କଟକ: ବାରବାଟୀରେ ଭାରତ ଓ ଇଂଲଣ୍ଡ ଦିନିକିଆ ମ୍ୟାଚ ଆରମ୍ଭ ହେବା ପାଇଁ ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା । ମ୍ୟାଚ ଖେଳିବାକୁ ବାରବାଟୀ ଷ୍ଟାଡିମୟରେ ପହଞ୍ଚିଛନ୍ତି ଦୁଇ ଦେଶର ଖେଳାଳି । ପ୍ରଥମ ଇଂଲଣ୍ଡ ଓ ପରେ ଭାରତୀୟ ଟିମ୍ ବସ୍ ଯୋଗେ ପହଞ୍ଚିଥିଲେ । ଖେଳାଳିଙ୍କୁ ଦେଖିବାକୁ ଷ୍ଟାଡିୟମ ବାହାରେ ଓ ଭିତରେ ଦର୍ଶକଙ୍କ ଭିଡ ଜମିଛି । ଦିନ 11ଟା 30ରେ ଭୁବନେଶ୍ବରର ଘରୋଇ ହୋଟେଲରୁ ବସ୍ ଯୋଗେ କଡା ସୁରକ୍ଷା ମଧ୍ୟରେ ସିଧା ବାରବାଟୀକୁ ବାହାରିଥିଲେ ଖେଳାଳି ।
ଦର୍ଶକଙ୍କ ପାଇଁ ଖୋଲିଲା ଷ୍ଟାଡିୟମ ଗେଟ:
ଦିନ 1ଟା 30 ମିନିଟ୍ରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ମ୍ୟାଚ ଖେଳାଯିବ । ଏହା ପୂର୍ବରୁ ଦିନ 1 ଟାରେ ଟସ୍ ପଡିବ । ତେଣୁ ଦର୍ଶକ ମାନେ ଏବେ ଧିରେ ଧିରେ ଷ୍ଡାଡିୟମ ମଧ୍ୟକୁ ପ୍ରବେଶ କରୁଛନ୍ତି । ଦିନ 11 ଟା ସମୟରେ ଷ୍ଟାଡିୟମର ସମସ୍ତ 14 ଗେଟକୁ ଖୋଲିଦିଆଯାଇଛି । ଗେଟ ଦେଇ ଷ୍ଟାଡିୟମ ମଧ୍ୟକୁ ପ୍ରବେଶ କରୁଛନ୍ତି ଫ୍ୟାନ୍ସ । ସୁରକ୍ଷା ଦୃଷ୍ଟିରୁ ପୋଲିସ ବ୍ଯାପକ ପଦକ୍ଷେପ ଗ୍ରହଣ କରିଛି । ସବୁ ଦର୍ଶକଙ୍କୁ ଯାଞ୍ଚ ପରେ ଷ୍ଟାଡିୟମକୁ ଛଡା ଯାଉଛି। ସାଙ୍ଗରେ ପାଣି ବୋତଲ, କଏନ ନେବାକୁ ବାରଣ କରାଯାଇଛି ।
ମ୍ୟାଚ ଦେଖିବାକୁ ଦର୍ଶକଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ । ଦିନ 1ଟା 30 ମନିଟରେ ଆରମ୍ଭ ହେବ ମ୍ୟାଚ । ସେହି ସମୟକୁ ସମସ୍ତେ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି । ଷ୍ଟାଡିୟମ ମଧ୍ୟକୁ ଧିରେ ଧିରେ ଏବେ ଦର୍ଶକ ପ୍ରବେଶ କରୁଛନ୍ତି । ଇଣ୍ଡିଆ ଇଣ୍ଡିଆ ନାରାରେ କମ୍ପୁଛି ସିଲଭରସିଟି । ଟିମ୍ ଇଣ୍ଡିଆର ଜର୍ସି ପିନ୍ଧିବା ସହ ମୁଣ୍ଡରେ ଜାତୀୟ ପତାକା ଚିତ୍ର ଆଙ୍କି ଭାରତକୁ ଚିୟରଅଫ କରିବାକୁ ସମସ୍ତେ ପ୍ରସ୍ତୁତ । ଜଣେ ଫ୍ୟାନ୍ସ କହିଛନ୍ତି, ''ବହୁତ ପରିଶ୍ରମ ପରେ ଆଜି ଷ୍ଟାଡିୟରେ ଖେଳ ଦେଖିବାକୁ ଆସିଛୁ । ରୋହିତ ଓ କୋହଲିଙ୍କୁ ଦେଖିବାକୁ ଆମେ ଉତ୍ସାହିତ ଅଛୁ । ଖେଳ ଆମ ପାଇଁ ଗୋଟେ ଇମୋସନ । ''
ଇଟିଭି ଭାରତ, କଟକ