ଓଡିଶା

odisha

‘ମୈତେଇ ସମ୍ପ୍ରଦାୟ’କୁ ମିଳିବନି ଜନଜାତି ମାନ୍ୟତା, ଗତବର୍ଷ ରାୟରେ ସଂଶୋଧନ କଲେ ମଣିପୁର ହାଇକୋର୍ଟ

By ETV Bharat Odisha Team

Published : Feb 22, 2024, 6:44 PM IST

Manipur High Court modifies order linked to Meiteis that led to clashes: ‘ମୈତେଇ ସମ୍ପ୍ରଦାୟ’କୁ ମିଳିବନି ଜନଜାତି ମାନ୍ୟତା । ନିଜ ପୂର୍ବ ରାୟରେ ସଂଶୋଧିତ କଲେ ମଣିପୁର ହାଇକୋର୍ଟ । ଏହି ରାୟ ପରେ ଜଳିଥିଲା ମଣିପୁର । ଅଧିକ ପଢନ୍ତୁ

ମୈତେଇ ସମ୍ପ୍ରଦାୟକୁ ମିଳିବନି ଜନଜାତି ମାନ୍ୟତା, ଗତବର୍ଷର ରାୟରେ ସଂଶୋଧନ କଲେ ମଣିପୁର ହାଇକୋର୍ଟ
ମୈତେଇ ସମ୍ପ୍ରଦାୟକୁ ମିଳିବନି ଜନଜାତି ମାନ୍ୟତା, ଗତବର୍ଷର ରାୟରେ ସଂଶୋଧନ କଲେ ମଣିପୁର ହାଇକୋର୍ଟ

ଇମ୍ଫାଲ: ମଣିପୁରରେ ମୈତେଇ ସମ୍ପ୍ରଦାୟକୁ ଜନଜାତି ମାନ୍ୟତା ମିଳିବା ପ୍ରସଙ୍ଗରେ ବଡ ରାୟ ଦେଇଛନ୍ତି ସ୍ଥାନୀୟ ହାଇକୋର୍ଟ । କୋର୍ଟ ଗତବର୍ଷ (2023) ମାର୍ଚ୍ଚରେ ଦେଇଥିବା ରାୟରେ ସଂଶୋଧନ କରିଛନ୍ତି । ପ୍ରକାଶିତ ରାୟର ଗୋଟିଏ ପାରାକୁ କୋର୍ଟ ଆଜି ବାଦ ଦେଇଛନ୍ତି । ଏବେ ଏହି ସଂଶୋଧନ ଫଳରେ ମୈତେଇ ସମ୍ପ୍ରଦାୟକୁ ଜନଜାତି ମାନ୍ୟତା ମିଳିବନାହିଁ । ମୈତେଇ ସମ୍ପ୍ରଦାୟକୁ ଜନଜାତି ମାନ୍ୟତା ପ୍ରଦାନ କରିବା ପାଇଁ ମଣିପୁର ଉଚ୍ଚନ୍ୟାୟାଳୟ ଗତବର୍ଷ ମାର୍ଚ୍ଚ 27 ତାରିଖରେ ରାୟ ଦେଇଥିଲେ । ଏନେଇ କେନ୍ଦ୍ର ସରକାର ପ୍ରକ୍ରିୟା ଆରମ୍ଭ କରନ୍ତୁ ବୋଲି କୋର୍ଟ ରାୟରେ କହିଥିଲେ । ଏହାକୁ ନେଇ ରାଜ୍ଯରେ ବ୍ୟାପକ ହିଂସା ଦେଖିବାକୁ ମିଳିଥିଲା । ପ୍ରାୟ 10 ମାସ ପର୍ଯ୍ୟନ୍ତ ଜାରି ରହିଥିବା ହିଂସାରେ 2 ଶହରୁ ଅଧିକ ପ୍ରାଣ ହରାଇଥିଲେ । ଏବେ ମଧ୍ୟ ରାଜ୍ୟରେ ହିଂସା ସ୍ଥିତି ପୂର୍ଣ୍ଣମାତ୍ରାରେ ପ୍ରଶମିତ ହୋଇନି ।

