ହାଇଦ୍ରାବାଦ:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ତେଲାଙ୍ଗାନା ଗସ୍ତର ଆଜି ଦ୍ବିତୀୟ ଦିନ । ହାଇଦ୍ରାବାଦ ଠାରୁ 60 କିଲୋମିଟ ଦୂରେ ଥିବା ସାଙ୍ଗାରେଡ୍ଡୀରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ 7,200 କୋଟିରୁ ଅଧିକ ମୂଲ୍ୟର ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ । ଏହି ପ୍ରକଳ୍ପଗୁଡ଼ିକ ସଡକ, ରେଳ, ତୈଳ ଏବଂ ଗ୍ୟାସ ଭଳି ଏକାଧିକ ପ୍ରମୁଖ କ୍ଷେତ୍ର ସହିତ ଜଡିତ ।
CARO ଉଦଘାଟନ କଲେ ମୋଦି:ହାଇଦ୍ରାବାଦରେ ବେସାମରିକ ବିମାନ ଚଳାଚଳ ଗବେଷଣା ସଂଗଠନ(CARO) କାର୍ଯ୍ୟାଳୟର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ । ଯାହା ବେସାମରିକ ବିମାନ ଚଳାଚଳ କ୍ଷେତ୍ରରେ ଗବେଷଣା ଏବଂ ବିକାଶ କାର୍ଯ୍ୟକଳାପକୁ ନବୀକରଣ ଏବଂ ବଢାଇବାରେ ସହାୟକ ହେବ । ହାଇଦ୍ରାବାଦର ବେଗମପେଟ୍ ବିମାନବନ୍ଦରରେ ହାଇଦ୍ରାବାଦର ବିମାନ ବନ୍ଦର ପ୍ରାଧିକରଣ ଦ୍ୱାରା ଏହା ସ୍ଥାପିତ ହୋଇଛି । 350 କୋଟିରୁ ଅଧିକ ଅଟକଳ ବ୍ୟୟରେ ଏହା ନିର୍ମାଣ କରାଯାଇଛି । ସେହିପରି ମୋଦି ତିନୋଟି ଜାତୀୟ ରାଜପଥ ପ୍ରକଳ୍ପର ଉଦଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ।
ଏହା ମଧ୍ୟ ପଢନ୍ତୁ-ବିକଶିତ ଭାରତର ସ୍ବପ୍ନ ପୂରଣ କରିବାକୁ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସଫଳ କରାନ୍ତୁ: ମନମୋହନ
'CARO ଦ୍ବାରା ହାଇଦ୍ରାବାଦ ଏବଂ ତେଲେଙ୍ଗାନା ଏକ ନୂତନ ପରିଚୟ ପାଇବ':ବିମାନ ଚଳାଚଳ ଗବେଷଣା ସଂଗଠନ ଉଦଘାଟନ ଅବସରରେ ମୋଦି କହିଛନ୍ତି, "ଆଜି ବିମାନ ଚଳାଚଳ କ୍ଷେତ୍ରରେ ତେଲେଙ୍ଗାନାକୁ ଏକ ବଡ଼ ଉପହାର ମିଳିଛି । ହାଇଦ୍ରାବାଦର ବେଗମପେଟ ବିମାନବନ୍ଦରରେ ବେସାମରିକ ବିମାନ ଚଳାଚଳ ସଂଗଠନ (CARO) ପ୍ରତିଷ୍ଠା କରାଯାଇଛି। ଏହା ଦେଶର ପ୍ରଥମ ବିମାନ ଚଳାଚଳ କେନ୍ଦ୍ର ହେବ ଯାହା ଆଧୁନିକ ମାନକ ଉପରେ ନିର୍ମିତ । CARO ଦ୍ବାରା ହାଇଦ୍ରାବାଦ ଏବଂ ତେଲେଙ୍ଗାନା ଏକ ନୂତନ ପରିଚୟ ପାଇବ, ଏହା ବିମାନ ଚଳାଚଳ କ୍ଷେତ୍ରରେ ତେଲେଙ୍ଗାନାର ଯୁବକମାନଙ୍କ ପାଇଁ ନୂତନ ରାସ୍ତା ଖୋଲିବ । ଦେଶର ବିମାନ ଚଳାଚଳ ଷ୍ଟାର୍ଟଅପକୁ ଅନୁସନ୍ଧାନ ଏବଂ ଦକ୍ଷତା ବିକାଶ ପାଇଁ ଏକ ପ୍ଲାଟଫର୍ମ ଯୋଗାଇବ ଏବଂ ଏକ ଦୃଢ ଆଧାର ପ୍ରଦାନ କରିବ । ବିକଶିତ ଭାରତ ନିର୍ମାଣ ପାଇଁ ଆଜି 140 କୋଟି ଲୋକ ପ୍ରତିଶ୍ରୁତିବଦ୍ଧ ଏବଂ ଏକ ବିକଶିତ ଭାରତ ପାଇଁ ଆଧୁନିକ ଭିତ୍ତିଭୂମି ରହିବା ଗୁରୁତ୍ବପୂର୍ଣ୍ଣ । ଚଳିତ ବର୍ଷର ବଜେଟରେ ଭିତ୍ତିଭୂମି ପାଇଁ ଆମେ 11 ଲକ୍ଷ କୋଟି ଟଙ୍କା ଦେଇଛୁ । ଏଥିରେ ତେଲେଙ୍ଗାନାକୁ ସବୁଠାରୁ ଅଧିକ ଲାଭ ମିଳୁ ବୋଲି ଆମର ଆଶା । ତେଲେଙ୍ଗାନାର ବିକାଶ ପାଇଁ ଗତ 10 ବର୍ଷ ହେଲା କେନ୍ଦ୍ର ନିରନ୍ତର କାର୍ଯ୍ୟ କରୁଛି ।"