କଟକ: ରାଜ୍ୟରେ ସିରିଜ ହାତୀ ମୃତ୍ୟୁ ଚିନ୍ତାର କାରଣ ହୋଇଥିବା ବେଳେ ଏଥିରେ ଉଦବେଗ ପ୍ରକାଶ କରିଛନ୍ତି ହାଇକୋର୍ଟ । ନିଜଆଡୁ ଏକ ଜନସ୍ବାର୍ଥ ମାମଲା ଦାଏର କରି ହାଇକୋର୍ଟ ଏହି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ସ୍ପଷ୍ଟୀକରଣ ଚାହିଁଛନ୍ତି । 2020 ମସିହା ପରଠାରୁ ରାଜ୍ୟରେ ମୋଟ କେତେ ହାତୀ ପ୍ରାଣ ହରାଇଛନ୍ତି ଓ ଏହାକୁ ପ୍ରତିହତ କରିବା ପାଇଁ ରାଜ୍ୟ ସରକାର କ’ଣ ସବୁ ପଦକ୍ଷେପ ଗ୍ରହଣ କରିଛନ୍ତି, ତାହା ଜଣାଇବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଆସନ୍ତା ମଙ୍ଗଳବାର ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରାଯାଇଛି । ଶୁଣାଣି ପୂର୍ବରୁ ରାଜ୍ୟ ସରକାର ଷ୍ଟାଟସ ରିପୋର୍ଟ ଦାଖଲ କରିବେ ।
- ସମ୍ବଲପୁର ୩ ହାତୀ ମୃତ୍ୟୁ ପରେ ହାଇକୋର୍ଟଙ୍କ ଉଦବେଗ
ରାଜ୍ୟର ବିଭିନ୍ନ ସଂରକ୍ଷିତ ଜଙ୍ଗଲରେ କ୍ରମାଗତ ହାତୀ ମୃତ୍ୟୁ ଘଟଣା ସାମ୍ନାକୁ ଆସିବାରେ ଲାଗିଛି । ଦୁଇଦିନ ତଳେ ସମ୍ବଲପୁର ନାକଟିଦେଉଳ ରେଞ୍ଜରେ ବିଦ୍ୟୁତ ଆଘାତରେ ୩ ହାତୀ ପ୍ରାଣ ହରାଇଥିଲେ । ଯାହାକୁ ନେଇ ପରିବେଶବିତ ଓ ପ୍ରକୃତିପ୍ରେମୀଙ୍କ ମଧ୍ୟରେ ବନ ବିଭାଗର ଦାୟିତ୍ବହୀନ କାର୍ଯ୍ୟଶୈଳୀକୁ ନେଇ ଅସନ୍ତୋଷ ଦେଖିବାକୁ ମିଳିଥିଲା । ଯାହାକୁ ନେଇ କୋର୍ଟ ନିଜଆଡୁ ହସ୍ତକ୍ଷେପ କରିବା ସହ ଏକ ଜନସ୍ବାର୍ଥ ମାମଲା ଦାଏର କରିଥିଲେ ।
- ପୂର୍ବରୁ ଜଏଣ୍ଟ ଟାକ୍ସଫୋର୍ସ ଗଠନ କରିଥିଲେ ହାଇକୋର୍ଟ:-
ପୂର୍ବରୁ ମଧ୍ୟ ହାତୀ ମୃତ୍ୟୁକୁ ନେଇ ହାଇକୋର୍ଟ ଉଦବେଗ ପ୍ରକାଶ କରିଛନ୍ତି । ଏହାକୁ ରୋକିବା ପାଇଁ କୋର୍ଟ ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶ ମଧ୍ୟ ଦେଇଥିଲେ । ହାତୀଙ୍କ ସୁରକ୍ଷା ପ୍ରସଙ୍ଗରେ ଗଠିତ ଜଏଣ୍ଟ ଟାକ୍ସଫୋର୍ସ ସହ ଆବେଦନାକାରୀଙ୍କ ଓକିଲମାନଙ୍କୁ ନେଇ ଏକ ମିଳିତ ବୈଠକ କରିବାକୁ କୋର୍ଟ ଉକ୍ତ ନିର୍ଦ୍ଦେଶନାମାରେ କହିଥିଲେ । ହାଇକୋର୍ଟ ପୁରୁଣା ବିଲଡିଂ କନଫରେନ୍ସ ହଲରେ ଏହି ବୈଠକ ଅନୁଷ୍ଠିତ ହେବ ବୋଲି କୋର୍ଟଙ୍କ ନିର୍ଦ୍ଦେଶ ରହିଥିଲା । ଜଏଣ୍ଟ ଟାକ୍ସଫୋର୍ସର ସମସ୍ତ ସଦସ୍ୟଙ୍କ ସହ ମାମଲାଗୁଡିକରେ ନିୟୋଜିତ ଓକିଲମାନେ ଉପସ୍ଥିତ ରହିବେ । ହାତୀ ମୃତ୍ୟୁ ରୋକିବା ଦିଗରେ ଜଏଣ୍ଟ ଟାକ୍ସଫୋର୍ସ କ’ଣ ପଦକ୍ଷେପ ନେଇଛି ଏବଂ ଆଉ କ’ଣ ନୂଆ କାର୍ଯ୍ୟପନ୍ଥା ଗ୍ରହଣ କରାଗଲେ ହାତୀମୃତ୍ୟୁ ରୋକା ଯାଇପାରିବ ସେ ବିଷୟରେ ବୈଠକରେ ବିସ୍ତୃତ ଭାବେ ଆଲୋଚନା କରିବାକୁ କୋର୍ଟ ନିର୍ଦ୍ଦେଶରେ ସ୍ପଷ୍ଟ କରିଥିଲେ ।
ବଦଳୁଛି ହାତୀ କରିଡ଼ର, ହାତୀଙ୍କ ଚଲାପଥରେ ବାଧକ ସାଜୁଛି ଅନେକ ସମସ୍ୟା - World Elephant Day ଏହା ମଧ୍ୟ ପଢନ୍ତୁ:- ବିଦ୍ୟୁତ ନେଲା ୩ ହାତୀଙ୍କ ଜୀବନ, ଶକ୍ତ କାର୍ଯ୍ୟାନୁଷ୍ଠାନ ହେବ କହିଲେ ଉପମୁଖ୍ୟମନ୍ତ୍ରୀ |
- ବିଜୁଳି ବିଭାଗ ସହ ଆଲୋଚନା କରିବାକୁ ପରାମର୍ଶ ଦେଇଥିଲେ କୋର୍ଟ
କେବଳ ସେତିକି ନୁହେଁ, ବିଦ୍ୟୁତ ଆଘାତଜନିତ ହାତୀ ମୃତ୍ୟୁକୁ କିପରି ରୋକା ଯାଇପାରିବ, ସେନେଇ ‘TPCODL’ ଓ ‘JTF’ ଅଧ୍ୟକ୍ଷଙ୍କୁ ନେଇ ବୈଠକ କରିବା ପାଇଁ କୋର୍ଟଙ୍କ ଉକ୍ତ ନିର୍ଦ୍ଦେଶନାମାରେ ଉଲ୍ଲେଖ ଥିଲା । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଗତ ବର୍ଷ ଦୁଇ ମାସ ମଧ୍ୟରେ ହାତୀ-ମଣିଷ ସଂଘର୍ଷରେ ୧୮ଟି ହାତୀ ଓ ୨୦ ସାଧାରଣ ଲୋକଙ୍କ ମୃତ୍ୟୁ ହୋଇଥିବା ନେଇ ଯୁଗ୍ମ ଟାକ୍ସଫୋର୍ସ କୋର୍ଟଙ୍କୁ ଅବଗତ କରିଥିଲା । ତେବେ ବିଦ୍ୟୁତଜନିତ ହାତୀ ମୃତ୍ୟୁ ରୋକିବା ପାଇଁ ‘ୟୁନିଫର୍ମ ପ୍ଲାନ୍ ଅଫ ଆକ୍ସନ’ ପ୍ରସ୍ତୁତ କରିବା ପାଇଁ ହାଇକୋର୍ଟ ପୂର୍ବରୁ ନିର୍ଦ୍ଦେଶ ଦେଇଥିଲେ ।
ସେହିପରି ହାତୀ ଆକ୍ରମଣରେ ପ୍ରାଣ ହରାଇଥିବା ମୃତକଙ୍କ ପରିବାରକୁ ମିଳୁଥିବା କ୍ଷତିପୂରଣ ରାଶି ୪ଲକ୍ଷ ଟଙ୍କାରୁ ୬ ଲକ୍ଷକୁ ଟଙ୍କାକୁ ବୃଦ୍ଧି କରାଯାଇଥିବା ସତ୍ୟପାଠ ଦାଖଲ କରି ଜବାବ ଦେଇଥିଲା ଟାକ୍ସଫୋର୍ସ । ତେବେ ମୃତ୍ୟୁର ୪୦ ଦିନ ମଧ୍ୟରେ ଏହି କ୍ଷତିପୂରଣ ରାଶି ପ୍ରଦାନ କରିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ମୋଟ ୧୪ଟି ହାତୀ କରିଡ଼ର ଚିହ୍ନଟ ହୋଇଥିବା ବେଳେ ୪ଟି ନୋଟିଫାଇ କରାଯାଇଛି ବୋଲି ମଧ୍ୟ କୋର୍ଟଙ୍କୁ ଅବଗତ କରାଯାଇଥିଲା ।
