ଲକ୍ଷ୍ନୌ: ଦୀର୍ଘ 32 ବର୍ଷ ପରେ ହେଲା ପରିବାରରେ ହେଲା ମହାମିଳନ । ବର୍ଷ ବର୍ଷ ଧରି ପୁଅକୁ ଅପେକ୍ଷା କରିଥିବା ମାଆ, ଶେଷରେ ନିଜ ପୁଅକୁ ଦେଖି କୋହ ସମ୍ଭାଳି ପାରିଲାନି । ଘରକୁ ବାପାଙ୍କ ଫେରିବା ଖବର ଶୁଣି ପରିବାରରେ ଖୁସିର ଲହର । ସେପଟେ ଦୀର୍ଘ ବର୍ଷ ପରେ ସ୍ବାମୀଙ୍କୁ ଦେଖ ଲୁହ ଛଳଛଳ ଆଖିରେ ପ୍ରଣିପାତ କଲେ ସ୍ତ୍ରୀ । ହସଲୁହର ଏକ ସୁନ୍ଦର ଘଟଣାର ଦେଖିବାକୁ ମିଳିଛି ଉତ୍ତର ପ୍ରଦେଶ ଜମାଲପୁର ଜିଲ୍ଲାରେ ।
ଅମରନାଥ ଗୁପ୍ତା ନାମକ ଜଣେ ବ୍ୟକ୍ତି ଦୀର୍ଘ 32ବର୍ଷ ପରେ ନିଜ ଘରକୁ ଫେରିଛନ୍ତି । ସେ ୧୯୯୨ ମସିହାରେ ରାମ ମନ୍ଦିର ଆନ୍ଦୋଳନରେ ସାମିଲ ହୋଇ 'କର ସେବା' କରିବା ପାଇଁ ଘରୁ ବାହାରି ଆସିଥିଲେ । ଏହା ପରେ ସେ ଆଉ ଘରକୁ ଫେରି ନଥିଲେ । ଅଯୋଧ୍ୟାରେ 'କର ସେବା' ପରେ ତାଙ୍କୁ ଜେଲ ଯିବାକୁ ପଡ଼ିଥିଲା । ଜେଲରୁ ମୁକ୍ତ ହେବା ପରେ, ସେ ଅଯୋଧ୍ୟା ଏବଂ ବୃନ୍ଦାବନ ଯାଇ ସନ୍ୟାସ ଦୀକ୍ଷା ଗ୍ରହଣ କରିଥିଲେ ।
- ମାଆ-ପୁଅଙ୍କ ମହାମିଳନ:
ଗୋଟିଏ ଦିନ ଅମରନାଥ ମହାକୁମ୍ଭରେ ସ୍ନାନ କରିବାକୁ ଆସିଥିଲେ ।ଏହି ସମୟରେ ତାଙ୍କ ମାଆ ତାଙ୍କ ସ୍ବପ୍ନରେ ଆସିଲେ ।ଏହାପରେ ସେ ନିଜ ମାଆଙ୍କୁ ଦେଖିବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ । ହଠାତ୍ ଗୋଟିଏ ଦିନ ସେ ଘରକୁ ପ୍ରତ୍ୟାର୍ତ୍ତନ କରିଥିଲେ ଏବଂ ଘରର କବାଟକୁ ଠକଠକ୍ କରିଥିଲେ । ଏହି ସମୟରେ ଘର ଭିତରେ ଗଭୀର ନିଦରେ ଶୋଇଥିବା ବୁଢ଼ୀ ମାଆ ହଠାତ୍ ତାଙ୍କ ବୋହୂଙ୍କୁ କହିଲେ ,"ଯାଅ ମୋ ପୁଅ ଆସିଛି, କବାଟ ଖୋଲ । "ଏହା ଉପରେ ବୋହୂ ଅର୍ଥାତ ଅମରନାଥଙ୍କ ସ୍ତ୍ରୀ କହିଲେ,' ଶୋଇଯାଅ ସେ ଏଠାରେ ନାହାନ୍ତି'। କିନ୍ତୁ ମାଆର ମନ ବୁଝିଲା ନାହିଁ । ସେ ଯେତେବେଳେ ନିଜେ ଦ୍ବାର ଖୋଲିବା ପାଇଁ ଗଲେ । କବାଟ ଖୋଲୁ ଖୋଲୁ ତାଙ୍କ ପୁଅ ଜଣେ ସନ୍ଥଙ୍କ ପୋଷାକ ପିନ୍ଧି ଆସିଥିବା ଦେଖିଥିଲେ । ମାଆ ତୁରନ୍ତ ତାଙ୍କ ପୁଅକୁ କୁଣ୍ଢେଇ ପକାଇଲେ । ବହୁ ବର୍ଷ ପରେ ମାଆ-ପୁଅଙ୍କ ଭେଟଘାଟ ହୋଇଥିବାରୁ କୋହ ସମ୍ଭାଳିପାରିଲେ ନାହିଁ ଉଭୟେ ।
