ହାଇଦ୍ରାବାଦ: ଗରିବଙ୍କ ମସିହା କହୁଥିବା ବଲିଉଡ ଅଭିନେତା ସୋନୁ ସୁଦଙ୍କ ବଢିଲା ଅଡୁଆ । ଅଭିନେତା ଆଇନଗତ ମାମଲାରେ ଛନ୍ଦି ହୋଇଛନ୍ତି । ଖୁବଶୀଘ୍ର ଗିରଫ ହୋଇପାରନ୍ତି ସୋନୁ ସୁଦ । ସୂଚନା ଅନୁସାରେ, ଏକ ଠକେଇ ମାମଲାରେ ଅଭିନେତା ସୋନୁ ସୁଦଙ୍କ ବିରୋଧରେ ପଞ୍ଜାବର ଏକ କୋର୍ଟ ଗିରଫ ପରୱାନା ଜାରି କରିଛନ୍ତି । ଲୁଧିଆନା ଜୁଡିସିଆଲ୍ ମାଜିଷ୍ଟ୍ରେଟ୍ ରମଣପ୍ରୀତ କୌର ଏହି ୱାରେଣ୍ଟ ଜାରି କରିଛନ୍ତି ।
ସୋନୁ ସୁଦଙ୍କ ନାଁରେ ଗିରଫ ୱାରେଣ୍ଟ ଜାରି
ଏହି ମାମଲାଟି ଲୁଧିଆନାର ଓକିଲ ରାଜେଶ ଖନ୍ନାଙ୍କ ଦ୍ୱାରା ମୋହିତ ଶୁକ୍ଳା ନାମକ ଜଣେ ବ୍ୟକ୍ତିଙ୍କ ବିରୋଧରେ ଦାୟର କରାଯାଇଥିବା ୧୦ ଲକ୍ଷ ଟଙ୍କାର ଠକେଇ ସହ ଜଡିତ, ଯେଉଁଥିରେ ସେ ଦାବି କରିଥିଲେ ଯେ ତାଙ୍କୁ ରିଜିକା କଏନରେ ନିବେଶ କରିବାକୁ ପ୍ରଲୋଭିତ କରାଯାଇଥିଲା । ଏହି ରିଜିକା କଏନ କମ୍ପାନୀର ବ୍ରାଣ୍ଡ ଆମ୍ୱାସାଡର ଥିଲେ ସୋନୁ ସୁଦ । କମ୍ପାନୀ ପକ୍ଷରୁ ଏକ ବୈଠକ ଲୁଧିଆନାର ରେଡିସନ ବ୍ଲୁ ହୋଟେଲରେ ଅନୁଷ୍ଠିତ ହୋଇଥିଲା, ଯେଉଁଠାରେ ରିଜିକା କଏନରେ କମ୍ପାନୀର ବ୍ରାଣ୍ଡ ଆମ୍ବାସାଡର ସୋନୁ ସୁଦଙ୍କ ସମେତ ଅନେକ ତାରକା ଯୋଗ ଦେଇଥିଲେ ।
10ଲକ୍ଷ ଠକେଇ ମାମଲାରେ କାର୍ଯ୍ୟାନୁଷ୍ଠାନ
ଅଭିଯୋଗକାରୀଙ୍କ ଓକିଲଙ୍କ ଅନୁଯାୟୀ, କମ୍ପାନୀ ତାଙ୍କ କ୍ଲାଏଣ୍ଟଙ୍କଠାରୁ ବିଭିନ୍ନ ଆଇଡି ମାଧ୍ୟମରେ 12,500 ନିବେଶ କରିଥିଲା । ଯାହାର ମୂଲ୍ୟ ପ୍ରାୟ ୧୦ ଲକ୍ଷ ଟଙ୍କା । ଏହି ଘଟଣା ୨୦୨୧ ମସିହାର । କମ୍ପାନୀ ଦାବି କରାଯାଇଥିଲା ଯେ ସେ ତିନି ବର୍ଷ ମଧ୍ୟରେ ତାଙ୍କ ଟଙ୍କାକୁ ଦୁଇଗୁଣ କିମ୍ବା ତିନିଗୁଣ କରିବେ, କିନ୍ତୁ ଯେତେବେଳେ ଅଭିଯୋଗକାରୀ ଟଙ୍କା ଫେରସ୍ତ ମାଗିଲେ, କମ୍ପାନୀ ବିଳମ୍ବ କରିବାକୁ ଲାଗିଲା । ସେ ପ୍ରଥମେ ଏ ବିଷୟରେ ପୋଲିସରେ ଅଭିଯୋଗ କରିଥିଲେ, କିନ୍ତୁ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନ ନେବାରୁ ସେ କୋର୍ଟର ଦ୍ୱାରସ୍ଥ ହୋଇଥିଲେ । ଏହା ପରେ ଏହି ମାମଲାରେ ସୋନୁ ସୁଦଙ୍କୁ ସାକ୍ଷ୍ୟ ଦେବା ପାଇଁ କୋର୍ଟକୁ ଡକାଯାଇଥିଲା, କିନ୍ତୁ ସେ ହାଜର ହୋଇନଥିଲେ, ଯାହା ଫଳରେ ଗିରଫ ପରୱାନା ଜାରି କରାଯାଇଥିଲା । ଲୁଧିଆନା କୋର୍ଟ ତାଙ୍କ ଆଦେଶରେ ସୋନୁ ସୁଦଙ୍କୁ ଗିରଫ କରିବାକୁ ମୁମ୍ବାଇର ପୋଲିସଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ପରବର୍ତ୍ତୀ ଶୁଣାଣି ଫେବୃଆରୀ ୧୦ ତାରିଖରେ ହେବ
ଏହି ୱାରେଣ୍ଟକୁ ମୁମ୍ବାଇର ଅନ୍ଧେରୀ ପଶ୍ଚିମର ଓଶିୱାରା ପୋଲିସ ଷ୍ଟେସନକୁ ପଠାଯାଇଛି । ଏଥିରେ, ଅଭିନେତାଙ୍କୁ ଗିରଫ କରି କୋର୍ଟରେ ହାଜର କରିବାକୁ ସେମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । କୋର୍ଟ ଆଦେଶରେ କୁହାଯାଇଛି, "ସୋନୁ ସୁଦଙ୍କୁ ବିଧିବଦ୍ଧ ଭାବରେ ସମନ କିମ୍ବା ୱାରେଣ୍ଟ ଜାରି କରାଯାଇଛି କିନ୍ତୁ ସେ ହାଜର ହୋଇନାହାଁନ୍ତି । ଆପଣଙ୍କୁ ସୋନୁ ସୁଦଙ୍କୁ ଗିରଫ କରି କୋର୍ଟରେ ହାଜର କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।" ମାମଲାର ପରବର୍ତ୍ତୀ ଶୁଣାଣି ଫେବୃଆରୀ ୧୦ ତାରିଖରେ ହେବ ।
ଏହା ମଧ୍ୟ ପଢନ୍ତୁ: ରିଲ୍ ଭିଲେନ ରିୟଲ ଲାଇଫର ହିରୋ, କୋରୋନା ପରଠୁ ସାଜିଲେ ଲୋକଙ୍କ ମସିହା
ସୋନୁ ସୁଦଙ୍କ ୱାର୍କପ୍ରଣ୍ଟ ବିଷୟରେ କହିବାକୁ ଗଲେ, ଆଜିକାଲି ଅଭିନେତା ଜାନୁଆରୀ ୧୦ରେ ମୁକ୍ତିଲାଭ କରିଥିବା ତାଙ୍କର ଫିଲ୍ମ 'ଫତେହ' ପାଇଁ ଚର୍ଚ୍ଚାରେ ଅଛନ୍ତି । ଏହା ଏକ ଆକ୍ସନ୍ ଥ୍ରୀଲର୍ ଫିଲ୍ମ। ଏହି ଫିଲ୍ମଟି କରୋନା ମହାମାରୀ ସମୟରେ ଘଟିଥିବା ସାଇବର ଅପରାଧ ଉପରେ ଆଧାରିତ ଏବଂ ଏହା ପ୍ରକୃତ ଘଟଣା ଦ୍ୱାରା ଅନୁପ୍ରାଣିତ ବୋଲି କୁହାଯାଉଛି । ସୋନୁ ଏହି ଫିଲ୍ମରେ କେବଳ ମୁଖ୍ୟ ଭୂମିକାରେ ଅଭିନୟ କରୁନାହାଁନ୍ତି, ବରଂ ସେ ଏହାର ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି । ଏହି ଫିଲ୍ମଟି ଦର୍ଶକଙ୍କଠାରୁ ମିଶ୍ରିତ ପ୍ରତିକ୍ରିୟା ପାଉଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