ଏହା ମଧ୍ୟ ପଢନ୍ତୁ :- ଓଡ଼ିଶାରେ ହାତୀଙ୍କୁ ମିଳୁନି ଜାଗା, ବଢୁଛି ହାତୀ-ମଣିଷ ଲଢ଼େଇ ଓ ମୃତ୍ୟୁ ସଂଖ୍ୟା: PCCF ବଢୁଛି ଅସ୍ୱାଭାବିକ ହାତୀ ମୃତ୍ୟୁ, ଯାଞ୍ଚ କରିବାକୁ ଜଙ୍ଗଲ ମନ୍ତ୍ରୀଙ୍କ କଡ଼ା ନିର୍ଦ୍ଦେଶ |
ସେହିପରି ହାତୀ ଚଲାପଥ ‘ଏଲିଫ୍ୟାଣ୍ଟ କରିଡର’ ନିର୍ମାଣ ସମ୍ପର୍କିତ ବିଜ୍ଞପ୍ତି ମାମଲାରେ ଜାତୀୟ ହରିତ୍ ନ୍ୟାୟାଧିକରଣ (NGT)ଙ୍କ ଆଦେଶ ଉପରେ ପୂର୍ବରୁ ରହିତାଦେଶ ଜାରି କରିଥିଲେ ଓଡିଶା ହାଇକୋର୍ଟ । ୨୦୨୩ ମସିହା ଏପ୍ରିଲ ୬ ତାରିଖରେ ‘ଏନଜିଟି’ ରାଜ୍ୟ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ (PCCF)ଙ୍କୁ ନୋଟିସ୍ ଜାରି କରି ମାସକ ମଧ୍ୟରେ ହାତୀ କରିଡର ପାଇଁ ବିଜ୍ଞପ୍ତି ଜାରି କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହି ଆଦେଶକୁ ଚାଲେଞ୍ଜ କରି ରାଜ୍ୟ ସରକାର, ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ତେବେ ହାଇକୋର୍ଟ, ପୂର୍ବରୁ ଏହି ମାମଲାର ଶୁଣାଣି କରି NGTଙ୍କ ଆଦେଶ ଉପରେ ରହିତାଦେଶ ଜାରି କରିଥିଲେ ।
ପୂର୍ବରୁ ଏହି ମାମଲାର ଶୁଣାଣି କରିବା ବେଳେ କୋର୍ଟ, ରାଜ୍ୟର ବିଭିନ୍ନ ବନଖଣ୍ଡରେ ଗତବର୍ଷ (୨୦୨୩) ଜାନୁଆରୀ ୧୮ରୁ କେତେ ହାତୀଙ୍କର ମୃତ୍ୟୁ ହୋଇଛି ଓ କେତେ ମଣିଷ ଜୀବନ ଯାଇଛି, ସେ ସମ୍ପର୍କରେ ତଥ୍ୟ ମାଗିଥିଲେ । କୋର୍ଟ ଜାଣିବା ପାଇଁ ମାମଲାର ଷ୍ଟାଟସ ରିପୋର୍ଟ ମାଗିଥିବା ବେଳେ ଏହି ସମୟ ମଧ୍ୟରେ ୧୪ଟି ହାତୀ ମରିଥିବା ଜଣାଇଥିଲେ ‘ଜଏଣ୍ଟ ଟାକ୍ସଫୋର୍ସ ଟିମ’ । ମୃତକ ୧୪ଟି ହାତୀଙ୍କ ମଧ୍ୟରୁ ଶିକାରୀଙ୍କ ଦ୍ୱାରା ଦୁଇଟି ହାତୀ ଶିକାର ହୋଇଥିବା ବେଳେ ବିଦ୍ୟୁତ ଆଘାତରେ ୪ଟି ଓ ରୋଗଗ୍ରସ୍ତ ହୋଇ ୩ଟି ହାତୀଙ୍କର ମୃତ୍ୟୁ ହୋଇଥିବା ହାଇକୋର୍ଟଙ୍କୁ ଅବଗତ କରାଯାଇଥିଲା । ଏହାସହ ହାତୀ ଆକ୍ରମଣରେ ୧୪ରୁ ୧୮ଜଣ ଲୋକଙ୍କର ମୃତ୍ୟୁ ଘଟିଥିବା କୋର୍ଟଙ୍କୁ ଅବଗତ କରାଯାଇଥିଲା । ‘ଜଏଣ୍ଟ ଟାକ୍ସଫୋର୍ସ’ର ଆବାହକ ମନୋଜ ନାୟର ଏହି ତଥ୍ୟ ହାଇକୋର୍ଟଙ୍କୁ ପ୍ରଦାନ କରିଥିଲେ ।
ଇଟିଭି ଭାରତ, କଟକ