ନୂଆଦିଲ୍ଲୀ:କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ବଡ଼ ବୟାନ । କହିଲେ ଗୁଜୁରାଟ ବିଧାନସଭା ନିର୍ବାଚନରେ ବିଜେପିକୁ ପରାସ୍ତ କରିବୁ । ଉତ୍ତର ପ୍ରଦେଶ ଅଯୋଧ୍ୟା ପରି ଗୁଜୁରାଟରେ ସମାନ ସ୍ଥିତି ହେବ । ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗୃହ ରାଜ୍ୟ ଗୁଜୁରାଟ ହୋଇଥିବାରୁ ରାହୁଲଙ୍କ ଏହି ବୟାନ ବେଶ ଗୁରୁତ୍ବ ବହନ କରୁଛି । କଂଗ୍ରେସ ନେତୃତ୍ବାଧୀନ ଇଣ୍ଡିଆ ମେଣ୍ଟ ବିଜେପିକୁ ପରାସ୍ତ କରିବ ବୋଲି ରାହୁଲ ଆଜି (ଶନିବାର) ଅହମ୍ମଦାବାଦରେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧନ କରି ଏପରି କହିଛନ୍ତି ।
2024 ଲୋକସଭା ନିର୍ବାଚନରେ ଅଯୋଧ୍ୟାରେ ବିଜେପିକୁ ବଡ଼ ଝଟକା ଲାଗିଥିଲା । ଅଯୋଧ୍ୟା ରାମ ମନ୍ଦିର ନିର୍ମାଣକୁ ମୁଦ୍ଦା କରି ବିଜେପି ନିର୍ବାଚନ ଲଢୁଥିବା ବେଳେ ଅଯୋଧ୍ୟା ରେଜଲ୍ଟ କେବଳ ବିଜେପି କାହିଁକି ସାରା ଦେଶକୁ ଚକିତ କରିଥିଲା । ଯାହାକୁ ବିରୋଧୀ ଦଳ ବଡ଼ ବିଜୟ କହି ଉତ୍ସବ ମନାଇଥିଲା । ତେବେ ଅଯୋଧ୍ୟା ଭଳି ଗୁଜୁରାଟରେ ମଧ୍ୟ ବିଜେପିକୁ ପରାସ୍ତ କରିବାକୁ ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଦୃଢୋକ୍ତି ପ୍ରକାଶ କରିଛନ୍ତି ।
କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧିତ କରି ରାହୁଲ କହିଛନ୍ତି, "ଆମେ ସମସ୍ତେ ମିଳିମିଶି ଗୁଜୁରାଟରେ ବିଜେପିକୁ ପରାସ୍ତ କରିବାକୁ ଯାଉଛନ୍ତି । ଅଯୋଧ୍ୟାରେ ଯେପରି ଆମେ ବିଜେପିକୁ ପରାଜୟର ସ୍ବାଦ ଚଖାଇଥିଲେ ଠିକ ସେହିପରି ଗୁଜୁରାଟରେ ମଧ୍ୟ ଆମେ ବିଜେପି ଓ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ହରାଇବାକୁ ଯାଉଛନ୍ତି ।" ଜାନୁଆରୀରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠାକୁ ମନେ ପକାଇ ରାହୁଲ କହିଛନ୍ତି, "ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବରେ ଜଣେ ହେଲେ ଗରିବ ଶ୍ରେଣୀର ବ୍ୟକ୍ତିଙ୍କୁ ଦେଖିବାକୁ ମିଳିନଥିଲା । ସେଠାରେ କେବଳ ଆଦାନି ଓ ଅମ୍ବାନୀଙ୍କୁ ଦେଖିବାକୁ ମିଳିଥିଲା ।"