ହାଇଦ୍ରାବାଦ: ଅଷ୍ଟାଦଶ ଲୋକସଭାର ଆଜି ଦ୍ବିତୀୟ କାର୍ଯ୍ୟ ଦିବସ । ଶପଥ ନେଇଛନ୍ତି ନବ ନିର୍ବାଚିତ ସାଂସଦ । ଉଦଘାଟନୀ ଦିବସରେ 280 ନବନିର୍ବାଚିତ ସାଂସଦ ଶପଥ ଗ୍ରହଣ କରିଥିବା ବେଳେ ଆଜି ଅବଶିଷ୍ଟ 264 ସାଂସଦ ଶପଥ ପାଠ କରୁଛନ୍ତି । ଓଡିଶାର 21 ସାଂସଦଙ୍କ ମଧ୍ୟରୁ ଅଧିବେଶର ପ୍ରଥମ ଦିନରେ ଦୁଇ ଓଡିଆ ସାଂସଦ ଧର୍ମେନ୍ଦ୍ର ପ୍ରଧାନ ଓ ଜୁଏଲ ଓରାମ ଶପଥ ଗ୍ରହଣ କରିଥିବା ବେଳେ ଆଜି ଅବଶିଷ୍ଟ 19 ସାଂସଦ ଶପଥ ନେଇଛନ୍ତି । ବାଲେଶ୍ବର ସାଂସଦ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ସଂସ୍କୃତ ଭାଷାରେ ଶପଥ ନେଇଥିଲେ । ସେହିପରି ସାନ୍ତାଳୀ ଭାଷାରେ ଶପଥ ନେଇଛନ୍ତି ମୟୂରଭଞ୍ଜ ସାଂସଦ ନବଚରଣ ମାଝୀ । ବଲାଙ୍ଗୀର ସାଂସଦ ସଙ୍ଗୀତା କୁମାରୀ ସିଂହଦେଓ, ବରଗଡ ସାଂସଦ ପ୍ରଦୀପ ପୁରୋହିତ, କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡା, ସମ୍ବିତ ପାତ୍ର ଓଡ଼ିଆ ଭାଷାରେ ଶପଥ ନେଇଥିଲେ ।
ସଂସ୍କୃତରେ ଶପଥ ନେଲେ ପ୍ରତାପ ଷଡଙ୍ଗୀ:ନବ ନିର୍ବାଚିତ ସାସଂଦମାନେ ନିଜ ନିଜ ରାଜ୍ୟରେ ପ୍ରଚଳିତ ଭାଷାରେ ଲୋକସଭାରେ ଶପଥ ଗ୍ରହଣ କରିଥିଲେ । ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ କାମଚଳା ବାଚସ୍ପତି ଭର୍ତ୍ତୃହରି ମହତାବ । ଓଡ଼ିଶାର ସାଂସଦମାନେ ଓଡ଼ିଆ ଭାଷାରେ ଶପଥ ଗ୍ରହଣ କରୁଥିବା ବେଳେ ପ୍ରତାପ ଷଡଙ୍ଗୀ ଆଜି ଲୋକସଭାରେ ସଂସ୍କୃତରେ ଶପଥ ନେଇଥିଲେ । ଯାହା ସବୁଠାରୁ ଭିନ୍ନ ଥିଲା । ରାଜ୍ୟରେ ବିଜେପିର ବିଜୟ ପରେ ରାଜ୍ୟବାସୀଙ୍କୁ ସଂସ୍କୃତରେ ଧନ୍ୟବାଦ ଜଣାଇଥିଲେ ସାଂସଦ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ।