କୋଲକାତା:ଘଟଣାସ୍ଥଳ ପରିଦର୍ଶନ କଲେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ରଙ୍ଗପାଣି ଷ୍ଟେସନ ନିକଟରେ ବୁଲି ଦେଖିବା ସହ ସ୍ଥିତି ଅନୁଧ୍ୟାନ କରିଛନ୍ତି ରେଳମନ୍ତ୍ରୀ । ଦିଲ୍ଲୀରୁ ବିମାନ ଯୋଗେ ଆସିବା ପରେ ବାଗଦୋଗ୍ରାରେ ପହଞ୍ଚିଥିଲେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ସେଠାରୁ ବାଇକ ଯୋଗେ ଘଟଣାସ୍ଥଳରେ ପହଞ୍ଚିଥିଲେ ରେଳମନ୍ତ୍ରୀ । ଏହାସହ ଦୁର୍ଘଟଣାରେ ଆହତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବ୍ୟକ୍ତିଙ୍କୁ ଭେଟି ସ୍ବାସ୍ଥ୍ୟବସ୍ଥା ସମ୍ପର୍କରେ ପଚାରି ବୁଝିଛନ୍ତି । ସେପଟେ ଦୁର୍ଘଟଣା ପଛରେ ମାନବୀୟ ତ୍ରୁଟି ଦର୍ଶାଇଛି ରେଳବାଇ ।
ସେପଟେ ଦୁର୍ଘଟଣାକୁ ନେଇ ରେଳମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି ବିରୋଧୀ । କଂଗ୍ରେସ ସାସଂଦ ରାହୁଲ ଗାନ୍ଧୀ ବିଜେପିକୁ ଟାର୍ଗେଟ୍ କରିଛନ୍ତି । ସେହିପରି AICC ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି, "ଏହା ରେଳ ବିଭାଗର ପରିଚାଳନାଗତ ତ୍ରୁଟିକୁ ଦର୍ଶାଇଛି । ମୋଦି ସରକାର କ୍ୟାମେରାରେ ନିଜର ପ୍ରମୋସନ କରିବାରେ ବ୍ୟସ୍ତ । ଆଜିର ଏହି ଦୁଃଖଦ ଘଟଣା ସରକାରର ବାସ୍ତବତାକୁ ପଦାରେ ପକାଇଛି ।" ସେହିପରି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ କେନ୍ଦ୍ରର ଅବହେଳା ଦର୍ଶାଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି । ତେବେ ବିରୋଧୀଙ୍କ ଏହି ଟାର୍ଗେଟ୍ ପରେ ପ୍ରତିକ୍ରିୟା ରଖିଛନ୍ତି ରେଳମନ୍ତ୍ରୀ । "ଏହା ରାଜନୀତି କରିବାର ସମୟ ନୁହେଁ"ବୋଲି କହିଛନ୍ତି ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ।