ବାଲେଶ୍ବର: ବହୁ ଆଡାମ୍ବରରେ ପାଳିତ ହୋଇଛି ବାଲେଶ୍ୱର ସହର ଉପକଣ୍ଠ କୁରୁଡା ନିକଟସ୍ଥ ଶ୍ରୀଶ୍ରୀ ପୀତାମ୍ବରା ସିଦ୍ଧ ମହାଶକ୍ତି ପୀଠରେ ମା' ବଗଳାମୁଖୀଙ୍କ ଜନ୍ମତ୍ସୋବ ଓ ଦ୍ଵାଦଶ ବାର୍ଷିକ ଉତ୍ସବ । ଏହି ଉପଲକ୍ଷେ ମା’ଙ୍କ ନିକଟରେ ଲାଗି ହୋଇଛି ଭକ୍ତଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା ୧୦୦୮ ପ୍ରକାରର ଭୋଗ । ଭକ୍ତମାନେ ଅତି ଶ୍ରଦ୍ଧାରେ ମା'ଙ୍କ ପାଖରେ ଶୁଖିଲା ଏବଂ ତିଆରି ଭୋଗ ନେଇ ଲାଗି କରାଇଛନ୍ତି । ମନ୍ଦିର ପ୍ରତିଷ୍ଠାଠାରୁ ପ୍ରତିବର୍ଷ ମା'ଙ୍କ ଜନ୍ମୋତ୍ସବ ସମୟରେ ୧୦୦୮ ପ୍ରକାରର ଭୋଗ ଲାଗି ହୋଇଥାଏ ।
- କେବେଠୁ ଲାଗି ହେଉଛି ୧୦୦୮ ପ୍ରକାର ଭୋଗ:
୨୦୧୩ ମସିହାରେ ପିଠାଧିଶ ରବିନାରାୟଣ ମିଶ୍ରଙ୍କ ପ୍ରଚେଷ୍ଠାରେ ମନ୍ଦିର ପ୍ରତିଷ୍ଠା ହୋଇଥିଲା । ବହୁ ବଦାନ୍ୟ ବ୍ୟକ୍ତିଙ୍କ ଅବଦାନ ଏବଂ ମା'ଙ୍କ ଅପାର କୃପା ଯୋଗୁଁ ଆଜି ବହୁ ଆଡ଼ମ୍ବରରେ ମା'ଙ୍କ ଜନ୍ମଦିନ ପାଳନ କରାଯାଉଛି । ଜନ୍ମୋତ୍ସବ ଅବସରରେ ମା’ଙ୍କୁ ୧୦୦୮ ପ୍ରକାରର ବିଭିନ୍ନ ବ୍ୟଞ୍ଜନ, ମିଷ୍ଟାନ୍ନ ଓ ଫଳ ଆଦି ପ୍ରସାଦ ଲାଗି କରାଯାଇଛି । ଶ୍ରଦ୍ଧାଳୁମାନେ ପୀଠ ପରିସରରେ ଉପସ୍ଥିତ ରହି ନିଷ୍ଠାର ସହ ସମସ୍ତ ପ୍ରସାଦ ପ୍ରସ୍ତୁତ କରିଥିଲେ । ସାଧାରଣ ଜୀବନ ଯାପନରେ ବ୍ୟବହୃତ ସମସ୍ତ ପ୍ରକାର ସାତ୍ତ୍ୱିକ ଖାଦ୍ୟ ସାମଗ୍ରୀକୁ ପ୍ରସାଦ ରୂପେ ଅର୍ପଣ କରାଯାଇଛି । ଏମିତିକି ଶତାଧିକ ପ୍ରକାରର ମିଷ୍ଟାନ୍ନ ଓ ଚକୋଲେଟ ମଧ୍ୟ ଏଥିରେ ସାମିଲ କରାଯାଇଥିଲା । ଜନୈକ ମହିଳା ଭକ୍ତ ମା’ଙ୍କ ଜନ୍ମତ୍ସୋବ ପାଇଁ ବିଶାଳ କେକ୍ ପ୍ରସ୍ତୁତ କରିଥିବା ଦେଖିବାକୁ ମିଳିଥିଲା । ଏପରି ଏକ ବିରଳ ପ୍ରସାଦ ଅର୍ପଣ ସେବା ଦେଖିବାକୁ ଭକ୍ତଙ୍କ ପ୍ରବଳ ଭିଡ ପରିଲକ୍ଷିତ ହୋଇଥିଲା ।
- ମହାଯଜ୍ଞରେ ପୂର୍ଣ୍ଣାହୁତି:
ଶନିବାର ଦିନ ସ୍ଥାନୀୟ ସରସ୍ୱତୀପୁର ଶିବ ମନ୍ଦିର ପୁଷ୍କରିଣୀରୁ ଘଟ ଉତ୍ତୋଳନ ଓ କଳସ ଶୋଭାଯାତ୍ରା ସହ ବୈଦିକ ରୀତିରେ ଯଜ୍ଞକାର୍ଯ୍ୟ ଆରମ୍ଭ ହୋଇଥିଲା । ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିଥିବା ବିଜ୍ଞ ପଣ୍ଡିତ ଏବଂ ବ୍ରାହ୍ମଣମାନଙ୍କ ଦ୍ୱାରା ସୂର୍ଯ୍ୟପୂଜା, ଗୁରୁପୂଜା, ମଣ୍ଡଳାଦର୍ଶନ, ଅଗ୍ନିସ୍ଥାପନ, ଶ୍ରୀମନ୍ଦିରରୁ ମା’ଙ୍କ ଯଜ୍ଞ ମଣ୍ଡପକୁ ଆଗମନ, ଅର୍ଚ୍ଚନ, ସହସ୍ରାଦି ବଗଳା ମନ୍ତ୍ରରେ ଯଜ୍ଞାହୁତି ପ୍ରଦାନ କରାଯିବା ସହ ସନ୍ଧ୍ୟାରେ ପୁନର୍ବାର ଶ୍ରୀମନ୍ଦିରକୁ ମା’ଙ୍କ ପ୍ରତ୍ୟାବର୍ତ୍ତନ ଇତ୍ୟାଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ୩ ଦିନ ଧରି ଚାଲିଆସୁଥିବା ମା’ ବଗଳାମୁଖୀଙ୍କ ଜନ୍ମ ଉତ୍ସବ ଆଜି (ସୋମବାର) ସନ୍ଧ୍ୟାରେ ସମ୍ପନ୍ନ ହୋଇଛି । ଏହି ଅବସରରେ ୩ ଦିନ ବ୍ୟାପୀ ଚାଲିଥିବା ମହାଯଜ୍ଞରେ ପୂର୍ଣ୍ଣାହୁତି ପ୍ରଦାନ କରାଯାଇଛି ।
- ମା'ଙ୍କ ମନ୍ଦିର ପ୍ରତିଷ୍ଠାର କିମ୍ବଦନ୍ତୀ:
ମନ୍ଦିର ପ୍ରତିଷ୍ଠା ହେବା ପୂର୍ବରୁ ମା' ବଗଳାମୁଖୀଙ୍କ ସାନିଧ୍ୟ ଲାଭ କରିଥିବା ଅନୁଷ୍ଠାନର ସଦସ୍ୟ ତଥା ଭକ୍ତ ସନ୍ତୋଷ ପୃଷ୍ଟି ମା'ଙ୍କ ପ୍ରତିଷ୍ଠା ଠାରୁ ଆଜି ପର୍ଯ୍ୟନ୍ତ କ'ଣ କ'ଣ ହୋଇଛି ସେ ବିଷୟରେ ବିସ୍ତୃତ ସୂଚନା ଦେଇ କହିଛନ୍ତି, "ମା'ଙ୍କ ମନ୍ଦିର ପ୍ରତିଷ୍ଠା ସମୟରେ ଏଠାରେ କୌଣସି ସୁବୁଧା ନଥିଲା । ମନ୍ଦିର ତିଆରି ସମୟରେ ବିଦ୍ୟୁତର ମଧ୍ୟ ବ୍ୟବସ୍ଥା ନଥିଲା। ଜେନେରେଟର ଦ୍ୱାରା ଆମେ ମନ୍ଦିରର ମୂଳ ଭିତ୍ତିପ୍ରସ୍ତର ସ୍ଥାପନ କରିବା ପାଇଁ ଚେଷ୍ଟା କରିଥିଲୁ । ସେହି ସମୟରେ ଜଣେ ଉଦ୍ୟୋକ୍ତା ଜମି ଓ ମନ୍ଦିର ପାଇଁ ସାହାଯ୍ୟ କରିଥିଲେ । ତାଙ୍କ ତତ୍ୱବାଧାନରେ ମନ୍ଦିର ତିଆରି ହୋଇଥିଲା ଏବଂ ସେହିଦିନ ଠାରୁ ଆମର ପ୍ରତିଷ୍ଠା ଉତ୍ସବ ଚାଲି ଆସୁଛି । ଭକ୍ତମାନଙ୍କ ସମାଗମ ଧୀରେଧୀରେ ବହୁମାତ୍ରାରେ ବଢି ଚାଲିଛି । ମା'ଙ୍କ ଅଲୌକିକ ଶକ୍ତି ଆମେ ଅନୁଭବ କରିଛୁ । ଦୁର୍ଗା ପୂଜା ସମୟରେ ଷୋଡ଼ ଦିନାତ୍ମକ ପୂଜାର ଆୟୋଜନ କରାଯାଏ । ୧୬ ଦିନ ଧରି ଯଜ୍ଞ କରାଯାଏ ଏବଂ ଯଜ୍ଞର ପରିଶେଷରେ ଗୁରୁପୂଜନ କରାଯାଏ । ମା'ଙ୍କ କରୁଣା ଓ ମହିମା ବର୍ଣ୍ଣନା କରିହେବନି କେବଳ ଅନୁଭବ କରିହେବ ।"
- ସବୁ ବିପଦରୁ ଉଦ୍ଧାର କରନ୍ତି ମା:
ସେହିପରି ସରସ୍ବତୀପୁର ଅଞ୍ଚଳର ଜଣେ ଭକ୍ତ ରବିତା ଦାସ କହିଛନ୍ତି, "୨୦୧୪ମସିହାରୁ ମୁଁ ମା'ଙ୍କ ପାଖକୁ ଆସୁଛି । ମା'ଙ୍କୁ ଦେଖିଲା ପରେ ମନରେ ଅଲଗା ଭାବନା ସୃଷ୍ଟି ହୁଏ । ଆମେ ଘଟ ବୁଡ଼ାଇଛୁ, ପୂର୍ଣ୍ଣାହୁତିରେ ଯୋଗ ଦେଇଛି । ମା'ଙ୍କ ପାଇଁ ୧୦ ପ୍ରକାରର ପିଠା ଭୋଗ ପ୍ରସ୍ତୁତ କରିଛି । ମା' ସବୁ ମାନସିକ ପୂର୍ଣ୍ଣ କରନ୍ତି । ମା'ଙ୍କ ଉପରେ ମୋର ଅତୁଟ ବିଶ୍ୱାସ ରହିଛି ।" ଭକ୍ତ ମାନସୀ ପଣ୍ଡା କହିଛନ୍ତି, "ମୁଁ ଗତ ୨ ବର୍ଷ ଧରି ମା' ବଗଳାମୁଖୀଙ୍କ ସହ ଜଡ଼ିତ ଅଛି । ମା'ଙ୍କ ପାଖକୁ ଯିଏ ଯାହା ମନସ୍କାମନା ନେଇ ଆସେ ମା' ତାହା ପୂର୍ଣ୍ଣ କରନ୍ତି । ଆଜି ମା'ଙ୍କ ଜନ୍ମ ଉତ୍ସବ ପାଇଁ ୧୦୦୮ ପ୍ରକାର ଭୋଗ ଲାଗି ହୋଇଛି । । ମୋର ମାନସିକ ପୂରଣ ହୋଇଛି । ମା'ଙ୍କ ଚତୁର୍ଦ୍ଦଶୀ ବ୍ରତ କଲେ ଘରର ମଙ୍ଗଳ ହୋଇଥାଏ । ସବୁ ବିପଦରୁ ମା' ଉଦ୍ଧାର କରିଥାନ୍ତି ।"
- ଏହି ତିଥିରେ ହୁଏ ମା'ଙ୍କ ପୂଜା:
ମନ୍ଦିର କେମିତି ପ୍ରତିଷ୍ଠା ହେଲା ଓ କାହିଁକି ମା' ଏଠାରେ ସ୍ଥାନ ପାଇଛନ୍ତି ଏବଂ ମା'ଙ୍କ ପାଖରେ କାହିଁକି ୧୦୦୮ ପ୍ରକାର ଭୋଗ ଲାଗି ହୁଏ ସେସବୁ ସମ୍ପର୍କରେ ପୀଠର ଆଚାର୍ଯ୍ୟ ଆଦିତ୍ୟ ନାରାୟଣ ମିଶ୍ର କହିଛନ୍ତି, "ମାଘ ମାସ କୃଷ୍ଣପକ୍ଷ ଚତୁର୍ଦ୍ଦଶୀ ତିଥିରେ ପିତାମ୍ବରା ମା' ବଗଳାମୁଖୀଙ୍କ ଆବିର୍ଭାବ । ଏହି ତିଥିରେ ମା'ଙ୍କ ଆବିର୍ଭାବ ହୋଇଥିଲା ଏବଂ ଶ୍ରୀ ପିତାମ୍ବରା ସିଦ୍ଧ ମହାଶକ୍ତି ପୀଠ ଆଜି ଦିନରେ ପ୍ରତିଷ୍ଠିତ ହୋଇଥିଲା । ଆଜି ଏହାର ଦ୍ଵାଦଶ ବାର୍ଷିକ ଉତ୍ସବ ପାଳନ କରାଯାଉଛି । ମା' ବାଲେଶ୍ୱରରେ ସ୍ଥାପନ ହେଲେ । ପିଠାଧିଶ ଗୁରୁଜୀ ରବି ନାରାୟଣ ମିଶ୍ରଙ୍କ ଆରାଧ୍ୟ ଦେବୀ ହେଉଛନ୍ତି ପିତାମ୍ବରା ମା' ବଗଳାମୁଖୀ । ସେ ହେଲେ ପିତାମ୍ବରା ବଗଳାମୁଖୀଙ୍କ ଉପାସକ । ତାଙ୍କର ମା'ଙ୍କୁ ପ୍ରତିଷ୍ଠା କରିବାରେ ଯେଉଁ ମାନସିକ ଥିଲା ତାହା ଆଜି ଶ୍ରୀ ପିତାମ୍ବରା ସିଦ୍ଧ ମହାଶକ୍ତି ପୀଠରେ ପରିଣତ ହୋଇଛି ।
ଏହା ମଧ୍ୟ ପଢ଼ନ୍ତୁ...ମା‘ ବଗଳାମୁଖୀଙ୍କ ସପ୍ତଶତୀ ଚଣ୍ଡୀପାଠ, ଲାଗି ହେବ ୧୦୦୮ ପ୍ରକାର ଭୋଗ ଏହା ମଧ୍ୟ ପଢ଼ନ୍ତୁ...ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେଲେ ପ୍ରଭୁ ନୀଳମାଧବ - SUNA BESHA OF NILAMADHAB |
- ମା'ଙ୍କ ପାଖରେ ଲାଗି ହୁଏ ପିତ ରଙ୍ଗର ବସ୍ତ୍ର:
ଆଚାର୍ଯ୍ୟ ଆଦିତ୍ୟ ନାରାୟଣ ମିଶ୍ର ଆହୁରି କହିଛନ୍ତି, "ବର୍ଷ ତମାମ ଏହି ପୀଠରେ ମା'ଙ୍କର ଚତୁର୍ଦ୍ଦଶୀ ପାଳନ କରାଯାଏ । ଏ ଚତୁର୍ଦ୍ଦଶୀ ତିଥିରେ ଭକ୍ତମାନେ ଆସି ବ୍ରତ ବନ୍ଧନ କରନ୍ତି । ପିତାମ୍ବରା ମା' ବଗଳାମୁଖୀଙ୍କ ୩୬ ବୀଯମନ୍ତ୍ର ଅନୁସାରେ ଏ ବ୍ରତ ସମ୍ପୂର୍ଣ୍ଣ ହୋଇଥାଏ । ଭକ୍ତମାନେ ଦୀପ ଦାନ କରି ବ୍ରତ ବାନ୍ଧିଥାନ୍ତି । ବାସନ୍ତିକ ନବରାତ୍ର, ଶାରଦୀୟ ନବରାତ୍ର, କୃଷ୍ଣ ଜନ୍ମାଷ୍ଟମୀ, ଶ୍ରୀ ରାମନବମୀ, ହନୁମାନ ଜୟନ୍ତୀ ମହା ସମାରୋହରେ ଏଠି ପାଳନ କରାଯାଏ । ମା'ଙ୍କ ପାଖରେ ଯେଉଁ୧୦୦୮ ପ୍ରକାର ଭୋଗ ଲାଗୁଛି ଏହା ହେଉଛି ଭକ୍ତମାନଙ୍କ ଶ୍ରଦ୍ଧା । ମା'ଙ୍କ ଆବିର୍ଭାବ ତିଥିରେ ଭକ୍ତମାନେ ମା'ଙ୍କ ପାଖରେ ବିଭିନ୍ନ ପ୍ରକାର ବ୍ୟଞ୍ଜନ ଲଗାଉଛନ୍ତି । ଆଜି ସକାଳୁ ପୂର୍ଣ୍ଣାହୁତି ଦିନ ମା'ଙ୍କ ଆବିର୍ଭାବ ତିଥିରେ ୧୦୦୮ ପ୍ରକାର ଭୋଗ ସମର୍ପଣ କରାଯାଇଥାଏ । ମା' ହେଲେ ପିତାମ୍ବରା, ବିଷ୍ଣୁ ହେଲେ ପିତାମ୍ବର । ତେଣୁ ବୈଷ୍ଣବୀ, ମା'ଙ୍କ ପାଖରେ ପିତରଙ୍ଗର ବସ୍ତ୍ର, ଫୁଲ, ମିଠା, ଅନ୍ନ ଏସବୁ ସମର୍ପଣ କଲେ ମା' ପ୍ରୀତ ହୋଇଥାନ୍ତି ।"
ଇଟିଭି ଭାରତ, ବାଲେଶ୍ବର