ନୂଆଦିଲ୍ଲୀ:ଦିଲ୍ଲୀ ମେଟ୍ରୋ ଷ୍ଟେସନରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ହତ୍ୟା ଧମକ ଘଟଣା । ଜଣଙ୍କୁ ବାନ୍ଧିଲା ଦିଲ୍ଲୀ ପୋଲିସ । ଆଜି ଗିରଫ କରିଥିବା ନେଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । କହିରଖୁଛୁ କି, ରାଜୀବ ଛକ ଏବଂ ପଟେଲ ନଗର ମେଟ୍ରୋ ଷ୍ଟେସନରେ କେଜ୍ରିଓ୍ବାଲଙ୍କୁ ହତ୍ୟା କରାଯିବା ନେଇ ଧମକ ଦେଇ ଲେଖା ହୋଇଥିଲା । ତେବେ ଗିରଫ ହୋଇଥିବା ଅଭିଯୁକ୍ତର ନାମ ଅଙ୍କିତ ଗୋଏଲ(33) ହୋଇଥିବା ବେଳେ ସେ ବରେଲିର ବାସିନ୍ଦା ହୋଇଥିବା ନେଇ ଦିଲ୍ଲୀ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।
ପୋଲିସର ସୂଚନା ଅନୁସାରେ, ଅଭିଯୁକ୍ତ ଅଙ୍କିତ ଜଣେ ଉଚ୍ଚ ଶିକ୍ଷିତ ହୋଇଥିବା ବେଳେ ସେ ଏକ ପ୍ରତିଷ୍ଠିତ ବ୍ୟାଙ୍କରେ କାର୍ଯ୍ୟ କରୁଛନ୍ତି । କିନ୍ତୁ ସେ କୌଣସି ରାଜନୈତିକ ଦଳ ସହିତ ଜଡିତ ନଥିବା ସୁତ୍ରରୁ ଜଣାପଡିଛି । ତେବେ ଅଙ୍କିତର ମାନସିକ ସ୍ଥିତି ଭଲ ନଥିଲା ବୋଲି ଚର୍ଚ୍ଚା ହେଉଛି । କିନ୍ତୁ ଡାକ୍ତରୀ ପରୀକ୍ଷା ପରେ ଏହା ସ୍ପଷ୍ଟ ହୋଇପାରିବ ବୋଲି ପୋଲିସ ସୁତ୍ରରୁ ଜଣାପଡିଛି । ଦିଲ୍ଲୀ ପୋଲିସର ମେଟ୍ରୋ ୟୁନିଟ୍ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ତେବେ ଅଙ୍କିତଙ୍କ ସିସିଟିଭି ଫୁଟେଜ ମଧ୍ୟ ସାମ୍ନାକୁ ଆସିଛି । ସେ ଷ୍ଟେସନରେ କିଛି ଲେଖୁଥିବା ଦେଖାଯାଇଛି । ତେବେ ଅଙ୍କିତ ଗିରଫ ହେବା ପୂର୍ବରୁ ଏହା ବିଜେପିର ଷଡଯନ୍ତ୍ର ବୋଲି ଅଭିଯୋଗ କରିଥିଲା ଆପ୍ । ନିର୍ବାଚନ ପୂର୍ବରୁ ଏହା ଏକ ଷଡଯନ୍ତ୍ର ବୋଲି କୁହାଯାଇଥିବା ବେଳେ ନିର୍ବାଚନ କମିଶନରଙ୍କ ନିକଟରେ ଇମେଲ ଜରିଆରେ ଆପ୍ ଅଭିଯୋଗ କରିଥିବା ନେଇ ମନ୍ତ୍ରୀ ସୌରଭ ଭରଦ୍ୱାଜ କହିଥିଲେ ।