ପାଟନା: ଦେଶରେ ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ସରିଥିବା ବେଳେ ତୀବ୍ର ହେବାରେ ଲାଗିଛି ରାଜନୈତିକ ବୟାନବାଜି । ବିହାରରେ ବିରୋଧୀମାନଙ୍କ ଉପରେ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବିହାରର ମୋତିହାରିରେ ଏକ ଜନସଭାକୁ ସମ୍ବୋଧନ କରି ମୋଦି କହିଛନ୍ତି, "ଚଳିତ ନିର୍ବାଚନର ପଞ୍ଚମ ପର୍ଯ୍ୟାୟରେ ବିରୋଧୀ ଇଣ୍ତିଆ ଗଠବନ୍ଧନ ସମ୍ପୂର୍ଣ୍ଣ ଭାବେ ପରାସ୍ତ ହୋଇସାରିଛି । ଏକବିଂଶ ଶତାବ୍ଦୀର ଭାରତ ଇଣ୍ଡିଆ ମେଣ୍ଟର ପାପର ଭାରକୁ ନେଇ ଆଗକୁ ବଢିପାରିବ ନାହିଁ ଏବଂ ପ୍ରତି ନିର୍ବାଚନରେ ଲୋକମାନେ କଂଗ୍ରେସ ଓ ଆରଜେଡି ଭଳି ପାର୍ଟିଗୁଡିକୁ ଜବାବ ଦେଉଛନ୍ତି । ଜୁନ ୪ରେ ଦୁର୍ନୀତି, ତୁଷ୍ଟୀକରଣ ରାଜନୀତି, ଟୁକୁଡେ ଟୁକୁଡେ ଗ୍ୟାଙ୍ଗ ଉପରେ ଆକ୍ରମଣ ହେବ । "
ଏହା ସହ ମୋଦି କହିଛନ୍ତି, "ଇଣ୍ଡିଆ ଗଠବନ୍ଧନ ସବୁବେଳେ ଦୁର୍ନୀତି, ତୁଷ୍ଟୀକରଣ ରାଜନୀତି ଓ ସନାତନ ଧର୍ମ ବିରୋଧୀ ମନୋଭାବ ସହିତ ଛିଡା ହୋଇଛି । ଯାହା ଫଳରେ ସେମାନେ କଡା ଜବାବ ପାଇବେ । ରାହୁଲ ଗାନ୍ଧୀ, ଅଖିଳେଶ ଯାଦବ, ତେଜସ୍ବୀ ଯାଦବଙ୍କୁ କଟାକ୍ଷ କରି ମୋଦି ସେମାନଙ୍କୁ ରୂପା ଚାମଚ ଧରି ଜନ୍ମିତ ବ୍ୟକ୍ତି ବୋଲି କହିଛନ୍ତି । " ଯେଉଁମାନେ ଜନ୍ବରୁ ସାଙ୍ଗରେ ରୂପା ଚାମଚ ଧରି ଜନ୍ମ ହୋଇଛନ୍ତି, ସେମାନେ କଠୋର ପରିଶ୍ରମ କଣ ଜାଣନ୍ତି ନାହିଁ । ମୁଁ ଶୁଣିବାକୁ ପାଇଛି ଯେ କେହି ଜଣେ କହୁଥିଲେ ଯେ ଜୁନ ୪ ପରେ ମୋଦି ଶେଜରେ ବିଶ୍ରାମ କରିବେ, କିନ୍ତୁ ମୁଁ ଈଶ୍ବରଙ୍କୁ ପ୍ରାର୍ଥନା କରେ ଯେ ଦେଶର କୌଣସି ନାଗରିକଙ୍କୁ କେବେ ଏଭଳି ସ୍ଥିତି ସାମନା କରିବାକୁ ନ ପଡୁ । ଦେଶର ସମସ୍ତ ନାଗରିକ ଉର୍ଜ୍ଜାବାନ ହେବା ଆବଶ୍ୟକ କିନ୍ତୁ ଜଙ୍ଗଲରାଜର ଦାୟଦଙ୍କ ଠାରୁ ଆଉ କଣ ଆଶା କରାଯାଇପାରେ ।"