ବୌଦ୍ଧ: ଜାତୀୟ ସ୍ତରୀୟ କ୍ରୀଡାରେ ରୌପ୍ୟ ପଦକ ହାସଲ କରି ଘରକୁ ଫେରିଛନ୍ତି ଓଡ଼ିଆ ପୁଅ ପ୍ରତୀକ ଦାସ । ଉତ୍ତରାଖଣ୍ଡ ଠାରେ ଅନୁଷ୍ଠିତ 38 ତମ ଜାତୀୟ କ୍ରୀଡାରେ ଆଧୁନିକ ପେଣ୍ଟାଥଲନ ଗ୍ରୁପ ପର୍ଯ୍ୟାୟରେ ସେ ରୌପ୍ୟ ପଦକ ହାସଲ କରିଛନ୍ତି । ପ୍ରତୀକଙ୍କ ଘର ବୌଦ୍ଧ ଜିଲ୍ଲା ସଦରରେ । ସେ ଓଡ଼ିଶାକୁ ଫେରିବା ପରେ ରାଜ୍ୟ କ୍ରୀଡା ବିଭାଗ ପକ୍ଷରୁ ତାଙ୍କୁ 4 ଲକ୍ଷ ଟଙ୍କାର ଅର୍ଥରାଶି ସହ ସମ୍ବର୍ଦ୍ଧନା କରାଯାଇଛି । ଏବେ ସେ ଘର ପହଞ୍ଚିବା ପରେ ପୁଅର ସଫଳତାକୁ ନେଇ ପରିବାରରେ ଖୁସି କହିଲେ ନସରେ । ଆଗକୁ ଆଧୁନିକ ପେଣ୍ଟାଥଲନ ସିଙ୍ଗିଲ୍ସରେ ସ୍ବର୍ଣ୍ଣ ପଦକ ଆଣିବାକୁ ଲକ୍ଷ୍ୟ ରଖିଛନ୍ତି ପ୍ରତୀକ । ଏହି ସଫଳତା ପାଇଁ ପ୍ରତିକଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି ।
ଆଧୁନିକ ପେଣ୍ଟାଥଲନରରେ ଓଡିଶା ଦଳ ଦ୍ୱିତୀୟ ସ୍ଥାନ:
ଉତ୍ତରାଖଣ୍ଡ ରାଜ୍ୟରେ ଜାନୁଆରୀ 28 ତାରିଖ ଠାରୁ ଫେବୃଆରୀ 14 ତାରିଖ ପର୍ଯ୍ୟନ୍ତ 38 ତମ ଜାତୀୟ କ୍ରୀଡାର ଆୟୋଜନ ହୋଇଥିଲା । ଏଥିରେ ଓଡିଶାର ପ୍ରଣବ ଦାସ ଓ ସୂର୍ଯ୍ୟଂଶ ରାୟଗୁରୁଙ୍କ ସମେତ ବୌଦ୍ଧର ପ୍ରତୀକ ଦାସ ଆଧୁନିକ ପେଣ୍ଟାଥଲନରରେ ଅଂଶ ଗ୍ରହଣ କରିଥିଲେ । ଏହି ଇଭେଣ୍ଟରେ ଓଡିଶା ଦଳ ଦ୍ୱିତୀୟ ସ୍ଥାନରେ ରହି ସିଲଭର ମେଡାଲ ହାସଲ କରିଥିଲେ । ଏଭଳି କ୍ରୀଡାରେ ଅନେକ ଥର ଅଂଶ ଗ୍ରହଣ କରି ଜିଲ୍ଲା ଓ ରାଜ୍ୟସ୍ତରରେ ବହୁ ପୁରସ୍କାର ପାଇଛନ୍ତି ବୌଦ୍ଧର ପ୍ରତୀକ ଦାସ ।
ଏହା ମଧ୍ୟ ପଢନ୍ତୁ-୩୮ତମ ନ୍ୟାସନାଲ ଗେମ୍ସ, ଓଡ଼ିଶା ପଦକ ବିଜେତାଙ୍କୁ ସମ୍ମାନିତ - NATIONAL GAMES MEDALISTS
ପ୍ରତୀକଙ୍କ ଲକ୍ଷ୍ୟ ସିଙ୍ଗିଲ୍ସରେ ସ୍ବର୍ଣ୍ଣ:
