କୋଲକାତା:ମୋଦି କୁହେ ହର ଘର ଜଳ (ପ୍ରତି ଘରକୁ ଜଳ), କିନ୍ତୁ ତୃଣମୂଳ କଂଗ୍ରେସ କହୁଛି ହର ଘର ବୋମା । ସେହିପରି କେନ୍ଦ୍ରର 'ମେକ ଇନ ଇଣ୍ଡିଆ'କୁ କାଉଣ୍ଟର କରିବା ଲାଗି ଟିଏମସି 'ବ୍ରେକ ଇନ ଇଣ୍ଡିଆ' ସ୍ଲୋଗାନ ଦେଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି (ରବିବାର) ପଶ୍ଚିମବଙ୍ଗ ଗସ୍ତରେ ଥିବା ବେଳେ ହୁଗୁଳିରେ ଏକ ଜନସଭାକୁ ସମ୍ବୋଧିତ କରି ଏପରି କହିଛନ୍ତି । ଟିଏମସି ସମାଜ, ଆଇନ ଶୃଙ୍ଖଳା ଓ ଏକତାକୁ ଭାଙ୍ଗୁଛି ବୋଲି ମୋଦି କହିଛନ୍ତି ।
ଶାସକ ଦଳ ଟିଏମସିକୁ ଟାର୍ଗେଟ କରି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, " ବିଜେପି ଦେଶର ବିକାଶ ଉପରେ ଜୋର ଦେଉଥିବା ବେଳେ ଟିଏମସି ନିଜ କାମରେ ବ୍ୟସ୍ତ ଅଛି । ଟିଏମସି ଓ ଏହାର ନେତାଙ୍କ କାମ କଣ ? ଏଠାରେ ମାଫିଆରାଜ ଚାଲିଛି । ମୋଦି କୁହେ ହର ଘର ଜଳ କିନ୍ତୁ ଟିଏମସି କହୁଛି ପ୍ରତି ଘରେ ବୋମା । ଗତ କିଛି ଦିନ ଏଠାରେ ବୋମା ବିସ୍ଫୋରଣ ହୋଇଥିଲା । ଏଠାରେ ମାଆ ଭଉଣୀ, ଶିଶୁଙ୍କ ଜୀବନ ବିପଦରେ । ବିଜେପି ମେକ ଇନ ଇଣ୍ଡିଆକୁ ତ୍ବରାନ୍ବିତ କରିବାକୁ ଉଦ୍ୟମ କରୁଥିବା ବେଳେ ଏପଟେ ଟିଏମସି ଭାରତକୁ ଭାଙ୍ଗିବାରେ ଲାଗିଛି । ଟିଏମସି ସମାଜ, ଆଇନ ଶୃଙ୍ଖଳା ଓ ଏକତାକୁ ଭାଙ୍ଗିବାରେ ଲାଗିଛି ।"
ମୋଦି ଆହୁରି କହିଛନ୍ତି,"ଟିଏମସି ଗୁଣ୍ଡାମାନେ ସନ୍ଦେଶଖାଲିରେ ଅପରାଧୀଙ୍କୁ ସୁରକ୍ଷା ଦେବା ଲାଗି ପୀଡ଼ିତା ମହିଳାଙ୍କୁ ଧମକାଉଛନ୍ତି । ଟିଏମସି ରାଜ୍ୟବାସୀଙ୍କ ବିଶ୍ବାସ ଜିତିବା ଉପରେ ଗୁରୁତ୍ବ ଦିଏନାହିଁ । ସେମାନେ କେବଳ କ୍ଷମତା ଲୋଭର ବଶବର୍ତ୍ତୀ ଏବଂ ସେମାନଙ୍କ ଭୋଟ ବ୍ୟାଙ୍କ ହରାଇବା ଭୟରେ ଅଛନ୍ତି ।" ପ୍ରଧାନମନ୍ତ୍ରୀ ମୋଦି ଏହି ସଭାରେ କଂଗ୍ରେସକୁ ମଧ୍ୟ ଟାର୍ଗେଟ କରି କହିଛନ୍ତି, "କଂଗ୍ରେସର ଶେହଜାଦାଙ୍କ ବୟସଠାରୁ କଂଗ୍ରେସ କମ ଆସନ ପାଇବ ।"