ନୂଆଦିଲ୍ଲୀ: ଜଣେସମ୍ପର୍କୀୟଙ୍କ ବିବାହରେ ସାମିଲ ହେବା ପାଇଁ ତିନିଦିନିଆ ଅନ୍ତରୀଣ ବେଲ ପାଇଲେ ଦିଲ୍ଲୀ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି ବରିଷ୍ଠ ନେତା ମନିଷ ସିସୋଦିଆ । 13 ତାରିଖରୁ 15 ତାରିଖ ମଧ୍ୟରେ ସେ ବେଲରେ ଜେଲରୁ ବାହାରିବେ । ଏନେଇ ସେ କୋର୍ଟରେ ଆବେଦନ କରିଥିଲେ । ଆଜି ରାଉଜ ଆଭିନ୍ୟୁ କୋର୍ଟର ସ୍ପେଶାଲ ଜଜ ଏମ.କେ ନାଗପାଲ ଏହି ଆବେଦନର ଶୁଣାଣି କରି ସିସୋଦିଆଙ୍କୁ 3 ଦିନିଆ ବେଲ ପ୍ରଦାନ କରିଛନ୍ତି । ପୂର୍ବରୁ ନିଜ ଅସୁସ୍ଥ ପତ୍ନୀଙ୍କୁ ସପ୍ତାହରେ ଥରେ ଲେଖାଏଁ ଭେଟିବା ପାଇଁ କୋର୍ଟ ସିସୋଦିଆଙ୍କୁ ଅନୁମତି ଦେଇସାରିଛନ୍ତି ।
ନିଜ ସ୍ତ୍ରୀ ଦୀର୍ଘମାସ ଧରି ଅସୁସ୍ଥ ଥିବାରୁ ତାଙ୍କୁ ସପ୍ତାହରେ ଦୁଇଥର ସାକ୍ଷାତ କରିବାକୁ ଅନୁମତି ଦେବା ପାଇଁ ଏହି ଆବେଦନ ସିସୋଦିଆଙ୍କ ପକ୍ଷରୁ କରାଯାଇଥିଲା । ଗତ 5 ତାରିଖରେ ଏହି ମାମଲାର ଶୁଣାଣି ରାଉଜ ଆଭିନ୍ୟୁ କୋର୍ଟର ସ୍ୱତନ୍ତ୍ର ବିଚାରପତି ଏମ.କେ ନାଗପାଲଙ୍କ ଏକକ ଖଣ୍ଡପୀଠରେ ହୋଇଥିଲା । ପତ୍ନୀଙ୍କୁ ଭେଟିବାକୁ ଏହି ଅନୁମତି ସହ କୋର୍ଟ ଫେବୃଆରୀ 12 (ଆଜି)ରେ ସିସୋଦିଆଙ୍କ ନିୟମିତ ଜାମିନ ଆବେଦନ ଉପରେ ଶୁଣାଣି କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ । ଆଜି ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା । ଏବେ ତାଙ୍କ ନ୍ୟାୟିକ ହାଜତ ଅବଧି 22 ତାରିଖରେ ଶେଷ ହେବାକୁ ଯାଉଛି । 22ରେ ସେ ପୁଣି କୋର୍ଟରେ ହାଜର ହେବେ ।