ହାଇଦ୍ରାବାଦ: ହରିୟାଣା ହିସାର ବିଧାୟିକା ହେବେ ସାବିତ୍ରୀ ଜିନ୍ଦଲ। ହିସାର ଆସନରୁ ନିର୍ବାଚନ ଜିତି ପ୍ରମୁଖ ଦଳ ବିଜେପି ଓ କଂଗ୍ରେସକୁ ମାତ୍ ଦେଇଛନ୍ତି ସାବିତ୍ରୀ । ପ୍ରତିଦ୍ବନ୍ଦୀ କଂଗ୍ରେସ ପ୍ରାର୍ଥୀ ରାମ ନିୱାସଙ୍କୁ ସାବିତ୍ରୀ ପରାସ୍ତ କରିଛନ୍ତି। ସାବିତ୍ରୀଙ୍କୁ ମିଳିଛି ମୋଟ୍ 49 ହଜାର 231 ଖଣ୍ଡ ଭୋଟ । ସେ ଦେଶର ସବୁଠୁ ଧନୀ ମହିଳା ଭାବେ ବେଶ ଜଣାଶୁଣା ।
ସାବିତ୍ରୀ ଜିନ୍ଦଲ କିଏ?
କୁରୁକ୍ଷେତ୍ରର ଭାରତୀୟ ଜନତା ପାର୍ଟି ସାସଂଦ ନବୀନ ଜିନ୍ଦଲଙ୍କ ମାଆ ହେଉଛନ୍ତି ସାବିତ୍ରୀ ଜିନ୍ଦଲ । ତାଙ୍କୁ ବର୍ତ୍ତମାନ 75ବର୍ଷ ବୟସ ହୋଇଥିବାବେଳେ ଚଳିତ ବର୍ଷ ଦେଶର ସବୁଠୁ ଧନୀ ମହିଳା ଭାବେ ଫୋର୍ବସ ମାଗାଜିନରେ ସ୍ଥାନ ପାଇଛନ୍ତି । ବିଶିଷ୍ଟ ଶିଳ୍ପପତି ତଥା ଜିନ୍ଦଲ ଗ୍ରୁପ ପ୍ରତିଷ୍ଠାତା ଓପି ଜିନ୍ଦଲଙ୍କ ପତ୍ନୀ ହେଉଛନ୍ତି ସାବିତ୍ରୀ । 2005ରେ ଓମ ପ୍ରକାଶ ଜିନ୍ଦଲଙ୍କ ବିୟୋଗ ପରେ ଜିନ୍ଦଲ ଗ୍ରୁପ ସମ୍ଭାଳି ଆସୁଛନ୍ତି ସାବିତ୍ରୀ। ବର୍ତ୍ତମାନ ସେ ଦେଶର ଧନୀ ମହିଳା ତାଲିକାରେ ଶୀର୍ଷରେ ରହିଛନ୍ତି। ତାଙ୍କର ମୋଟ୍ ସମ୍ପତ୍ତି ମୂଲ୍ୟ 34.4ଆରବ ଡଲାର(ପାଖାପାଖି 2.88ଲକ୍ଷ କୋଟି ଟଙ୍କା) ରହିଛି। ଚଳିତ ବର୍ଷ ତାଙ୍କ ସମ୍ପତ୍ତିରେ 9.68ଆରବ ଡଲାର ଅଭିବୃଦ୍ଧି ହୋଇଛି ।
ସାବିତ୍ରୀଙ୍କ ରାଜନୈତିକ କ୍ୟାରିୟର:
ସ୍ବାମୀଙ୍କ ବିୟୋଗ ପରେ ରାଜନୀତିରେ ଏଣ୍ଟ୍ରି କରିଥିଲେ ସାବିତ୍ରୀ। 2005 ନିର୍ବାଚନରେ ହରିୟାଣା ହିସାର ଆସନରୁ କଂଗ୍ରେସ ଟିକେଟରେ ନିର୍ବାଚନ ଲଢି ଜିତିବାରେ ସଫଳ ହୋଇଥିଲେ ସେ। ଏହାପରେ 2013 ପର୍ଯ୍ୟନ୍ତ ଏହି ଆସନ ସେ ଜିତି ଆସୁଥିଲେ। ତେଣୁ ଏହି ହିସାର ଆସନକୁ ଜିନ୍ଦଲ ପରିବାରର ଗଡ଼ ବୋଲି ମଧ୍ୟ କୁହାଯାଏ। ବର୍ତ୍ତମାନ ପୁଣି ଏହି ଆସନ ଜିନ୍ଦଲ ପରିବାର କବଜାକୁ ଆସିଛି।