କୋଲକାତା: ଉତ୍ତର ପ୍ରଦେଶର ରାୟବରେଲିରୁ ନିର୍ବାଚନ ଲଢିବେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଗତ ଥର ଆମେଠିରୁ ନିର୍ବାଚନ ଲଢି ବିଜେପି ପ୍ରାର୍ଥିନୀ ସ୍ମୃତି ଇରାନୀଙ୍କଠାରୁ ରାହୁଲ ପରାଜିତ ହୋଇଥିଲେ । ଆମେଠି ଓ ରାୟବରେଲିକୁ ନେଇ ଦୀର୍ଘ ସମୟ ଧରି ସସପେନ୍ସ ପରେ ଗୁରୁବାର ବିଳମ୍ବିତ ରାତିରେ ଏହି 2 ଆସନରେ ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିଲା କଂଗ୍ରେସ । ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି (ଶୁକ୍ରବାର) ପଶ୍ଚିମବଙ୍ଗ ବୁରଦ୍ବାନ ଗସ୍ତରେ ଥିବା ବେଳେ ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଛନ୍ତି । ଚଳିତ ନିର୍ବାଚନରେ ୱାୟନାଡ଼ରୁ ରାହୁଲଙ୍କ ପରାଜୟ ହେବାକୁ ଥିବା ବେଳେ ଏହି ଗନ୍ଧ ବାରି ସେ ରାୟବରେଲିରୁ ନିର୍ବାଚନ ଲଢୁଥିବା ସେ କହିଛନ୍ତି ।
ଶୁକ୍ରବାର ବୁରଦ୍ବାନରେ ଏକ ଜନସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, "ଏବେ କଂଗ୍ରେସର ଶେହଜାଦା (ରାହୁଲ ଗାନ୍ଧୀ) ଯିଏକି ଗତ ନିର୍ବାଚନରେ ଆମେଠିରୁ ନିର୍ବାଚନ ହାରିବା ପରେ କେରଳ ୱାୟନାଡକୁ ଆସିଥିଲେ, ଏଥର ସେ ରାୟବରେଲିରୁ ନିର୍ବାଚନ ଲଢୁଛନ୍ତି । କାରଣ ସେ ଜାଣିସାରିଛନ୍ତି ଚଳିତ ନିର୍ବାଚନରେ ୱାୟନାଡରୁ ସେ ହାରିବାକୁ ଯାଉଛନ୍ତି ।" ଏହାସହିତ ମୋଦି ପୁଣି ଧର୍ମ ଆଧାରିତ ସଂରକ୍ଷଣ ବ୍ୟବସ୍ଥାକୁ ନେଇ କଂଗ୍ରେସକୁ ଟାର୍ଗେଟ କରିଛନ୍ତି । ଧର୍ମ ଆଧାରରେ ସଂରକ୍ଷଣ ବ୍ୟବସ୍ଥାକୁ କେବେ ବି ସେ ଲାଗୁ କରିବାକୁ ଦେବେ ନାହିଁ ବୋଲି କହିଛନ୍ତି ।
ଏହା ବି ପଢନ୍ତୁ- ‘ଧର୍ମ ଆଧାରରେ ମୁସଲମାନଙ୍କୁ କୌଣସି ସଂରକ୍ଷଣ ମିଳିବନି’