- 'ବନ୍ଦୀ ଜୀବନ କାଟୁଥିଲେ ଅମରନାଥ':
ଅମରନାଥ ୧୯୯୨ ମସିହାରେ ରାମ ମନ୍ଦିର ଆନ୍ଦୋଳନ କର ସେବାରେ ସାମିଲ ହୋଇ ଟ୍ରେନ ଘରୁକୁ ଫେରୁଥିଲେ । ଏହି ସମୟରେ ଜୌନପୁରଠାରେ ଟ୍ରେନ୍ ଉପରକୁ ହଠାତ୍ ପଥର ମାଡ଼ ହୋଇଥିଲା । ସେଠାରୁ ଓହ୍ଲାଇବା ପରେ ସେ କୌଣସି ପ୍ରକାରେ ବାରଣାସୀରୁ ଜମାଲପୁରସ୍ଥିତ ତାଙ୍କ ଘରେ ପହଞ୍ଚିଲେ । ଯେଉଁଠାରେ ପୋଲିସ ତାଙ୍କୁ ଗିରଫ କରି ମିର୍ଜାପୁର ଜେଲକୁ ନେଇଥିଲା । ପରେ ଜମାଲପୁର ମୁଖ୍ୟ ଶିବ ମୁରତ ସିଂହ ତାଙ୍କର ଜାମିନ ବ୍ୟବସ୍ଥା କରିଥିଲେ ଏବଂ ସେ ଜେଲରୁ ବାହାରକୁ ଆସିଥିଲେ ।
- ଗୁରୁ ଦୀକ୍ଷା ନେଇଥିଲେ ଅମରନାଥ:
ଜେଲରୁ ମୁକ୍ତ ହେବା ପରେ ଅମରନାଥ ଅଯୋଧ୍ୟା ଯାଇଥିଲେ । ସେଠାରେ ବାବା କିଶୋର ଦାସଙ୍କଠାରୁ ଗୁରୁ ଦୀକ୍ଷା ନେବା ପରେ ଜୟପୁର ଆଶ୍ରମରେ ରହିଥିଲେ । ଦୀର୍ଘ ବର୍ଷ ପରେ ସେ ତାଙ୍କ ୯୫ ବର୍ଷୀୟା ମାଆ ପ୍ୟାରୀ ଦେବୀ, ପତ୍ନୀ ଚନ୍ଦ୍ରାବତୀ, ପୁଅ ଅତୁଲ, ଝିଅ ଅର୍ଚ୍ଚନା, ଅଞ୍ଜନା ଏବଂ ମୋନିଙ୍କୁ ଭେଟି ବହୁତ ଖୁସି ଥିବା କହିଛନ୍ତି । ଅମରନାଥ ଆହୁରି କହିଛନ୍ତି," ଦୁଇ ଦିନ ପରେ ଜୟପୁରରେ ଥିବା ଆଶ୍ରମକୁ ଫେରିଯିବି । ବହୁ ବର୍ଷ ପରେ ପରିବାର ସଦସ୍ୟଙ୍କୁ ଭେଟି ମୋତେ ବହୁତ ଖୁସି ଅନୁଭବ ହେଲା । ମୁଁ ଗୁରୁ ଦୀକ୍ଷା ଗ୍ରହଣ କରିଥିବାରୁ, ଜଣେ ସନ୍ୟାସୀର ଜୀବନ ବଞ୍ଚିବାକୁ ଚାହୁଁଛି ।"
ଏହା ମଧ୍ୟ ପଢନ୍ତୁ...କୁମ୍ଭମେଳାରେ ଦେଶର ବଡ ଅନ୍ନଛତ୍ର, ଯେଉଁଠି ଖାଆନ୍ତି ଲକ୍ଷାଧିକ ଶ୍ରଦ୍ଧାଳୁ - KUMBHA MELA 2025 |
- ପିଲାଦିନରୁ ଆରଏସଏସ ସହିତ ଜଡିତ:
ଅମରନାଥ ତାଙ୍କ ସ୍କୁଲ ଜୀବନରୁ ହିଁ ବିଶ୍ବ ହିନ୍ଦୁ ପରିଷଦ ଏବଂ ଆରଏସଏସ ସହିତ ଜଡିତ ଥିଲେ । ସେ ଅଞ୍ଚଳରେ ଶାଖା ମଧ୍ୟ ପ୍ରତିଷ୍ଠା କରିଥିଲେ । ଅମରନାଥ ଘର ଛାଡିବା ସମୟରେ 40 ବର୍ଷ ବୟସର ହୋଇଥିବା ବେଳେ ବର୍ତ୍ତମାନ ପ୍ରାୟ 72 ବର୍ଷ ହୋଇଛି । ଅମରନାଥଙ୍କ ପରିବାରରେ ତାଙ୍କ ସ୍ତ୍ରୀ, ପୁଅ ଏବଂ ତିନି ଝିଅ ଅଛନ୍ତି ।