ସଂଶୋଧନରେ କ’ଣ କହିଲେ କୋର୍ଟ :-

ଆଜି ଏହି ମାମଲାରେ ଦାଖଲ ହୋଇଥିବା ପୁନର୍ବିଚାର ମାମଲାର ଶୁଣାଣି କରି ମଣିପୁର ହୋଇକୋର୍ଟ ସର୍ବୋଚ୍ଚକୋର୍ଟଙ୍କ ଏକ ପୂର୍ବ ରାୟକୁ ଦୋହରାଇଥିଲେ । କୌଣସି ସମ୍ପ୍ରଦାୟକୁ ଜନଜାତି ସମ୍ପ୍ରଦାୟର ମାନ୍ୟତା ଦେବା କିମ୍ବା କୌଣସି ସମ୍ପ୍ରଦାୟକୁ ଏହି ତାଲିକାରୁ ବାଦ ଦେବା ନ୍ୟାୟପାଳିକାର ଅଧିକାର କ୍ଷେତ୍ରରେ ମଧ୍ୟରେ ନାହିଁ । ଏହା ରାଷ୍ଟ୍ରପତିଙ୍କ ବିଶେଷାଧିକାର କ୍ଷେତ୍ର ମଧ୍ୟରେ ରହିଛି । କେବଳ କେନ୍ଦ୍ର ସରକାରଙ୍କ ସୁପାରିଶ କ୍ରମେ ରାଷ୍ଟ୍ରପତି ଏହି ଘୋଷଣା କରିପାରିବେ । ତେଣୁ ମଣିପୁର ହାଇକୋର୍ଟ ଗତବର୍ଷ ଦେଇଥିବା ରାୟରେ ସଂଶୋଧନ କରୁଛନ୍ତି । ମୈତେଇ ସମ୍ପ୍ରଦାୟକୁ ଜନଜାତି ମାନ୍ୟତା ପ୍ରଦାନ କରିବା ନେଇ କୋର୍ଟ କୌଣସି ନିର୍ଦ୍ଦେଶ ଦେଇପାରିବେ ନାହିଁ ।

10 ମାସ ଜଳିଥିଲା ମଣିପୁର:-

ନିଜକୁ ଅନୁସୂଚୀତ ଜାତି ମାନ୍ୟତା ଦେବା ପାଇଁ କୋର୍ଟରେ ହାଜର ହୋଇଥିଲା ମୈତେଇ ସମ୍ପ୍ରଦାୟ । ଏହି ମାମଲାରେ ଦୀର୍ଘ ଶୁଣାଣି କରିବା ପରେ ଗତବର୍ଷ ମାର୍ଚ୍ଚର 27 ତାରିଖରେ ମଣିପୁର ହାଇକୋର୍ଟ ଏହି ରାୟ ପ୍ରକାଶ କରିଥିଲେ । ଏହା ପରେ ମେ’ 3 ତାରିଖରେ ଚୁରାଚାନ୍ଦପୁର ଜିଲ୍ଲାରେ ଆଦିବାସୀ ସମ୍ପ୍ରଦାୟ ‘କୁକି’ ଛାତ୍ର ସଂଗଠନ ପକ୍ଷରୁ ଏକ ପ୍ରତିବାଦ ଶୋଭାଯାତ୍ରା ଆୟୋଜନ କରାଯାଇଥିଲା । ଯେଉଁଥିରେ ହିଂସାର ସୂତ୍ରପାତ ହୋଇଥିଲା । ଦୁଇ ସମ୍ପ୍ରଦାୟ ମଧ୍ୟରେ ଆରମ୍ଭ ହୋଇଥିବା ଜାତିଗତ ସଂଘର୍ଷ ରାଜ୍ୟରେ ଗୃହଯୁଦ୍ଧର ରୂପ ନେଇଥିଲା । ଏଥିରେ ପ୍ରାୟ 2ଶହରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା । ହଜାର ହଜାର ମଣିପୁରବାସୀ ପ୍ରଭାବିତ ହୋଇଥିଲେ ।

ଦେଶକୁ ସ୍ତବ୍ଧ କରିଦେଇଥିଲା ମହିଳାଙ୍କ ପ୍ରତି ବର୍ବରତା:-

ବିଶେଷ ଭାବେ ମହିଳାଙ୍କ ପ୍ରତି ହୋଇଥିବା ହିଂସା ସମଗ୍ର ଦେଶକୁ ବିଚଳିତ କରିଥିଲା । ହିଂସାର ସୂତ୍ରପାତ ହୋଇଥିବା ଚୁରାଚାନ୍ଦପୁର ଜିଲ୍ଲାରେ ମହିଳାମାନେ ସଂଘବଦ୍ଧ ଯୌନ ନିର୍ଯାତନା ଓ ଗଣଦୁଷ୍କର୍ମର ଭିଡିଓ ଭାଇରାଲ ହୋଇଥିଲା । ମାମଲା ସର୍ବୋଚ୍ଚ କୋର୍ଟରେ ପହଞ୍ଚିଥିଲା । କେନ୍ଦ୍ର ସରକାର ଅତିରିକ୍ତ କେନ୍ଦ୍ରୀୟ ଫୋର୍ସ ମୁତୟନ କରିବା ସହ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ହିଂସାର ତଦନ୍ତ କରିଥିଲା । ପୁରା ମଣିପୁର ଗୃହଯୁଦ୍ଧ ସ୍ଥିତିର ସାମ୍ନା କରିଥିବା ବେଳେ ଏବେ ମଧ୍ୟ ସ୍ଥିତି ସମ୍ପୂର୍ଣ୍ଣ ସ୍ବାଭାବିକ ହୋଇନି । ଏବେ ଏହି ମାମଲାରେ ରାୟ ଦେଇଥିବା ମଣିପୁର ହାଇକୋର୍ଟ ମଧ୍ୟ ନିଜ ରାୟରେ ସଂଶୋଧନ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details