ଯାଜପୁର: ଓଡିଶାର ପ୍ରସିଦ୍ଧ ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକରେ ଅବସ୍ଥାପିତ ବୌଦ୍ଧପୀଠ ଉଦୟଗିରିରେ ପ୍ରଥମଥର ପାଇଁ ଆୟୋଜିତ ହୋଇଛି ଅନ୍ତର୍ଜାତୀୟ ଗୁରୁ ପଦ୍ମସମ୍ଭବଙ୍କ ପୂଜା ଆରାଧନା ଓ ବୌଦ୍ଧଧର୍ମ ସମ୍ମିଳନୀ । ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ସମ୍ମିଳନୀ । ଲାଇଟ୍ ବୁଦ୍ଧ ଧର୍ମ ଫେଡେରେସନ ଦ୍ବାରା ଆୟୋଜିତ ଏହି ସମ୍ମିଳନୀରେ 17ଟି ଦେଶରୁ ପ୍ରାୟ ୧୫ ଶହରୁ ଅଧିକ ବୌଦ୍ଧ ଧର୍ମାବଲମ୍ବୀ ଓ ସାଧୁସନ୍ଥ ଯୋଗଦେଇଛନ୍ତି । ବିଭିନ୍ନ ଆନ୍ତର୍ଜାତିକ ସହଯୋଗୀ ସଂସ୍ଥା ସହିତ ରାଜ୍ୟ ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ସହଯୋଗ ଯୋଗାଇ ଦିଆଯାଇଛି । ଯାହାକୁ ନେଇ ଏଠାରେ ଏକ ନିଆରା ଆଧ୍ୟାତ୍ମିକ ପରିବେଶ ଦେଖିବାକୁ ମିଳିଛି । ସେପଟେ ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ବ୍ୟାପକ ପୋଲିସ ମୁତୟନ କରାଯାଇଛି ।
ଫାଷ୍ଟ ଗୁରୁ ପଦ୍ମସମ୍ଭବ କନକ୍ଳେଭ:
ଯାଜପୁରର ପ୍ରସିଦ୍ଧ ବୌଦ୍ଧପୀଠ ଉଦୟଗିରିରେ ଭଗବାନ ବୁଦ୍ଧଙ୍କ ଦ୍ବିତୀୟ ଅବତାର ତଥା ଅନ୍ତର୍ଜାତୀୟ ଗୁରୁ ପଦ୍ମସମ୍ଭବଙ୍କର ଆଜକୁ 15 ଶହ ବର୍ଷ ପୂର୍ବେ ଦେହବସାନ କରିଥିଲେ । ଯାଜପୁର ଜିଲ୍ଲାରେ ହିଁ ଗୁରୁ ପଦ୍ମସମ୍ଭବ ଜନ୍ମଲାଭ କରିଥିଲେ । 8ମ ଶତାବ୍ଦୀରେ ଦେଶବିଦେଶରେ ବୌଦ୍ଧ ଧର୍ମର ପ୍ରଚାର ପ୍ରସାର ଦିଗରେ ଗୁରୁ ପଦ୍ମସମ୍ଭବଙ୍କ ଅବଦାନ ଅତୁଳନୀୟ ଥିଲା । ଯାହା ଗବେଷକମାନେ ଅନୁମୟ କରିଛନ୍ତି । ଏହାର ପ୍ରାମାଣିକ ତଥ୍ୟ ମିଳିବା ପରେ ଓଡ଼ିଶାରେ ପ୍ରଥମଥର ପାଇଁ ଏଭଳି ଏକ ବଡ ଧରଣର ଆନ୍ତର୍ଜାତୀୟ ଗୁରୁ ପଦ୍ମସମ୍ଭବଙ୍କ ପୂଜା ଆରାଧନା ଓ ବୌଦ୍ଧଧର୍ମ ସମ୍ମିଳନୀର ଆୟୋଜନ କରାଯାଇଛି । ତେବେ ଗୁରୁ ପଦ୍ମସମ୍ଭବଙ୍କ ସମ୍ପର୍କରେ ଅଧିକ ଜାଣିବା ଏବଂ ତାଙ୍କ ବିଷୟରେ ଆଲୋଚନା କରିବା ପାଇଁ ଆନ୍ତର୍ଜାତୀୟ ସଂସ୍ଥା ଲାଇଟ୍ ବୌଦ୍ଧ ଧର୍ମ ଫେଡେରେସନ ନେତୃତ୍ବରେ 'ଫାଷ୍ଟ ଗୁରୁ ପଦ୍ମସମ୍ଭବ କନକ୍ଳେଭ'ର ଆୟୋଜନ କରାଯାଇଛି ।
୧୬ ଯାଏଁ ଚାଲିବ କାର୍ଯ୍ୟକ୍ରମ:
ଏହି ସମ୍ମିଳନୀରେ ଦେଶ ବିଦେଶର ବୌଦ୍ଧଧର୍ମ ଗୁରୁ ଯୋଗଦେଇଥିଲେ ଏବଂ ଲାଇଟ୍ ବୁଦ୍ଧଧର୍ମ ଫାଉଣ୍ଡେସନ ଇଣ୍ଟରନ୍ୟାସନାଲର ଚିଫ୍ ଏକ୍ଜିକ୍ୟୁଟିଭ୍ ୱାଂମୋ ଡିକ୍ସେ ପ୍ରାରମ୍ଭିକ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ । ଏହା ଗତକାଲି ଠାରୁ ଆରମ୍ଭ ହେଇଥିବା ବେଳେ ଏହା ଆସନ୍ତା ୧୬ ତାରିଖରେ ଶେଷ ହେବ । ଏଥିପାଇଁ ଅନ୍ୟାନ୍ୟ ଆନ୍ତର୍ଜାତୀୟ ସଂସ୍ଥା ସହିତ ରାଜ୍ୟ ଓଡ଼ିଆ ଭାଷା, ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ, ଜିଲ୍ଲା ପ୍ରଶାସନ ଓ ଉଦୟଗିରି ବୁଦ୍ଧ ମହୋତ୍ସବ ସମିତି ପକ୍ଷରୁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦିଆଯାଇଛି । ସେପଟେ ଏହି ସମ୍ମିଳନୀକୁ ନେଇ ବେଶ ଉତ୍ସାହିତ ଅଛନ୍ତି ଗବେଷକ l ଏଭଳି ସମ୍ମିଳନୀରେ ଯୋଗଦେଇଥିବାରୁ ଖୁସି ବ୍ୟକ୍ତ କରିଛନ୍ତି ପ୍ରବାସୀ ଭାରତୀୟ ।
ବିଶ୍ବର ଶାନ୍ତି ପାଇଁ ପ୍ରାର୍ଥନା:
ଏନେଇ ଲାଇଟ୍ ବୁଦ୍ଧଧର୍ମ ଫାଉଣ୍ଡେସନ ଇଣ୍ଟରନ୍ୟାସନାଲ ଚିଫ୍ ଏକ୍ସିକ୍ୟୁଟିଭ୍ ୱାଂମୋ ଡିକ୍ସେ କହିଛନ୍ତି, "ଏହା ହେଇଛି ପ୍ରଥମ ଗୁରୁ ପଦ୍ମସମ୍ଭବ ସମ୍ମିଳନୀ । ଆମ ପାଇଁ ଏହା ଏକ ଐତିହାସିକ କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମରେ 17ଟି ଦେଶ ସାମିଲ ହୋଇଛନ୍ତି । ଆମେ ଏଠାରେ ବିଶ୍ବର ଶାନ୍ତି ପାଇଁ ପ୍ରାର୍ଥନ କରୁଛୁ ।"
ଏହା ମଧ୍ୟ ପଢ଼ନ୍ତୁ...ବୁଦ୍ଧ ମୂର୍ତ୍ତିକୁ ଭୈରବ ଭାବି ପୂଜା କରୁଥିଲେ ଗାଁ ଲୋକେ... ଆଉ ତା ପରେ - jain idol worshipped as buddha
17ଟି ଦେଶ ସାମିଲ:
ଭାରତ ସମେତ ଥାଇଲାଣ୍ଡ, ନେପାଳ, ଭୂଟାନ, ଭିଏତନାମ, କାମ୍ବୋଡ଼ିଆ, ବ୍ରାଜିଲ, ଆମେରିକା, ଫ୍ରାନ୍ସ, ଜାପାନ ପ୍ରଭୃତି 17ଟି ଦେଶରୁ ୧୫ ଶହରୁ ଊର୍ଦ୍ଧ୍ବ ବୌଦ୍ଧଗୁରୁ, ସାଧୁସନ୍ଥ ଓ ଧର୍ମାବଲମ୍ବୀମାନେ ଧର୍ମୀୟ ବେଶଭୂଷା ଧାରଣ କରି ଏହି ସମ୍ମିଳନୀରେ ଯୋଗଦେଇଛନ୍ତି । ସେମାନଙ୍କ ପାଇଁ ଉଦୟଗିରି, ରତ୍ନଗିରି ଓ ଲଳିତଗିରି ଠାରେ ରହଣୀ ସହ ଆନୁସାଙ୍ଗିକ ବ୍ୟବସ୍ଥା କରାଯାଇଛି । ଆଜି ପ୍ରଥମେ ଏହି ବୌଦ୍ଧ ସନ୍ୟାସୀମାନେ ଏକ ବିଶାଳ ଶୋଭାଯାତ୍ରାରେ ଉଦୟଗିରି ଅଞ୍ଚଳ ଭ୍ରମଣ କରିବା ସହିତ ଜଗତର କଲ୍ୟାଣ ପାଇଁ ମନ୍ତ୍ର ଉଚ୍ଚାରଣ ମାଧ୍ୟମରେ ପ୍ରାର୍ଥନା କରିଛନ୍ତି । ଏଥିସହ ବିଶ୍ବ ଐତିହ୍ୟ ତାଲିକାରେ ହୀରକ ତ୍ରିଭୁଜକୁ ସାମିଲ କରିବା, ଏସିଆ ପର୍ବତମାଳାରେ ଗଢି ଉଠିଥିବା ପୂରାତନ ପୁଷ୍ପଗିରି ବିଶ୍ବବିଦ୍ୟାଳୟର ପୁନଃ ପ୍ରତିଷ୍ଠା ଓ ଗୁରୁ ପଦ୍ମସମ୍ଭବଙ୍କ ସମ୍ପର୍କରେ ଆଲୋଚନା ସଭା ଅନୁଷ୍ଠିତ ହୋଇଛି । ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ଦେଶ ବିଦେଶର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇଛନ୍ତି । ଏହି ସମ୍ମିଳନୀ ଶେଷ ହେବାକୁ ଆଉ 3 ଦିନ ବାକିଥିବା ବେଳେ, ଜିଲ୍ଲାରେ ଏଭଳି ଏକ ଆନ୍ତର୍ଜାତୀୟ ସମ୍ମିଳନୀକୁ ଦେଖିବା ପାଇଁ ଉଦୟଗିରିରେ ପର୍ଯ୍ୟଟକଙ୍କ ଭିଡ ଜମୁଥୁବା ଦେଖିବାକୁ ମିଳିଛି ।
ଇଟିଭି ଭାରତ, ଯାଜପୁର