ଓଡିଶା

odisha

କୋଲକାତାରେ ଚାଞ୍ଚଲ୍ୟ: ସରକାରୀ ହସ୍ପିଟାଲରେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା - JUNIOR DOCTOR RAPED IN KOLKATA

By ETV Bharat Odisha Team

Published : Aug 10, 2024, 5:45 PM IST

Junior Doctor Raped in Kolkata: ସରକାରୀ ହସ୍ପିଟାଲରେ କନିଷ୍ଠ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା । ସେମିନାର ହଲରୁ ମିଳିଲା କ୍ଷତାକ୍ତ ମୃତଦେହ । ଧାରଣାରେ ମେଡିକାଲ ଷ୍ଟାଫ । ମମତାଙ୍କୁ ଘେରିଲେ ବିରୋଧୀ । ଅଧିକ ପଢନ୍ତୁ

କୋଲକାତାରେ ଚାଞ୍ଚଲ୍ୟ: ସରକାରୀ ହସ୍ପିଟାଲରେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା
କୋଲକାତାରେ ଚାଞ୍ଚଲ୍ୟ: ସରକାରୀ ହସ୍ପିଟାଲରେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା (ETV Bharat Odisha)

କୋଲକାତା:ଏକ ସରକାରୀ ହସ୍ପିଟାଲରେ ଜଣେ କନିଷ୍ଠ ମହିଳାଙ୍କୁ ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଛି । ମେଡିକାଲ କଲେଜର ସେମିନାର ହଲରୁ ମହିଳା ଡାକ୍ତରଙ୍କ ଅର୍ଦ୍ଧନଗ୍ନ କ୍ଷତାକ୍ତ ମୃତଦେହ ଉଦ୍ଧାର କରାଯିବା ପରେ ଏହା ଏକ ଦୁଷ୍କର୍ମ ଓ ହତ୍ୟାକାଣ୍ଡ ବୋଲି ଜଣାପଡିଛି । ପୋଲିସ ଜଣେ ଅଭିଯୁକ୍ତକୁ ଗିରଫ କରିଛି । ଘଟଣା ସମ୍ପର୍କରେ ଜଣାପଡିବା ପରେ ଡାକ୍ତର ଓ ମେଡିକାଲ ଷ୍ଟାଫମାନେ କାର୍ଯ୍ୟବନ୍ଦ କରି ଧାରଣାରେ ବସିଛନ୍ତି । ସରକାରୀ ହସ୍ପିଟାଲ ଭିତରେ ଜଣେ କାର୍ଯ୍ୟରତ ମହିଳା ଡାକ୍ତରଙ୍କ ସହ ଏପରି ଜଘନ୍ୟ କାଣ୍ଡ ଏବେ ପୁଣି ଥରେ ପଶ୍ଚିମବଙ୍ଗର ବିପର୍ଯ୍ୟସ୍ତ ସୁରକ୍ଷା ବ୍ୟବସ୍ଥାକୁ ପ୍ରଶ୍ନଘେରକୁ ଟାଣିଛି ।

ସରକାରୀ ହସ୍ପିଟାଲରେ କନିଷ୍ଠ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା (ETV Bharat Odisha)

ସ୍ଥାନୀୟ ପୋଲିସର ସୂଚନା ଅନୁସାରେ, 31 ବର୍ଷୀୟ ପୀଡିତା କନିଷ୍ଠ ଡାକ୍ତର ଜଣକ କୋଲକାତାର ଆର.ଜି କର ହସ୍ପିଟାଲ ଓ ମେଡିକାଲ କଲେଜରେ ସ୍ନାତକୋତ୍ତର ମେଡିକାଲ ଛାତ୍ରୀ ଥିଲେ । ଗତକାଲି ରାତିରେ ସେ ହସ୍ପିଟାଲରେ କାର୍ଯ୍ୟରତ ଥିଲେ । ଆଜି ସକାଳୁ ସେମିନାର ହଲରୁ ତାଙ୍କ ଅର୍ଦ୍ଧନଗ୍ନ,କ୍ଷତାକ୍ତ ମୃତଦେହ ଉଦ୍ଧାର ହୋଇଥିଲା । ଖବର ପାଇ ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ବ୍ୟବଚ୍ଛେଦ ରିପୋର୍ଟରୁ ତାଙ୍କ ସହ ଦୁଷ୍କର୍ମ ହୋଇଥିବା ସ୍ପଷ୍ଟ ହୋଇଛି । ଢିଲା ସୁରକ୍ଷା ବ୍ୟବସ୍ଥାର ସୁଯୋଗ ନେଇ ଦୁର୍ବୃତ୍ତ ହସ୍ପିଟାଲ ଓ୍ବାର୍ଡରେ ପଶି ରାତିରେ ଦାୟିତ୍ବରେ ଥିବା ଡାକ୍ତରଙ୍କ ସହ ଏପରି କରିଥିବା ପାରିପାର୍ଶ୍ବିକ ସ୍ଥିତିରୁ ଜଣାପଡିଛି । ହସ୍ପିଟାଲର ଡାକ୍ତର ଓ ପାରା ମେଡିକାଲ ଷ୍ଟାଫମାନେ କାର୍ଯ୍ୟବନ୍ଦ ଧାରଣା ଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ:- ଝିଅମାନଙ୍କୁ ବିନ୍ଦି ଓ ତିଳକ ଲଗାଇବାକୁ ବ୍ୟାନ କରିବେ କି ? କାହିଁକି ଏମିତି କହିଲେ ସୁପ୍ରିମକୋର୍ଟ - Supreme Court on hijab ban

କୋଲକାତା ପୋଲିସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଏହି ଘଟଣାକୁ ଗମ୍ଭୀରତାର ସହ ନିଆଯାଇଛି । ଜଣେ ବରିଷ୍ଠ ପୋଲିସ୍‌ ଅଧିକାରୀଙ୍କ ନେତୃତ୍ବରେ ଗଠିତ ସ୍ବତନ୍ତ୍ର ଅନୁସନ୍ଧାନକାରୀ ଟିମ (ଏସଆଇଟି) ଏହାର ତଦନ୍ତ କରୁଛି । ଏଥିରେ ଏପର୍ଯ୍ୟନ୍ତ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଛି । ଘଟଣାରେ ଯେକେହି ବି ସମ୍ପୃକ୍ତ ଥିବେ ସମସ୍ତଙ୍କୁ ଗିରଫ କରାଯିବ । ସେପଟେ ବିରୋଧୀମାନେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ ବର୍ଷିଛନ୍ତି । ପଶ୍ଚିମବଙ୍ଗରେ ସୁରକ୍ଷା ବ୍ୟବସ୍ଥା ଭୁଶୁଡି ପଡିଥିବା ସେମାନେ ଅଭିଯୋଗ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details