ମୋଦିଙ୍କ ପାଇଁ ସନାତନୀ ପାଲଟିଲେ ଶବନମ୍, ୧୨ ଜ୍ୟୋତିର୍ଲିଙ୍ଗରେ କରିବେ ଜଳାଭିଷେକ ଭୋପାଳ:ଲୋକସଭା ନିର୍ବାଚନ ପାଇଁ ଜୋରଦାର କସରତ କରୁଛନ୍ତି ରାଜନୈତିକ ଦଳ । ସେପଟେ ନିଜର ପସନ୍ଦ ଦଳକୁ ଜିତାଇବା ଲାଗି ଜନତା ମଧ୍ୟ ଉଦ୍ୟମ କରୁଛନ୍ତି । ଏଠାରେ ଯେପିର ପ୍ରଧାନମନ୍ତ୍ରୀ ମୋଦିଙ୍କ ଲାଗି ସନାତନୀ ପାଲଟିଛନ୍ତି ମହାରାଷ୍ଟ୍ରର ଜଣେ ମୁସଲିମ ଯୁବତୀ ଶବନମ୍ ଶେଖ । ନରେନ୍ଦ୍ର ମୋଦି ପୁଣି ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହେବା ଲାଗି ମାନସିକ କରି ଶବନମ ସାଇକେଲ ଯାତ୍ରା ଆରମ୍ଭ କରିଛନ୍ତି । ଏହାସହିତ ସେ ୧୨ ଜ୍ୟୋତିର୍ଲିଙ୍ଗରେ ଜଳାଭିଷେକ କରିବେ ବୋଲି ମଧ୍ୟ କହିଛନ୍ତି ।
ମୁମ୍ବାଇର ଏହି ମୁସଲିମ ଯୁବତୀ ଆଜି (ଶୁକ୍ରବାର) ମଧ୍ୟପ୍ରଦେଶର ବଡବାନି ଜିଲ୍ଲାରେ ପହଞ୍ଚିଛନ୍ତି । ଏହି ସମୟରେ ସେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେବା ସମୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଶଂସା କରିଥିଲେ । ନିକଟରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ସମୟରେ ଶବନମ ମୁମ୍ବାଇରୁ ଅଯୋଧ୍ୟାକୁ ପଦଯାତ୍ରା କରି ଚର୍ଚ୍ଚାକୁ ଆସିଥିଲେ । ଶବନମ ନିଜ ବନ୍ଧୁଙ୍କ ସହିତ ସାଇକେଲ ଚଳାଇ ବଡବାନି ଜିଲ୍ଲାର ସନ୍ଧୱା ଜାତୀୟ ରାଜପଥ ଅତିକ୍ରମ କରିଥିଲେ । ଏହି ସମୟରେ ତାଙ୍କ ସାଇକେଲ ଆଗରେ ଗେରୁଆ ଧ୍ବଜା ଉଡୁଥିଲା ।
ଏହା ବି ପଢନ୍ତୁ- ରାମଲାଲାଙ୍କ ଭକ୍ତିରେ ବିଭୋର ମୁସଲିମ ଭକ୍ତ, ଚାଲି ଚାଲି ମୁମ୍ବାଇରୁ ଅଯୋଧ୍ୟା ଯାତ୍ରା
ଏ ନେଇ ଶବନମ କହିଛନ୍ତି, " ମୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ବଡ଼ ପ୍ରଶଂସକ । ନରେନ୍ଦ୍ର ମୋଦିଙ୍କୁ ମୁଁ ପୁଣି ଥରେ ଦେଶରେ ପ୍ରଧାନମନ୍ତ୍ରୀ ଭାବେ ଦେଖିବାକୁ ଚାହୁଁଛି । ଏଥିଲାଗି ମୁଁ ମୁମ୍ବାଇରୁ ସାଇକେଲ ଯାତ୍ରା ଆରମ୍ଭ କରିଛି । ସାଇକେଲ ଚଳାଇ ଦେଶର ୧୨ ଜ୍ୟୋତିର୍ଲିଙ୍ଗର ଦର୍ଶନ କରିବି ଓ ଭଗବାନ ଭୋଳାବାବାଙ୍କ ନିକଟରେ ଜଳାଭିଷେକ କରିବି ।" ଏଯାବତ ସେ ମହାରାଷ୍ଟ୍ରର ୨ଟି ଜ୍ୟୋତିର୍ଲିଙ୍ଗର ଦର୍ଶନ କରିଥିବା ବେଳେ ମଧ୍ୟ ପ୍ରଦେଶର ଓଁକାରେଶ୍ବରଙ୍କ ଦର୍ଶନ କରିସାରିଛନ୍ତି । ଏହାପରେ ସେ ଉଜୈନରେ ବାବା ମହାକାଳଙ୍କର ଦର୍ଶନ କରି ନରେନ୍ଦ୍ର ମୋଦିଙ୍କ ଲାଗି ପ୍ରାର୍ଥନା କରିବେ ବୋଲି କହିଛନ୍ତି । ଶବନମ ପ୍ରତିଦିନ ପ୍ରାୟ ୮୦ରୁ ୯୦ କିଲୋମିଟର ସାଇକେଲରେ ଯାତ୍ରା କରୁଛନ୍ତି । ତାଙ୍କ ଯାତ୍ରା ପୂରଣ ହେବା ଲାଗି ପାଖାପାଖି ୭ରୁ ୮ ମାସ ସମୟ ଲାଗିବ ।
ସନାତନୀ ମୁସଲିମ ଶବନମ:-ନିଜ ଯାତ୍ରା ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେବା ବେଳେ 'ଜୟ ଶ୍ରୀରାମ' ଓ 'ହର ହର ମହାଦେବ'ର ନାରା ଦେଉଛନ୍ତି ଶବନମ । ସେ ନିଜକୁ ସନାତନୀ ମୁସଲିମ ବୋଲି କହୁନ୍ତି । ପ୍ରଧାନମନ୍ତ୍ରୀଙ୍କ ଲୋକପ୍ରିୟତା ସମ୍ପର୍କରେ କରାଯାଇଥିବା ପ୍ରଶ୍ନରେ ଶବନମ କହିଛନ୍ତି, " ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଶଂସା କଲେ ଏକ ସିରିଜ ହୋଇଯିବ ।" ଯେତେବେଳେ ସେ ଅଯୋଧ୍ୟା ରାମ ମନ୍ଦିର ଦର୍ଶନ କରିବାକୁ ଯାଇଥିଲେ ସେତେବେଳେ ତାଙ୍କୁ ଖୁବ ସମ୍ମାନିତ କରାଯାଇଥିବେ ସେ କୁହନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