ନୂଆଦିଲ୍ଲୀ: ଆସନ୍ତାକାଲି ପ୍ରକାଶ ପାଇବ ସାଧାରଣ ନିର୍ବାଚନ ୨୦୨୪ର ଜନାଦେଶ ।ଲୋକସଭା ନିର୍ବାଚନ ଫଳାଫଳ ପୂର୍ବରୁ ଭାରତୀୟ ନିର୍ବାଚନ କମିଶନରଙ୍କ ପ୍ରେସମିଟ । 'ଚଳିତ ବର୍ଷ ଭୋଟିଂରେ ବିଶ୍ବ ରେକର୍ଡ କରିଛି ଭାରତ । ମୋଟ 64.2 କେଟି ଭୋଟର ନିଜର ମତସାବ୍ୟସ୍ତ କରି ଏହି ରେକର୍ଡ କରିଛନ୍ତି । ଯାହା G7 ଦେଶର ମୋଟ ମତଦାତାଙ୍କ ଠାରୁ ଭାରତରେ 1.5 ପ୍ରତିଶତ ଅଧିକ ଭୋଟର୍ । 2019 ଅପେକ୍ଷା ଚଳିତ ବର୍ଷ ଦେଶରେ ମହିଳା ମତଦାତାଙ୍କ ସଂଖ୍ୟା ବୃଦ୍ଧି ହୋଇଛି ।' ମୋଟ 312 ମିଲିୟନ ମହିଳା ଭୋଟ ଦେଇଥିବା କହିଛନ୍ତି ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର । ନିର୍ବାଚନରେ ବିପୁଳ ମାତ୍ରାରେ ଭୋଟ ଦେଇଥିବାରୁ ସମସ୍ତ ଭୋଟରଙ୍କୁ ଧନ୍ୟବାଦ ଜଣାଇଥିଲେ ।
ନିର୍ବାଚନୀ ପ୍ରକ୍ରୀୟାରେ 68,000 ରୁ ଅଧିକ ମନିଟରିଂ ଦଳ, 1.5 କୋଟି ଭୋଟର ଏବଂ ସୁରକ୍ଷା କର୍ମୀ ସାମିଲ ହୋଇଥିଲେ । ସୋସିଆଲ ମିଡିଆରେ ନିର୍ବାଚନ କମିଶନରଙ୍କୁ ଲାପତା ଜେଣ୍ଟଲମ୍ୟାନ କୁହାଯାଇଥିବା ମିମ୍ସକୁ ନେଇ ମତ ରଖିଥିଲେ ରାଜୀବ କୁମାର । ''ଆମେ ସବୁବେଳେ ଏଠାରେ ଥିଲୁ, କେବେ ବି ଅଦୃଶ୍ୟ ହୋଇନଥିଲୁ । ଏବେ ମେମରେ କହିପାରନ୍ତି କି ଯେ ଲାପତା ଜେଣ୍ଟଲମ୍ୟାନ ଫେରି ଆସିଛନ୍ତି । 2024 ଲୋକସଭା ନିର୍ବାଚନ ପାଇଁ ପ୍ରାୟ ଚାରି ଲକ୍ଷରୁ ଉର୍ଦ୍ଧ୍ବ ଗାଡି ବ୍ୟବହାର ହୋଇଛି । ସେହିପରି 135 ଟି ସ୍ୱତନ୍ତ୍ର ଟ୍ରେନ୍ ଏବଂ 1,692 ବିମାନ ଉଡାଣ କରାଯାଇଥିଲା ।