ଓଡିଶା

odisha

ETV Bharat / bharat

ଇଡିରେ ହାଜର ହେବାକୁ ମହୁଆ ମୋଇତ୍ରାଙ୍କୁ ସମନ

ED summons Mahua Moitra: ମହୁଆ ମୋଇତ୍ରାଙ୍କୁ ଇଡିର ସମନ । ବିଦେଶୀ ମୁଦ୍ରା ବିନିମୟ ଆଇନ ଉଲ୍ଲଂଘନ ମାମଲାରେ ସମନ କରିଛି ଇଡି । ଅଧିକ ପଢନ୍ତୁ

ମହୁଆ ମୋଇତ୍ରା
Mahua Moitra

By ETV Bharat Odisha Team

Published : Feb 16, 2024, 9:03 AM IST

ନୂଆଦିଲ୍ଲୀ:ଟିଏମସି ନେତ୍ରୀ ତଥା ପୂର୍ବତନ ସାଂସଦ ମହୁଆ ମୋଇତ୍ରାଙ୍କ ପାଇଁ ବଢୁଛି ଅଡୁଆ । ଇଡିରେ ହାଜର ହେବାକୁ ମୋଇତ୍ରାଙ୍କୁ ସମନ ହୋଇଛି । ବିଦେଶୀ ମୁଦ୍ରା ବିନିମୟ ଆଇନ ଉଲ୍ଲଂଘନ ମାମଲାରେ ପଚରାଉଚରା ପାଇଁ ମହୁଆଙ୍କୁ ସମନ କରିଛି ଇଡି । ଆସନ୍ତା ସୋମବାର ତାଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କାର୍ଯ୍ୟାଳୟରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି । ନୂଆଦିଲ୍ଲୀ ସ୍ଥିତ ଇଡି କାର୍ଯ୍ୟାଳୟରେ ମହୁଆ ମୋଇତ୍ରା ହାଜର ହେବାକୁ ସମନରେ ଉଲ୍ଲେଖ ରହିଛି ।

ଗତ ଡିସେମ୍ବର ମାସରେ ସଂସଦରେ ପ୍ରଶ୍ନ ପାଇଁ ଲାଞ୍ଚ ମାମଲାରେ ଟିଏମସି ନେତ୍ରୀ ମହୁଆ ମୋଇତ୍ରାଙ୍କୁ ଲୋକସଭା ସାଂସଦ ପଦରୁ ବହିଷ୍କୃତ କରାଯାଇଥିଲା । ସଂସଦରେ ପ୍ରଶ୍ନ ପଚାରିବାକୁ ବ୍ୟବସାୟୀ ହୀରାନନ୍ଦାନିଙ୍କ ଠାରୁ ସେ ଉପହାର ନେଇଥିବା ଏବଂ ପାର୍ଲାମେଣ୍ଟ ୱେବସାଇଟ ଆଇଡି ଓ ପାସୱାର୍ଡ ସେୟାର କରିଥିବା ଅଭିଯୋଗ ହୋଇଥିଲା । ଏହି ଘଟଣାରେ ଦୋଷୀ ସାବ୍ୟସ୍ତ ହେବା ପରେ ଲୋକସଭାରୁ ବହିଷ୍କୃତ କରାଯାଇଥିଲା । ସଭ୍ୟ ପଦ ରବ୍ଦ ନେଇ ସେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ତ ହୋଇଥିଲେ । ଏହି ମାମଲା ବର୍ତ୍ତମାନ ସୁପ୍ରିମକୋର୍ଟରେ ବିଚାରଧୀନ ରହିଛି ।

ଏହା ମଧ୍ୟ ପଢନ୍ତୁ-ନୋଟିସ୍ ପରେ ସରକାରୀ ବଙ୍ଗଳା ଖାଲି କଲେ ମହୁଆ ମୋଇତ୍ରା

ସାଂସଦ ପଦ ରଦ୍ଦ ହେବା ପରେ ମହୁଆଙ୍କୁ ଦିଲ୍ଲୀସ୍ଥିତ କୋଟାରେ ମିଳିଥିବା ସରକାରୀ ବଙ୍ଗଳା ତୁରନ୍ତ ଖାଲି କରିବାକୁ କୁହାଯାଇଥିଲା । ବାରମ୍ବାର ନୋଟିସ୍ ପରେ ମଧ୍ୟ ସେ ବଙ୍ଗଳା ଖାଲି କରିନଥିଲେ । ଜାନୁଆରୀ 16ରେ ତାଙ୍କୁ ଘର ଖାଲି କରିବା ପାଇଁ ତୃତୀୟ ନୋଟିସ ହୋଇଥିଲା । ଏହାକୁ ସେ ଦିଲ୍ଲୀ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ । କିନ୍ତୁ ହାଇକୋର୍ଟ ତାଙ୍କର ଆବେଦନ ଖାରଜ କରିବା ସହ ବଙ୍ଗଳା ଖାଲି କରିବାକୁ କହିଥିଲେ । କୋର୍ଟରୁ ନିରାଶ ହେବା ପରେ ଶେଷରେ ଜାନୁଆରୀ 16 ତାରିଖରେ ସରକାରୀ ବଙ୍ଗଳା ଖାଲି କରିଥିଲେ ବହିଷ୍କୃତ ଟିଏମସି ସାଂସଦ ମହୁଆ ମୋଇତ୍ରା ।

ଏହା ମଧ୍ୟ ପଢନ୍ତୁ-ସଦାଚାର କମିଟି ରିପୋର୍ଟକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କଲେ ମହୁଆ, ପ୍ରଶ୍ନ ପାଇଁ ଟଙ୍କା ମାମଲାରେ ହରାଇଛନ୍ତି ସାଂସଦ ପଦ

ମହୁଆଙ୍କ ସାଂସଦ ପଦ ରଦ୍ଦ ହେବା ପରେ ଟିଏମସି ମୁଖ୍ୟ ମମତା ବାନାର୍ଜୀ ବିଜେପି ଉପରେ ପ୍ରବଳ ବର୍ଷିଥିଲେ । ଏହା ବିଜେପିର ପ୍ରତିଶୋଧ ରାଜନୀତି । ସେମାନେ ଗଣତନ୍ତ୍ରକୁ ହତ୍ୟା କରିଛନ୍ତି । ଏହା ଅନ୍ୟାୟ । ମହୁଆ ଯୁଦ୍ଧରେ ଜିତିବେ ଓ ଲୋକମାନେ ବିଜେପିକୁ ଉପଯୁକ୍ତ ଯବାବ ଦେବେ । ଆସନ୍ତା ନିର୍ବାଚନରେ ବିଜେପି ନିଶ୍ଚିନ୍ତ ପରାସ୍ତ ହେବ ବୋଲି କହିଥିଲେ ମମତା ।

ABOUT THE AUTHOR

...view details