ନିଜର ସଫଳତା ପାଇଁ ପ୍ରତୀକ ପ୍ରଭୁ ଜଗନ୍ନାଥଙ୍କୁ ସମସ୍ତ ଶ୍ରେୟ ଦେବା ସହିତ ନିଜ କୋଚ, ପିତା ମାତା, କାକା, ସହଯୋଗୀଙ୍କୁ କୃତଜ୍ଞତା ଜଣାଇଛନ୍ତି। ଏହି ଜାତୀୟ କ୍ରୀଡାରେ ପ୍ରତୀକ ସଫଳତା ପାଇବା ପରେ ବୌଦ୍ଧ ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା ତାଙ୍କୁ ସମ୍ମାନିତ କରିଥିବା ବେଳେ ରବିବାର ଦିନ ଭୁବନେଶ୍ୱର ଠାରେ ରାଜ୍ୟ କ୍ରୀଡା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ପ୍ରତୀକଙ୍କ ସମେତ ଅନ୍ୟ କୃତି ଖେଳାଳିଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଆଗାମୀ ଦିନରେ ଆହୁରି ଅଧିକ ପରିଶ୍ରମ କରି ପ୍ରତୀକ ଜାତୀୟ ତଥା ଆନ୍ତର୍ଜାତିକ ବାଇଆଥଲେଟ କ୍ରୀଡାରେ ସୁନାମ ଆଣିବେ ବୋଲି କହିଛନ୍ତି ।
ପଦକ ବିଜେତା ପ୍ରତୀକ କହିଛନ୍ତି , ''ମୋତେ ଖୁସି ଲାଗୁଛି ଟିମ୍ ଇଭେଣ୍ଟରେ ରୌପ୍ୟ ଜିତିଛି । ଆଗାମୀ ଦିନରେ ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ସିଙ୍ଗିଲ୍ସରେ ଗୋଲ୍ଡ ଆଣିବାକୁ ଲକ୍ଷ୍ୟ ଅଛି । ''
ପ୍ରତୀକଙ୍କ ମାଆ କହିଛନ୍ତି, ''ପୁଅର ସଫଳତା ପାଇଁ ଆମେ ଗର୍ବିତ । ଆଗାମୀ ଦିନରେ ସେ ସ୍ବର୍ଣ୍ଣ ଆଣିବ ବୋଲି ଆମର ଆଶା । ''
ପ୍ରତୀକଙ୍କ କୋଚ ରବି ନାରାୟଣ ବେହେରା କହିଛନ୍ତି, ''ଏକ ଗରିବ ପରିବାରରୁ ଯାଇ ଜାତୀୟ ସ୍ତରୀୟ ଇଭେଣ୍ଟରେ ମେଡାଲ ହାସଲ କରିବା ଏକ ଗୌରବର ବିଷୟ । ଆମର ଆଶା ଅନ୍ତର୍ଜାତୀୟ ସ୍ତରରେ ବ୍ୟକ୍ତିଗତରେ ସେ ସ୍ବର୍ଣ୍ଣ ପଦକ ହାସଲ କରିବ । ''
ଆଧୁନିକ ପେଣ୍ଟାଥଲନ ଗେମ୍ସ କଣ?
ଆଧୁନିକ ପେଣ୍ଟାଥଲନ ହେଉଛି ବାଇଆଥଲେଟ କ୍ରୀଡାର ଏକ ଅଂଶ । ଏହି ଇେଭେଣ୍ଟର ଗ୍ରୁପ ପର୍ଯ୍ୟାୟରେ ଖେଳାଳିଙ୍କୁ ଉଭୟ ସନ୍ତରଣ ଓ ଦୌଡ଼ ସାମିଲ ହେବାକୁ ପଡିଥାଏ । ପ୍ରଥମେ ଦୌଡିବାକୁ ପଡିଥାଏ ଦ୍ବିତୀୟରେ ସନ୍ତରଣ କରିବାକୁ ପଡିଥାଏ । ତୃତୀୟରେ ମଧ୍ୟ ଦୌଡ଼ିବାକୁ ପଡିଥାଏ । ଯେଉଁ ଦଳ ଏହି ତିନୋଟିକୁ କମ ସମୟରେ କରିବାରେ ସକ୍ଷମ ହୁଏ ତାଙ୍କୁ ବିଜେତା ଘୋଷଣା କରାଯାଏ ।
ଇଟିଭି ଭାରତ, ବୌଦ୍ଧ