କେନ୍ଦ୍ରାପଡ଼ା: ଜାତୀୟ ରାଜପଥ ସମ୍ପ୍ରସାରଣ ପାଇଁ ଭାଙ୍ଗିଥିଲା ବ୍ୟବସାୟିକ ପ୍ରତିଷ୍ଠାନ । ଏହାସହ ଖୁବଶୀଘ୍ର ଥଇଥାନ କରାଯିବ ବୋଲି ପ୍ରତିଶୃତି ମିଳିଥିଲା । ସମ୍ପ୍ରସାରଣ କାର୍ଯ୍ୟ ଆରମ୍ଭ ହେବାକୁ ପାଖାପାଖି ବର୍ଷେ ହେଲାଣି ହେଲେ ଏଯାବତ ଉଠା ଦୋକାନୀଙ୍କୁ ଥଇଥାନ କରାଯାଇ ପାରୁନାହିଁ । ଯାହାକୁ ନେଇ ଆକ୍ରୋଶ ସୃଷ୍ଟି ହୋଇ ଆନ୍ଦୋଳନ ପନ୍ଥା ଆପଣାଇଛନ୍ତି ବ୍ୟବସାୟୀ । ଫଳସ୍ୱରୂପ ଦୀର୍ଘ ୩ ଘଣ୍ଟାରୁ ଉପରେ ଜାତୀୟ ରାଜପଥରେ ବନ୍ଦହେଲା ଅଖ ଚକ । ପୋଲିସର ହସ୍ତକ୍ଷେପ ପରେ ବାଟ ଖୋଲିଲା, କିନ୍ତୁ ଜିଦରେ ଅଟଳ ରହି ଏପର୍ଯ୍ୟନ୍ତ ଧାରଣାରେ ବସିଛନ୍ତି ବ୍ୟବସାୟୀ ଓ ତାଙ୍କ ପରିବାର ।
- କ'ଣ ରହିଥିଲା ପ୍ରତିଶ୍ରୁତି ?
ଦୈତାରୀ-ପାରାଦ୍ବୀପ ଜାତୀୟ ରାଜପଥର ଅଂଶ ତଥା ଉପକୂଳରୁ ବନ୍ଦରକୁ ଯୋଡୁଥିବା ଚଣ୍ଡିଖୋଲ-ପାରାଦ୍ୱୀପ ୫୩ ନଂ ଜାତୀୟ ରାଜପଥ ସମ୍ପ୍ରସାରଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ଏଥିପାଇଁ ଗତବର୍ଷ (୨୦୨୪) ଜୁନ ୩ ତାରିଖରେ ରାସ୍ତା କଡରେ ଜଳଖିଆ, ଷ୍ଟେସନାରୀ ଓ ଅନ୍ୟାନ୍ୟ ଦୋକାନ କରି ପରିବାର ପ୍ରତିପୋଷଣ କରୁଥିବା ଦୋକାନ ଉଚ୍ଛେଦ କରାଯାଇଥିଲା ।ଏହି ଉଚ୍ଛେଦ ସମୟରେ ଉଠା ଦୋକାନୀଙ୍କୁ ଥଇଥାନ କରାଇବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରତିଶ୍ରୁତି ଦିଆ ଯାଇଥିଲା । ରାସ୍ତାର ଉଭୟ ପାର୍ଶ୍ଵରେ ୪୦ ଜଣ ଉଠା ଦୋକାନୀ ବ୍ୟବସାୟ କରୁଥିବା ବେଳେ ସମ୍ପ୍ରସାରଣ ପାଇଁ ସମସ୍ତେ ଜୀବିକା ହରାଇ ସରକାରୀ ଅଧିକାରୀଙ୍କ ପ୍ରତିଶ୍ରୁତି ପାଳନକୁ ଅପେକ୍ଷା କରିଥିଲେ । ପ୍ରଶାସନିକ ଅଧିକାରୀଙ୍କ ପ୍ରତିଶ୍ରୁତି ମୁତାବକ, 'ରାସ୍ତା ସମ୍ପ୍ରସାରଣ ପାଇଁ ଜୀବିକା ହରାଉଥିବା