲା ସମ୍ପର୍କରେ...
ଗତବର୍ଷ (୨୦୨୪) ଅଗଷ୍ଟ ୯ ତାରିଖରେ ଆରଜି.କର ମେଡିକାଲ କଲେଜ ଏବଂ ହସ୍ପିଟାଲର ଚତୁର୍ଥ ମହଲାରେ ଥିବା ସେମିନାର ରୁମରୁ ଜଣେ କନିଷ୍ଠ ଡାକ୍ତରଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର କରାଯାଇଥିଲା । ଟ୍ରେନିଂ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଏବଂ ହତ୍ୟା କରାଯାଇଥିବା ଅଭିଯୋଗ ହେବା ପରେ କୋଲକାତା ସମେତ ସାରା ଦେଶରେ ଉଦବେଗ ପ୍ରକାଶ ପାଇଥିଲା । ଅଭିଯୋଗ ହେବାର କିଛି ଘଣ୍ଟା ମଧ୍ୟରେ ଅଭିଯୁକ୍ତ ସଞ୍ଜୟ ରାୟକୁ ଗିରଫ କରାଯାଇଥିଲା । ସଞ୍ଚୟ କୋଲକାତା ପୋଲିସରେ ଜଣେ ସ୍ବେଚ୍ଛାସେବୀ ଭାବେ କାର୍ଯ୍ୟ କରୁଥିବା କାରଣରୁ ରାତିରେ ହସ୍ପିଟାଲରେ ଅବାଧରେ ପ୍ରବେଶ କରି ଏହି କାଣ୍ଡ ଭିଆଇବାରେ ସଫଳ ହୋଇଥିଲା ।
- ସୁପ୍ରିମକୋର୍ଟରେ ପହଞ୍ଚିଥିଲା ମାମଲା, ତଦନ୍ତ କରୁଥିଲା CBI
ସାରା ଦେଶରେ ରେସିଡେଣ୍ଟ ଡାକ୍ତରମାନେ କାର୍ଯ୍ୟ ବନ୍ଦ ଧାରଣାକୁ ଓହ୍ଲାଇଥିଲେ । ମାମଲା ପ୍ରଥମେ କୋଲକାତା ହାଇକୋର୍ଟ ଓ ପରେ ସର୍ବୋଚ୍ଚ କୋର୍ଟରେ ପହଞ୍ଚିଥିଲା । ମାମଲାର ତଦନ୍ତ କୋଲକାତା ପୋଲିସ ହାତରୁ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ପକ୍ଷରୁ ତଦନ୍ତ କରାଯାଇଥିଲା । ପରେ ମୁଖ୍ୟ ଅଭିଯୁକ୍ତ ବ୍ୟତୀତ ମେଡିକାଲ କଲେଜର ତତ୍କାଳୀନ ଅଧ୍ୟକ୍ଷ ଓ ଅନ୍ୟ କେତେକଙ୍କୁ ମଧ୍ୟ ଗିରଫ କରିଥିଲା କେନ୍ଦ୍ରୀୟ ସଂସ୍ଥା । ଏକାଧିକ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ମମତା ସରକାର ବଦଳି ମଧ୍ୟ କରିଥିଲେ । ଡାକ୍ତରମାନଙ୍କ କାର୍ଯ୍ୟବନ୍ଦ କାରଣରୁ ଦେଶର ବିଭିନ୍ନ ସ୍ଥାନରେ ସ୍ବାସ୍ଥ୍ୟସେବାରେ ଅଚଳାବସ୍ଥା ସୃଷ୍ଟି ହୋଇଥିଲା । ସର୍ବୋଚ୍ଚ କୋର୍ଟରେ ଏଥିରେ ଗମ୍ଭୀରତା ଦେଖାଇ କର୍ମସ୍ଥଳରେ ଡାକ୍ତର ଓ ପାରାମେଡିକାଲ ଷ୍ଚାଫଙ୍କ ସୁରକ୍ଷା ପାଇଁ ଏକ ‘ଜାତୀୟ ଟାକ୍ସଫୋର୍ସ’ ମଧ୍ୟ ଗଠନ କରିଥିଲେ ।
ବ୍ଯୁରୋ ରିପୋର୍ଟ, ଇଟିଭି ଭାରତ