ନୂଆଦିଲ୍ଲୀ:ଗତକାଲି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ବିରୋଧୀଙ୍କ ‘ଇଣ୍ଡିଆ’ ମେଣ୍ଟ ସହ ସମ୍ପର୍କ ଛିନ୍ନ କରି ବିଜେପି ସମର୍ଥନରେ ସରକାର ଗଠନ କରିଛନ୍ତି । ଏହାକୁ ବିଭିନ୍ନ ‘ଇଣ୍ଡିଆ’ ସହଯୋଗୀ ଦଳର ନେତାମାନେ ସମାଲୋଚନା କରିବାରେ ଲାଗିଛନ୍ତି । ମେଣ୍ଟର ଅନ୍ୟତମ ବରିଷ୍ଠ ନେତା ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ମଧ୍ୟ ନୀତିଶଙ୍କ ଏହି ପଦକ୍ଷେପକୁ ନାପସନ୍ଦ କରିଛନ୍ତି । ନୀତିଶ ଇଣ୍ଡିଆ ମେଣ୍ଟରୁ ଓହରି ବିଜେପି ସହ ମେଣ୍ଟ କରିବା ଠିକ ହୋଇନି । ନୀତିଶଙ୍କର ଏପରି ଆଚରଣ ଲୋକତନ୍ତ୍ର ପାଇଁ ଶୁଭଙ୍କର ନୁହେଁ ବୋଲି କେଜ୍ରିଓ୍ବାଲ କହିଛନ୍ତି ।
କେଜ୍ରିଓ୍ବାଲ କହିଛନ୍ତି, ‘‘ମୋ ମତରେ ଏପରି କରିବା ଆଦୌ ଉଚିତ ହୋଇନି । ନୀତିଶଙ୍କୁ ‘ଇଣ୍ଡିଆ’ ମେଣ୍ଟ ଛାଡି ଯିବାର ନଥିଲା । ଏମିତି କରିବା ଲୋକତନ୍ତ୍ର ପାଇଁ ଶୁଭଙ୍କର ନୁହେଁ । ଏପରି ପଦକ୍ଷେପରେ ଏନଡିଏ ମେଣ୍ଟ ପାଇଁ କ୍ଷତି ହେବ ଓ ଇଣ୍ଡିଆ ମେଣ୍ଟକୁ ଫାଇଦା ହେବ ।’’ ଗତକାଲି ଏହି ନିଷ୍ପତ୍ତିକୁ କଂଗ୍ରେସ ଓ ସମାଜବାଦୀ ପାର୍ଟି ସମାଲୋଚନା କରିଥିଲେ । ନୀତିଶ ବିଜେପିର ଷଡଯନ୍ତ୍ରରେ ଶିକାର ହୋଇଛନ୍ତି ବୋଲି ଅଖିଳେଶ ଯାଦବ କହିଥିଲେ ।
ଦେଶର ଭାବି ପ୍ରଧାନମନ୍ତ୍ରୀଙ୍କୁ ବିଜେପି ଷଡଯନ୍ତ୍ର କରି ମୁଖ୍ୟମନ୍ତ୍ରୀରେ ସୀମିତ ରଖିଦେଲା । ବିଜେପି ଲୋକସଭା ନିର୍ବାଚନ ହାରିବା ଭୟରେ ଏପରି କରିଛି ବୋଲି ଅଖିଳେଶ କହିଥିଲେ । କଂଗ୍ରେସ ହାଇକମାଣ୍ଡ ମଲ୍ଲିକାର୍ଜୁନ ଖଡଗେ ମଧ୍ୟ ଏହି ପ୍ରସଙ୍ଗରେ ସେ ପୂର୍ବରୁ ସୂଚନା ପାଇଥିଲେ ବୋଲି କହିଥିଲେ । ହେଲେ ସେ ଇଣ୍ଡିଆ ମେଣ୍ଟର ଏକତା ବଜାୟ ରଖିବା ପାଇଁ ଚାହୁଁଥିଲେ, ଯାହା ପାଇଁ ସେ ଚୁପ ଥିଲେ ବୋଲି ଖଡଗେ କହିଥିଲେ । ଆଜି କେଜ୍ରିଓ୍ବାଲ ନୀତିଶଙ୍କ ଏପରି ଆଚରଣ ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ ବୋଲି କହିଛନ୍ତି ।