ପାଟନା:ବିହାରରେ ମହାମେଣ୍ଟ ସମର୍ଥିତ ସରକାର ଭାଙ୍ଗି ବିଜେପି ଓ ‘ହାମ’ ସମର୍ଥନରେ ନୀତିଶଙ୍କ ଜେଡିୟୁ ପୁଣି ସରକାର ଗଠନ କଲା । ମୁଖ୍ୟମନ୍ତ୍ରୀ ଭାବେ 9ମ ଥର ଶପଥ ନେଲେ ନୀତିଶ କୁମାର । 12 ତାରିଖରେ ନୀତିଶ ଗୃହରେ ସଂଖ୍ୟାବହୁମତର ପ୍ରମାଣ ଦେବାକୁ ଯାଉଛନ୍ତି । ଏହା ପୂର୍ବରୁ ଅସନ୍ତୋଷ ସାମାନ୍ୟ ତେଜୁଥିବାର ଗନ୍ଧ ଆସୁଛି । ମାତ୍ର 4 ବିଧାୟକ ସହ ନୀତିଶ ସରକାରରେ ସହଯୋଗୀ ଦଳ ହୋଇଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ଜୀତନରାମ ମାଞ୍ଝୀଙ୍କ ଦଳ ‘ହିନ୍ଦୁସ୍ଥାନ ଆଓ୍ବାମ ମୋର୍ଚ୍ଚା’ ଦୁଇଟି ମନ୍ତ୍ରୀ ପଦ ପାଇଁ ଦାବି କରିଛି । ପୂର୍ବରୁ ଜୀତନଙ୍କ ପୁଅ ସନ୍ତୋଷ ସୁମନ ମନ୍ତ୍ରୀପଦ ପାଇଛନ୍ତି । ହେଲେ ଦଳ ଗୋଟିଏ ନୁହେଁ ବରଂ ଅତିକମରେ ଦୁଇଟି ମନ୍ତ୍ରୀପଦ ଚାହୁଁଥିବା ନିଜେ ଜୀତନ ସ୍ପଷ୍ଟ କରିଛନ୍ତି । ଏପରିକି ସେ ଗଣମାଧ୍ୟମ ପ୍ରତିକ୍ରିୟାରେ କହିଛନ୍ତି,‘‘ଗୋଟିଏ ରୁଟିରେ ପେଟ ପୁରୁନି, ସେଥିପାଇଁ ଦୁଇଟି ରୁଟି ମାଗୁଛୁ ।’’
ଆଜି ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିବା ବେଳେ ଜୀତନଙ୍କ ଅସନ୍ତୋଷ ସ୍ପଷ୍ଟ ବାରି ହୋଇପଡୁଥିଲା । ସେ କହିଥିଲେ, ଏହି ପ୍ରସଙ୍ଗରେ ଗଣମାଧ୍ୟମରେ କହିବାର ଆବଶ୍ୟକ ନାହିଁ । ଏହି କଥା ସେ ମେଣ୍ଟରେ ମଧ୍ୟ ସ୍ପଷ୍ଟ କରିସାରିଛନ୍ତି । ଯଦି ଗୋଟିଏ ରୋଟିରେ ପେଟ ନଭରିବ, ତେବେ ଦୁଇଟି ରୋଟି ମାଗିବାରେ କୌଣସି ଅସ୍ବାଭାବିକତା ମଧ୍ୟ ନାହିଁ । ସେ ଏକଥା ଦଳରେ ସ୍ପଷ୍ଟ କରିସାରିଛନ୍ତି । ତାଙ୍କୁ ଗୋଟିଏ ମନ୍ତ୍ରୀ ପଦ ମିଳିଛି । ତାହା ବି ପାରମ୍ପରିକ ବିଭାଗ । ପୂର୍ବରୁ ତାଙ୍କୁ ଯେଉଁ ବିଭାଗ ମିଳିଥିଲା, ଏବେ ପୁଅ ସନ୍ତୋଷଙ୍କୁ ସେହି ବିଭାଗ ମିଳିଛି । ଅନ୍ୟ କିଛି ବିଭାଗ ସହ ଅତିକମରେ ଦୁଇଟି ମନ୍ତ୍ରୀପଦ ମିଳିବା ଆବଶ୍ୟକ ବୋଲି ସେ ଦାବି କରିଛନ୍ତି ।