ପାଟନା:ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ 'ଏକାଧିକ ସନ୍ତାନ' ମନ୍ତବ୍ୟକୁ ନେଇ ଅଡୁଆରେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ଏଭଳି ବିବାଦୀୟ ମନ୍ତବ୍ୟ ରଖିବା ପରେ ନୀତିଶଙ୍କୁ ଘେରିଛନ୍ତି ଲାଲୁଙ୍କ ପୁଅ ଓ ଝିଅ । ସେପଟେ ଆରଜେଡି ନେତାମାନେ ମଧ୍ୟ ନୀତିଶ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ଦାବି କରିଛନ୍ତି । ନୀତିଶଙ୍କ ଏଭଳି ବ୍ୟକ୍ତିଗତ ମନ୍ତବ୍ୟ ତାଙ୍କୁ ନିର୍ବାଚନ ଜିତିବାରେ କୌଣସି ସହାୟତା କରିବନି କି ରାଜ୍ୟବାସୀଙ୍କୁ କୌଣସି ଲାଭ ମିଳିବନି ବୋଲି ପୁଅ ତେଜସ୍ବୀ ଓ ଝିଅ ମିଶା ଭାରତୀ କହିଛନ୍ତି ।
ଲାଲୁଙ୍କ ବଡ଼ ଝିଅ ମିଶା ଭାରତୀ ଯିଏକି ପାଟଳିପୁତ୍ରରୁ ତୃତୀୟ ଥର ଲାଗି ନିର୍ବାଚନ ଲଢୁଥିବା ବେଳେ ନୀତିଶଙ୍କ ଏଭଳି ମନ୍ତବ୍ୟକୁ ସେ ଦୃଢ ନିନ୍ଦା କରିଛନ୍ତି । ଏନେଇ ସେ କହିଛନ୍ତି, " ନୀତିଶ କୁମାରଙ୍କୁ ଆଉ କଣ କହିବି ! ଏହି ଘଟଣା ବିହାରବାସୀ ନିଜ ବିଚାରକୁ ନିଅନ୍ତୁ । ଯେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପରିବାରବାଦ ଉପରେ କହିବା ବନ୍ଦ କରିଛନ୍ତି, ସେତେବେଳେ ନୀତିଶ ଏହା ଉପରେ କହୁଛନ୍ତି ।" ସେପଟେ ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ କହିଛନ୍ତି, "ନୀତିଶ ଜଣେ ବରିଷ୍ଠ ବ୍ୟକ୍ତି । କୌଣସି ବିଷୟ ଉପରେ କହିବାର ତାଙ୍କ ନିକଟରେ ଅଧିକାର ରହିଛି । ମୁଁ ତାଙ୍କ ମନ୍ତବ୍ୟକୁ ଆଶୀର୍ବାଦ ଭାବେ ଗ୍ରହଣ କରୁଛି । ହେଲେ ଗୋଟିଏ ପ୍ରଶ୍ନ ଏଭଳି ବ୍ୟକ୍ତିଗତ ମନ୍ତବ୍ୟରୁ ରାଜ୍ୟବାସୀଙ୍କୁ କଣ ଲାଭ ମିଳିବ ? ନିର୍ବାଚନ ସମୟରେ ଏଭଳି ମନ୍ତବ୍ୟଠୁ ଦୂରେଇ ରହିବା ଆବଶ୍ୟକ ।"
ଏହା ବି ପଢନ୍ତୁ- ଜନସଂଖ୍ୟା ନିୟନ୍ତ୍ରଣ ପ୍ରସଙ୍ଗରେ କହୁ କହୁ ସଞ୍ଜମତା ଭୁଲିଗଲେ ନୀତିଶ, ଆପତ୍ତିଜନକ ଶବ୍ଦକୁ ନେଇ ବିବାଦ
