ଅଯୋଧ୍ୟା:ଦିନକ ପରେ ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ । ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ଉତ୍ସବମୁଖର ଅଯୋଧ୍ୟା ସମେତ ସମଗ୍ର ଦେଶ । ସୋମବାର ହେବାକୁ ଥିବା ଏହି ଭବ୍ୟ ପ୍ରାଣ ପ୍ରତିଷ୍ଠା ଉତ୍ସବ ଲାଗି ମଙ୍ଗଳବାର ଠାରୁ ଧାର୍ମିକ ରୀତିନୀତି ଆରମ୍ଭ ହୋଇଛି । ଆଜି ଏହି ରୀତିନୀତିରେ ପଞ୍ଚମ ଦିନ । ଏହି ଅବସରରେ ଆଜି ପ୍ରଭୁଙ୍କ ଶର୍କରାଧିବାସ, ଫଳାଧିବାସ ଓ ପୁଷ୍ପାଧିବାସ ନୀତି ଅନୁଷ୍ଠିତ ହେବ । ସକାଳୁ ରାମଲାଲାଙ୍କ ଶର୍କରାଧିବାସ ନୀତି ପରେ ଫଳାଧିବାସ ନୀତିରେ ପ୍ରଭୁଙ୍କୁ ଫଳରେ ସଜ୍ଜା ଯିବ । ଏହାପରେ ସନ୍ଧ୍ୟାରେ ପୁଷ୍ପାଧିବାସ ନୀତି ଅନୁସାରେ ସୁଗନ୍ଧିତ ପୁଷ୍ପରେ ରାମଲାଲଙ୍କୁ ରଖାଯିବ । ବଡ କଥା ହେଉଛି, ରାମଲାଲାଙ୍କ ପ୍ରତିଷ୍ଠା ପାଇଁ ପଡୋଶୀ ପାକିସ୍ତାନରୁ ପବିତ୍ର ଜଳ ଆସିବ । ପାକ୍ରେ ଥିବା ହିଙ୍ଗଲାଜ ଶକ୍ତିପୀଠରୁ ଜଳ ଅଣାଯାଇ ଆଜି ଅଯୋଧ୍ୟାରେ ପହଞ୍ଚିବ ।
ଏହା ମଧ୍ୟ ପଢନ୍ତୁ: ସାମ୍ନାକୁ ଆସିଲା ରାମଲାଲାଙ୍କ ଶ୍ରୀମୁଖ ଫଟୋ, ରାମନାମରେ ପ୍ରକମ୍ପିତ ଚତୁର୍ଦ୍ଦିଗ
ସୂଚନା ଥାଉକି, ରାମଲାଲାଙ୍କ ଧାର୍ମିକ ରୀତିନୀତି ନେଇ ଉତ୍ସାହିତ ଅଛନ୍ତି ରାମଭକ୍ତ । ସବୁଠୁ ରାମମୟ ପରିବେଶ ସୃଷ୍ଟି ହୋଇଛି । ଗତକାଲି(ଶୁକ୍ରବାର) ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ସମ୍ପୂର୍ଣ୍ଣ ଫଟୋ ସାମ୍ନାକୁ ଆସିଥିଲା, ଯାହା ଭକ୍ତଜନଙ୍କୁ ବିଭୋର କରିଥିଲା । ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସଭିଁଙ୍କ ମଧ୍ୟରେ ପ୍ରଭୁଙ୍କ ଭବ୍ୟ ଉତ୍ସବ ପାଇଁ ଉତ୍ସାହ ବଢିବାରେ ଲାଗିଛି । ତେବେ ଆଜି ଧାର୍ମିକ ରୀତିନୀତିର ୫ ଦିନରେ ପାକିସ୍ତାନ ସ୍ଥିତ ଶକ୍ତିପୀଠରୁ ପବିତ୍ର ଜଳ ଆସିବା ସହ ହାଇଦ୍ରାବାଦରୁ ୧,୨୬୫ କେଜିର ଲଡୁ ପ୍ରଭୁଙ୍କ ପାଇଁ ଅଯୋଧ୍ୟାରେ ପହଞ୍ଚିବ । ଉକ୍ତ ବିଶାଳ ଲଡୁ ଏବେ କାରସେବକପୁରମରେ ପହଞ୍ଚି ସାରିଛି । ଏନ ନାଗଭୂଷଣମ ରେଡ୍ଡି ନାମକ ବ୍ୟକ୍ତି ଏହି ଲଡୁ ପ୍ରସ୍ତୁତ କରିଛନ୍ତି । ସେହିପରି କାଶ୍ମୀରର ମୁସଲମାନ ପ୍ରଭୁଙ୍କ ପାଇଁ କେଶର ପଠାଇଛନ୍ତି । ଏହାସହ ୪୦୦ କିଲୋଗ୍ରାମ ଓଜନର ତାଲା ମଧ୍ୟ ପହଞ୍ଚିଛି । ଏହାକୁ ତିଆରି କରିବାକୁ ଲାଗିଥିଲା ୬ ମାସ ସମୟ ।