ନୂଆଦିଲ୍ଲୀ:ମେଡିକାଲ ପ୍ରବେଶିକା ପରୀକ୍ଷା ନିଟ୍ ୟୁଜି 2024 ପେପରଲିକ୍ ଘଟଣାରେ ସୁପ୍ରିମକୋର୍ଟଙ୍କ ବଡ଼ ରାୟ । ସେଣ୍ଟର ଅନୁଯାୟୀ ଅନଲାଇନରେ ସମସ୍ତ ପରୀକ୍ଷାର୍ଥୀଙ୍କ ରେଜଲ୍ଟ ପ୍ରକାଶ କରିବାକୁ NTAକୁ ନିର୍ଦ୍ଦେଶ । ଆଜି (ଗୁରୁବାର) ଶୁଣାଣି ସମୟରେ ଏନଟିଏକୁ ସୁପ୍ରିମକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି । NEET-UG ପରୀକ୍ଷାରେ ଛାତ୍ରଛାତ୍ରୀଙ୍କୁ ମିଳିଥିବା ମାର୍କକୁ NTA ୱେବସାଇଟରେ ଜୁଲାଇ 20 ମଧ୍ୟାହ୍ନ 12ଟା ସୁଦ୍ଧା ପ୍ରକାଶ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହାସହିତ ପରୀକ୍ଷାର୍ଥୀଙ୍କ ପରିଚୟ ଗୁପ୍ତ ରଖାଯାଉ ଏବଂ ରେଜଲ୍ଟକୁ ସହର ଓ କେନ୍ଦ୍ର ଅନୁଯାୟୀ ପୃଥକ ଭାବରେ ୱେବସାଇଟରେ ପ୍ରକାଶ କରିବାକୁ ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ଜୁଲାଇ 22ରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ ।
ନିଟ ୟୁଜି ପେପରଲିକ ଘଟଣାରେ ଆଜି ପୁଣି ସୁପ୍ରିମକୋର୍ଟରେ ଶୁଣାଣି ଆରମ୍ଭ ହୋଇଥିଲା । ଜୁନ 4 ତାରିଖରେ ସର୍ବଭାରତୀୟ ସ୍ତରରେ ନିଟ ପରୀକ୍ଷା ଫଳ ପ୍ରକାଶ ପାଇଥିବା ବେଳେ ଆଜି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ସହର ଓ ପରୀକ୍ଷା କେନ୍ଦ୍ର ଅନୁଯାୟୀ ପୁଣି ଥରେ ରେଜଲ୍ଟ ପ୍ରକାଶ ପାଇବାକୁ ଯାଉଛି । ଏହି ରେଜଲ୍ଟ ପ୍ରକାଶ ପାଇବା ପରେ ଯଦି ବିପୁଳ ସଂଖ୍ୟାରେ ଅନିୟମିତତା ଜଣାପଡ଼େ, ତେବେ ପୁଣି ଥରେ ପରୀକ୍ଷା ହୋଇପାରେ ବୋଲି ସୁପ୍ରିମକୋର୍ଟ ସର୍ତ୍ତ ରଖିଛନ୍ତି । ଏହି ମାମଲାରେ ଏଯାବତ 60ଜଣଙ୍କୁ ଗିରଫ କରିଛି ସିବିଆଇ । ଶୁଣାଣି ବେଳେ ସୁପ୍ରିମକୋର୍ଟ କହିଥିଲେ ଯେ ଏହି ମାମଲାର ଚୂଡ଼ାନ୍ତ ରାୟକୁ ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ ଅପେକ୍ଷା କରିଛନ୍ତି । ଏହାସହ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ଉପରେ ପ୍ରଶ୍ନ ଉଠାଇଥିଲେ ।
ଏହା ବି ପଢନ୍ତୁ- ଗୁରୁବାରକୁ ଘୁଞ୍ଚିଲା ଶୁଣାଣି, ‘NTA’ର ଆବେଦନ ଉପରେ ଜାରି ହେଲା ନୋଟିସ