ବ୍ୟବସାୟୀ ଭାଇଭଉଣୀମାନଙ୍କୁ ରାସ୍ତା କଡରେ ଥିବା ସରକାରୀ ସ୍ଥାନରେ ଅସ୍ଥାୟୀ ବ୍ୟବସାୟ ପ୍ରତିଷ୍ଠାନ କରିବା ଦିଗରେ ସହଯୋଗ କରାଯିବ । ଏହାସହ ରାସ୍ତା କାମ ଶେଷ ହେବା ପରେ ଅନ୍ୟ ସମସ୍ତ କାର୍ଯ୍ୟ ସମାପିତ କରାଯିବ' ବୋଲି କହିଥିଲେ ।
- ଥଇଥାନ ପ୍ରତିଶୃତି ହେଇ ଭାଙ୍ଗିଦେଲେ ଦୋକାନ:
ଏନେଇ ଜଳଖିଆ ଦୋକାନ କରିଥିବା ଗୀତାଞ୍ଜଳି ନାୟକ କହିଛନ୍ତି, "ପାଖାପାଖି ୧୫ ବର୍ଷ ହେବ ଦୋକାନ କରି ଆମ ପରିବାର ଚଳାଉଥିଲୁ । ଆମ ଦୋକାନ ବନ୍ଦ କରିଦିଆଯାଇଛି । ଗତବର୍ଷ ଜୁନ ୩ ତାରିଖରୁ ରାସ୍ତା ପାଇଁ ଦୋକାନ ଭାଙ୍ଗି ଦେଇଛନ୍ତି । ଭାଙ୍ଗିବା ବେଳେ କୁହାଯାଇଥିଲା ଯେ, ଅନ୍ୟ ଯାଗାରେ ଥଇଥାନ କରାଇବେ । କିନ୍ତୁ ଏ ପର୍ଯ୍ୟନ୍ତ ଥଇଥାନ ହେଲା ନାହିଁ । ଏନେଇ ଜିଲ୍ଲାପାଳ ଓ ସ୍ଥାନୀୟ ଥାନା ଅଧିକାରୀଙ୍କୁ ବାରମ୍ବାର ଜଣାଇଛୁ । କିନ୍ତୁ କିଛି ସମାଧାନ ହେଉନାହିଁ । ତେଣୁ ଆଜି ବାଧ୍ୟହୋଇ ଆମେ ରାସ୍ତାରେ ବସିଛୁ ।"
ପ୍ରତିଶ୍ରୁତି ପାଳନ କରିବାରେ ପଛଘୁଞ୍ଚା ଦେଲା ପ୍ରଶାସନ:
"ଗତବର୍ଷ ଜୁନ ମାସ ପ୍ରଥମ ସପ୍ତାହରୁ ଚଳିତ ଜାନୁଆରୀ ମାସ ପର୍ଯ୍ୟନ୍ତ ଦୀର୍ଘ ୮ ମାସ ବିତି ଯାଇଥିଲେ ମଧ୍ୟ ପ୍ରଶାସନ ଏହାର ପ୍ରତିଶ୍ରୁତି ପୁରଣ କରିବାରେ ଅସମର୍ଥ ହୋଇଥିଲା । ତେବେ ଏହାର ପ୍ରତିକାର ପାଇଁ ଏବଂ ପ୍ରଶାସନ ଦେଇଥିବା ପ୍ରତିଶ୍ରୁତି ଅନୁପାଳନ ପାଇଁ ବଜାର କମିଟି ସଦସ୍ୟ, ଜୀବିକା ହରାଇଥିବା ବ୍ୟବସାୟୀମାନେ କେନ୍ଦ୍ରାପଡା ଜିଲ୍ଲାପାଳଙ୍କ ପାଖରେ ଲିଖିତ ଗୁହାରି କରିଥିଲେ । ଜିଲ୍ଲାପାଳ ଘଟଣା ସମ୍ପର୍କରେ ଜିଲ୍ଲା ପୋଲିସ ସହଯୋଗରେ ଅନୁଧ୍ୟାନ କରିବା ପାଇଁ ଦାୟିତ୍ୱ ନ୍ୟସ୍ତ କରିଥିଲେ ହେଁ ବାରମ୍ବାର ତାରିଖ ବଦଳାଇ ସଦର ପୋଲିସ ଉଚ୍ଛେଦ ଓ ଥଇଥାନ ତହସିଲଦାରଙ୍କ କାମ ବୋଲି କହି ଦାବିକୁ ଏଡାଇ ଯାଇଥିଲେ । ପରେ ପୁନର୍ବାର ବ୍ୟବସାୟୀ ଜିଲ୍ଲାପାଳଙ୍କୁ ଭେଟି ଆଜି ଆନ୍ଦୋଳନ ସମ୍ପର୍କରେ ଚେତାବନୀ ଦେଇଥିଲେ ହେଁ ପ୍ରଶାସନ ଏମାନଙ୍କ ଥଇଥାନ ସମ୍ପର୍କରେ କୌଣସି ପଦକ୍ଷେପ ନନେବାରୁ ଆଜି ବାଧ୍ୟ ହୋଇ ଆମେ ଏ ସ୍ଥାନରେ ରାସ୍ତାରୋକ କରିଛୁ ଓ ଆମର ଦାବି ପୂରଣ ନହେବା ଯାଏ ସେହିପରି ବସିଥିବୁ " ବୋଲି କହିଛନ୍ତି ବଜାର କମିଟି ସଭାପତି ପ୍ରଶାନ୍ତ ସାମଲ ।
ଏହା ମଧ୍ୟ ପଢ଼ନ୍ତୁ...ନ୍ୟାୟ ମାଗୁଛନ୍ତି ହୀରାକୁଦ ବିସ୍ଥାପିତ: କେବେ ଥଇଥାନ ଓ କ୍ଷତିପୂରଣ ? ଏହା ମଧ୍ୟ ପଢ଼ନ୍ତୁ...ହଟିଲା କର୍ଫ୍ୟୁ, ତୃତୀୟ ଲାଇନ ରେଳ ଧାରଣା ପାଇଁ ଜବର ଦଖଲ ଉଚ୍ଛେଦ |
- ପ୍ରତିକ୍ରିୟା ରଖିଲେ ସଦର ଥାନା ପୋଲିସ ଅଧିକାରୀ:
ଦୀର୍ଘ ସମୟ ଧରି ଜାତୀୟ ରାଜପଥ ବନ୍ଦ ହୋଇ ପଡିବା କାରଣରୁ ଆନ୍ଦୋଳନକାରୀ ତଥା ରାସ୍ତା ଅବରୋଧକାରୀଙ୍କୁ ବୁଝାଇବାକୁ ଚେଷ୍ଟା କରି ଶେଷରେ ଅପରାହ୍ନରେ ସଫଳ ହୋଇଥିଲା ପୋଲିସ । ଆନ୍ଦୋଳନ ସମ୍ପର୍କରେ ସୂଚନା ଦେଇ ସଦର ଥାନା ଅଧିକାରୀ ବିମଳ ମଲ୍ଲିକ କହିଛନ୍ତି,"ମୁଁ ୩ ମାସ ହେଲା ଏଠାରେ ଆସି ଯୋଗ ଦେଲିଣି । ବଜାର କମିଟି ମଧ୍ୟରେ କିଛି ମନାନ୍ତର ଥିଲା ଓ ଏଠାରେ ଦୁଇ ଦୁଇଜଣ ସଭାପତି ଅଛନ୍ତି ବୋଲି ମୁଁ ଶୁଣିବାକୁ ପାଇଲି । ରାସ୍ତା ସମ୍ପ୍ରସାରଣ ବେଳେ ଦୁହୁରିଆରୁ ଚଣ୍ଡିଖୋଲ ଯିବାର ବାମ ପାର୍ଶ୍ବରେ ଦୋକାନ କରିବାକୁ ନେଇ ସେମାନଙ୍କ ଭିତରେ ବିବାଦ ଉପୁଜିଛି । ଗୋଟିଏ ପକ୍ଷ ରାସ୍ତାରେ ପଡିଥିବା ବାଡକୁ ଉଠାଇବା ଦାବି ନେଇ ଅବରୋଧ କରିଛନ୍ତି । ସେମାନଙ୍କୁ ଆଶ୍ୱାସନା ଦେଇ ଉଭୟ ପକ୍ଷକୁ ଡାକି ସମାଧାନ କରିବା ପାଇଁ କହିବା ପରେ ଯାନବାହନ ଚଳାଚଳ ସ୍ବାଭାବିକ ହୋଇଛି ।"
ଇଟିଭି ଭାରତ, କେନ୍ଦ୍ରାପଡା