ତେଜସ୍ବୀ ଆହୁରି କହିଛନ୍ତି ଯେ ନିର୍ବାଚନ ସମୟରେ ବେରୋଜଗାର, ନିଯୁକ୍ତି, ବିକାଶ, ଦରଦାମ ବୃଦ୍ଧି ଉପରେ ଆଲୋଚନା କରିବା ଆବଶ୍ୟକ । ଏଭଳି ବ୍ୟକ୍ତିଗତ ମନ୍ତବ୍ୟଠୁ ଦୂରେଇ ରହିବା ଉଚିତ । ଏଭଳି ମନ୍ତବ୍ୟ କୌଣସି ପ୍ରକାର ସୁଲଭ ରାଜ୍ୟବାସୀଙ୍କୁ ଦେବ ନାହିଁ । ସେପଟେ ଆରଜେଡି ମୁଖପାତ୍ର କାଞ୍ଚନା ଯାଦବ କହିଛନ୍ତି, " ନିର୍ବାଚନରେ ହାରିବା ଭଯରେ ନୀତିଶଜୀ ଏଭଳି ଶସ୍ତା ମନ୍ତବ୍ୟ ଦେଉଛନ୍ତି ।" ନୀତିଶଙ୍କୁ ପ୍ରଶ୍ନ କରି କାଞ୍ଚନା କହିଛନ୍ତି, " ନୀତିଶଜୀ ଯଦି ବିଜେପି ଆପଣଙ୍କ ଦଳକୁ ଶେଷ କରିବାକୁ ଚାହୁଁଛି, ମୋଦିଜୀ ଯଦି ଆପଣଙ୍କୁ ନିଜ ମଞ୍ଚରୁ ହଟାଇ ଦେଉଛନ୍ତି, ତେବେ ଏହି କ୍ରୋଧ ଲାଲୁଜୀଙ୍କ ଉପରେ ବାହାର କରୁଛନ୍ତି କାହିଁକି ? ଏନଡିଏ ମେଣ୍ଟର ସମସ୍ତ ନେତା ପରାଜୟ ଭୟରେ ଦେବାଳିଆ ହୋଇପଡ଼ିଛନ୍ତି ।"
ଅନ୍ୟପଟେ ଲାଲୁଙ୍କ ବୋହୂ କାନ୍ତି ସିଂ ଓ ଆରଜେଡି ନେତ୍ରୀ ଅଦିତ କୁମାର ମଧ୍ୟ ଟ୍ବିଟ କରି ନୀତିଶଙ୍କ ଉପରେ ବର୍ଷିଛନ୍ତି । ଅଦିତି କହିଛନ୍ତି, "ସୌଭାଗ୍ୟବଶତଃ ଇଣ୍ଡିଆ ମେଣ୍ଟ ନୀତିଶ କୁମାରଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରିନାହିଁ, ନଚେତ ନୀତିଶ ଏଭଳି ମନ୍ତବ୍ୟ ରଖି ସାରା ବିଶ୍ବରେ ଭାରତକୁ ଅପମାନିତ କରିଥାନ୍ତେ ।" ସେହିପରି ଆରଜେଡି ମୁଖପାତ୍ର ସାରିକା ପାସୱାନ କହିଛନ୍ତି, " ଆରଜେଡି ସୁପ୍ରିମୋଙ୍କ ପୁଅ ତେଜସ୍ବୀଙ୍କୁ ନେଇ ଈର୍ଷାନ୍ବିତ ଅଛନ୍ତି ନିତିଶ ।"
ସୂଚନା ଥାଉ କି ଶନିବାର କଟିହାରରେ ଏକ ଜନସଭାରେ ଯୋଗଦେଇ ଏପରି ବିବାଦୀୟ ମନ୍ତବ୍ୟ ରଖିଥିଲେ ନିତିଶ କୁମାର । ଲାଲୁ ଯାଦବ ରାଜନୀତିରେ ତାଙ୍କ ସନ୍ତାନଙ୍କୁ ଆଣୁଛନ୍ତି ବୋଲି ସେ ଅଭିଯୋଗ କରିଥିଲେ । ଏନେଇ କହିଥିଲେ, " ଜଣେ ବ୍ୟକ୍ତିଙ୍କ କାହିଁକି ଏତେ ସନ୍ତାନ ? ପ୍ରଥମେ ରାଜନୀତିରେ ପୁଅକୁ ଆଣିଲେ, ଏବେ ଝିଅମାନଙ୍କ ପାଳି । ଝିଅମାନଙ୍କୁ ଏବେ ପ୍ରମୋଟ କରିବାରେ ଲାଗିଛନ୍ତି ।"
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