ମୁମ୍ବାଇ:ଗତକାଲି(ମଙ୍ଗଳବାର) ବିଳମ୍ବିତ ରାତିରେମହାରାଷ୍ଟ୍ରରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଗୋଟିଏ ସରକାରୀ ବସ୍ ଭାରସାମ୍ୟ ହରାଇ ଟ୍ରାକ୍ଟର ଓ କାର୍ ସହ ଧକ୍କା ହେବାରୁ ଏଥିରେ ୬ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ କିଛି ଶ୍ରମିକ ରହିଛନ୍ତି । ମଙ୍ଗଳବାର ବିଳମ୍ବିତ ରାତି ପ୍ରାୟ ସାଢେ ୨ଟା ବେଳେ ଏହି ଅଘଟଣ ଘଟିଛି । ଏଥିରେ ଅନେକ ଲୋକ ଆହତ ହୋଇଥିବା ବେଳେ ସମସ୍ତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅହମ୍ମଦନଗର-କଲ୍ୟାଣ ରାଜପଥରେ ଏହି ଦୁର୍ଘଟଣା ଘଟିଛି ।
ସୂଚନା ମୁତାବକ, ମଙ୍ଗଳବାର ରାତି ପାଖାପାଖି ସାଢେ ୨ଟା ବେଳେ ଏହି ବସ୍ ଥାନେରୁ ନଗର ଅଭିମୁଖେ ଆସୁଥିଲା । ଏହି ସମୟରେ ହାଇୱେରେ ଗୋଟିଏ ଆଖୁ ବୋଝେଇ ଟ୍ରାକ୍ଟର ଓଲଟି ପଡିଥିଲା । ଫଳରେ ଆଖୁଗୁଡିକ ରାସ୍ତାରେ ବିଛାଡ଼ି ହୋଇ ପଡିଥିଲା । ସେଠି ଆଉ ଗୋଟିଏ ଟ୍ରାକ୍ଟର ଆସି ନିଜ ଶ୍ରମିକମାନଙ୍କ ସହାୟତାରେ ଦୁର୍ଘଟଣାଗ୍ରସ୍ତ ଟ୍ରାକ୍ଟରକୁ ଉଠାଇବାକୁ ଚେଷ୍ଟା କରୁଥିଲା । ସେହି ବାଟ ଦେଇ ଗୋଟିଏ କାର୍ ଯାଉଥିବା ବେଳେ ଏହା ଦେଖି କାର ଚାଳକ ଅଟକି ଯାଇଥିଲେ ଏବଂ ନିଜ ଗାଡିର ପାର୍କିଂ ଲାଇଟ ଅନ୍ କରି ଟ୍ରାକ୍ଟର ଉଠାଇବାରେ ଲୋକମାନଙ୍କୁ ସାହାଯ୍ୟ କରିଥିଲେ । ଏତିକି ବେଳେ ଟ୍ରାକ୍ଟରଟି ରାସ୍ତା ଆଡକୁ ବୁଲି ଯାଇଥିଲା ଏବଂ ଠିକ୍ ଏହି ସମୟରେ ବିପରୀତ ଦିଗରୁ ଆସୁଥିବା ସରକାରୀ ବସ୍ ଭାରସାମ୍ୟ ହରାଇ ପ୍ରଥମେ ଟ୍ରାକ୍ଟର ଏବଂ ପରେ ସେଠାରେ ଥିବା କାର୍କୁ ଜୋରରେ ଧକ୍କା ଦେଇଥିଲା ।