ହାଇଦ୍ରାବାଦ: ଲୋକସଭା ନିର୍ବାଚନରେ ଏନଡିଏ ସଂଖ୍ୟାଗରିଷ୍ଠତା ହାସଲ କରିଥିବା ବେଳେ ତୃତୀୟ ଥର ପାଇଁ କ୍ଷମତାକୁ ଆସିବାକୁ ଯାଉଛି । ଏହାରି ଭିତରେ ନୂଆ ସରକାରଙ୍କ ଶପଥ ଗ୍ରହଣ ତାରିଖ ଏବଂ ସମୟ ମଧ୍ୟ ସ୍ଥିର କରାଯାଇଛି । ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି ମୋଦି 3.0 । ପୁଣିଥରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ନରେନ୍ଦ୍ର ମୋଦି । ଜୁନ 8 ତାରିଖ ସନ୍ଧ୍ୟାରେ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇପାରନ୍ତି ବୋଲି ବିଶେଷ ସୁତ୍ରରୁ ଜଣାପଡିଛି । ଏନେଇ ମାନସମନ୍ଥନ ମଧ୍ୟ ଆରମ୍ଭ ହୋଇସାରିଛି ।
ତୃତୀୟ ଥର ପାଇଁ ଶପଥ ଗ୍ରହଣ କରିବା ମାତ୍ରେ ନୂଆ ରେକର୍ଡ ସୃଷ୍ଟି କରିବେ ନରେନ୍ଦ୍ର ମୋଦି । ଲଗାତାର ତୃତୀୟ ଥର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ । ଏହା ପୂର୍ବରୁ ଏହି ରେକର୍ଡ ଜବାହାରଲାଲ ନେହେରୁଙ୍କ ନାମରେ ରହିଥିବା ବେଳେ ଏବେ ଏହି ରେକର୍ଡରେ ମୋଦିଙ୍କ ନାମ ମଧ୍ୟ ଯୋଡି ହେବାକୁ ଯାଉଛି ।
ସନ୍ଧ୍ୟା 4ଟାରେ ଏନଡିଏ ବୈଠକ! :ଆଜି ଅପରାହ୍ନ 4 ଟାରେ ଦିଲ୍ଲୀରେ ଏନଡିଏ ବୈଠକ ଡକାଯାଇଥିବା ସୂଚନା ରହିଛି । ଏଥିରେ ଜେଡିୟୁ ମୁଖ୍ୟ ନୀତୀଶ କୁମାର, ଟିଡିପି ମୁଖ୍ୟ ଏନ ଚନ୍ଦ୍ରବାବୁ ନାଇଡୁ ଏବଂ ଅନ୍ୟ ନେତାମାନେ ଅଂଶଗ୍ରହଣ କରିବେ । ଏନଡିଏ ସହଯୋଗୀଙ୍କ ସହିତ ଆଲୋଚନା ହେବା ପରେ ବିଜେପି ସଂସଦୀୟ ବୋର୍ଡ ବୈଠକ ଅନୁଷ୍ଠିତ ହେବ । ଏହି ବୈଠକରେ ସରକାର ଗଠନ ଏବଂ ଶପଥ ଗ୍ରହଣର ରୂପରେଖ ବିଷୟରେ ଆଲୋଚନା କରାଯିବ । ବୁଧବାର ସକାଳେ ଜେଡିୟୁ ମୁଖ୍ୟ ନୀତୀଶ କୁମାର ଦିଲ୍ଲୀରେ ପହଞ୍ଚିଥିଲେ । ଚନ୍ଦ୍ରବାବୁ ନାଇଡୁ ମଧ୍ୟ ଅପପାହ୍ନ ସୁଦ୍ଧା ଦିଲ୍ଲୀ ପହଞ୍ଚିବା ନେଇ ସୂଚନା ରହିଛି ।