ନୂଆଦିଲ୍ଲୀ: ନିଯୁକ୍ତି ପ୍ରସଙ୍ଗ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଘେରିଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଆଜି ସେ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟ ନେଇ ପ୍ରଶ୍ନ ଉଠାଇଛନ୍ତି । ସୋସିଆଲ ମିଡିଆ ଏକ୍ସରେ ଏକ ପୋଷ୍ଟ କରି ମୋଦିଙ୍କ ବିରୋଧରେ କହିଛନ୍ତି, " ଯୁବକମାନଙ୍କୁ ରୋଜଗାର ଦେବା ମୋଦିଙ୍କ ଉଦ୍ଦେଶ୍ୟ ନୁହେଁ । ସେ ନୂଆ ରୋଜଗାର ସୃଷ୍ଟି କରିବା ତ ଦୂରର କଥା ଖାଲି ପଡିଥିବା ପଦବୀରେ ମଧ୍ୟ ତାଲା ପକାଇ ଦେଇଛନ୍ତି । "
କେରଳର ଓ୍ବାୟନାଡରୁ ରାହୁଲ ପୋଷ୍ଟ କରି କହିଛନ୍ତି, "ଦେଶର ଯୁବକମାନେ ଗୋଟିଏ କଥା ଧ୍ୟାନ ଦିଅନ୍ତୁ। ଯୁବକମାନଙ୍କୁ ରୋଜଗାର ଦେବା ମୋଦିଙ୍କ ଉଦ୍ଦେଶ୍ୟ ନୁହେଁ । ସେ ନୂଆ ରୋଜଗାର ସୃଷ୍ଟି କରିବା ତ ଦୂରର କଥା କେନ୍ଦ୍ରରେ ଖାଲି ପଡିଥିବା ପଦବୀରେ ମଧ୍ୟ ତାଲା ପକାଇ ଦେଇଛନ୍ତି । ଯଦି ସଂସଦରେ ଉପସ୍ଥାପିତ ହୋଇଥିବା ତଥ୍ୟକୁ ଦେଖାଯାଏ ତାହେଲେ 78ଟି ବିଭାଗରେ 9 ଲକ୍ଷ 64 ହଜାର ପଦବୀ ଖାଲି ରହିଛି । "
ଏହା ମଧ୍ୟ ପଢନ୍ତୁ: ପ୍ରଧାନମନ୍ତ୍ରୀଙ୍କ ଜାତିକୁ ରାହୁଲଙ୍କ ଆକ୍ଷେପ ପ୍ରସଙ୍ଗ; ସ୍ପଷ୍ଟୀକରଣ ରଖିଲେ ଏନସିବିସି
ମିଥ୍ୟା ଗ୍ୟାରେଣ୍ଟିର ଝୁଲା ନେଇ ବୁଲୁଛନ୍ତି ପ୍ରଧାନମନ୍ତ୍ରୀ:ରାହୁଲ ଗାନ୍ଧୀ ଆହୁରି ମଧ୍ୟ କହିଛନ୍ତି, "15ଟି ପ୍ରମୁଖ ବିଭାଗରେ 30 ପ୍ରତିଶତରୁ ଅଧିକ ପଦବୀ ଖାଲି ରହିଛି । ତାହାର ଉତ୍ତର କଣ କେନ୍ଦ୍ର ସରକାରଙ୍କ ନିକଟରେ ରହିଛି କି ? ମିଥ୍ୟା ଗ୍ୟାରେଣ୍ଟିର ଝୁଲା ନେଇ ବୁଲୁଥିବା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ବହୁ ସଂଖ୍ୟକ ଗୁରୁତ୍ବପୂର୍ଣ୍ଣ ପଦବୀ କାହିଁକି ଖାଲି ପଡିଛି ? ସ୍ଥାୟୀ ଚାକିରିକୁ ବୋଝ ବୋଲି ମାନୁଥିବା ବିଜେପି ସରକାର ଲଗାତାର ଚୁକ୍ତିନାମା ପ୍ରଣାଳୀକୁ ନିରନ୍ତର ପ୍ରୋତ୍ସାହିତ କରୁଛନ୍ତି । ଯେଉଁଠାରେ ନାଁ ସୁରକ୍ଷା ରହିଛି ନାଁ ସମ୍ମାନ ଅଛି ।"
ଏହା ମଧ୍ୟ ପଢନ୍ତୁ: ‘ଦେଶରେ ବେରୋଜଗାରୀ ହାର ଗତ 40 ବର୍ଷରେ ସର୍ବାଧିକ, 73 ପ୍ରତିଶତ ଦେଶବାସୀ ଏବେ ଉପେକ୍ଷିତ’
ଯୁବକମାନଙ୍କ ପାଇଁ ବନ୍ଦ ହୋଇଥିବା ଦ୍ବାର ଖୋଲିବା ଇଣ୍ଡିଆ ମେଣ୍ଟର ସଂକଳ୍ପ:କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ କହିବା ଅନୁସାରେ, "ଖାଲି ପଡିଥିବା ପଦରେ ଦେଶର ଯୁବକମାନଙ୍କର ଅଧିକାର ରହଛି । ତେବେ ଖାଲି ପଡିଥିବା ଏହି ପଦବୀକୁ ପୂରଣ କରିବା ପାଇଁ ଆମେ ଏକ ଦୃଢ ଯୋଜନା ପ୍ରସ୍ତୁତ କରିବାକୁ ଯାଉଛୁ । ଯୁବକଙ୍କ ପାଇଁ ଭାଜପା ବନ୍ଦ କରିଥିବା ନିଯୁକ୍ତି ଦ୍ବାର ଖୋଲିବା ପାଇଁ ଇଣ୍ଡିଆ ମେଣ୍ଟ ନିଷ୍ପତ୍ତି ନେଇଛି । ଆମେ ଯୁବକଙ୍କୁ ଚାକିରୀ ଦେବୁ। ବେରୋଜଗାରୀଙ୍କ ଅନ୍ଧକାରଙ୍କୁ ଭାଙ୍ଗି ଯୁବମାନଙ୍କୁ ନୂଆ ଆଶାର ଆଲୋକ ଦେଖାଇବୁ ।"