ହାଇଦ୍ରାବାଦ:ବଦଳୁଛି ଯୁଗ । ଆଉ ତାଳ ଦେଇ ବଦଳୁଛି ଟ୍ରେଣ୍ଡ । କହିବାକୁ ଗଲେ ପ୍ରତି 30ବର୍ଷରେ ଗୋଟିଏ ଗୋଟିଏ ପିଢିର ପରିବର୍ତ୍ତନ ହେଉଛି । ପରିବର୍ତ୍ତନର ସୂତ୍ରଧର ସାଜି ଯିଏ ଏହାକୁ ଆଗକୁ ନିଅନ୍ତି ତାଙ୍କୁ ଇଂରାଜୀରେ ଟ୍ରେଣ୍ଡସେଟର (Trendsetters) ବୋଲି କୁହାଯାଏ । ଏହାର ଉଦାହରଣ ହେଉଛି ତେଲୁଗୁ ଗଣମାଧ୍ୟମ ଜଗତକୁ ଆଲୋକିତ କରିଥିବା 'ଇନାଡୁ'। ସୂଚନା ପ୍ରଦାନ କ୍ଷେତ୍ରରେ ବଡ଼ ଧରଣର ବିପ୍ଳବ ଆଣିଥିଲା ଇନାଡୁ। 4 ହଜାର 500ରୁ ଆରମ୍ଭ ହୋଇଥିବା ବିତରଣ କ୍ରମାଗତ ଭାବେ ବୃଦ୍ଧି ପାଇ 13ଲକ୍ଷରୁ ଊର୍ଦ୍ଧ୍ବ ହେଲାଣି । ଏହା ଏକ ଗର୍ବର ବିଷୟ ଯେ, ତେଲୁଗୁ ଦୈନିକ ଖବରକାଗଜ ଭାବେ ସବୁଠୁ ଅଧିକ ଜନାଦୃତ ହେବାରେ ସୌଭାଗ୍ୟ ଅର୍ଜନ କରିଛି ଇନାଡୁ ।
ଇନାଡୁର ଉତ୍ପତି:
1974 ମସିହା ଅଗଷ୍ଟ 10 ତାରିଖ ଆନ୍ଧ୍ରପ୍ରଦେଶ ବିଶାଖାପାଟନମର ସୀତାମ୍ମାଧାରାରେ ଆରମ୍ଭ ହୋଇଥିଲା ସଂସ୍ଥା। ଇନାଡୁର ଆର୍ବିଭାବ ସହ ଭାସିଆସିଲା ମୁଦ୍ରିତ ସମୟର ଶବ୍ଦ (Printing Sound)। ହେଲେ ଏହି ଶବ୍ଦ କ'ଣ ? କାହିଁକି ଆସୁଛି ତାହା କେହି ହଠାତ୍ ବୁଝିପାରିଲେ ନାହିଁ। ଆଉ ସେହି ଶବ୍ଦ ସହ ଜନ୍ମ ନେଲା ତେଲୁଗୁ ଦୈନିକ ଖବର କାଗଜ 'ଇନାଡୁ'। ବିଭିନ୍ନ ରକମର ଖବର ନେଇ ଲୋକଙ୍କ ପାଖରେ ପହଞ୍ଚିଲା ଇନାଡୁ ଖବରକାଗଜ। ସେଦିନ ଯାତ୍ରା ଆରମ୍ଭ କରିଥିବା ଏହି ଦୈନିକ ଖବର କାଗଜ ଆଜି ତେଲୁଗୁରେ ସବୁଠୁ ଅଧିକ ବିତରଣ ହେଉଥିବା ଖବରକାଗଜ ଭାବେ ସୁନାମ ଅର୍ଜନ କରିଛି । ଅନ୍ଧକାରର ବୁକୁ ଚିରି ପ୍ରତିଦିନ ଖବର ବ୍ରେକ୍ କରି ପାଠକଙ୍କ ପାଖରେ ପହଞ୍ଚୁଥିବା ଇନାଡୁ ଏବେ ସଫଳତାର ଶିଖର ଛୁଇଁବା ସହ ପାଳନ କରୁଛି ସୁବର୍ଣ୍ଣ ଜୟନ୍ତୀ।
50ବର୍ଷ ପୂର୍ତ୍ତି କରି ଅର୍ଦ୍ଧଶତକ ହାସଲ କରିଛି ଇନାଡୁ । "ଏସବୁ ସଫଳତାର ଚେୟାରମ୍ୟାନଙ୍କ ଶୃଙ୍ଖଳାକୁ ଗୁରୁତ୍ବ ଦେବା ଯୋଗୁ ମିଳିପାରିଛି । କାରଣ କମ୍ପାନୀର ସମସ୍ତ କର୍ମଚାରୀଙ୍କ ମଧ୍ୟରେ ଏହି ଶୃଙ୍ଖଳିତ ଆଚରଣ ମୁଁ ଦେଖିବାକୁ ପାଇଛି " ବୋଲି କହିଛନ୍ତି ଇନାଡୁର ମ୍ୟାନେଜିଂ ଡାଇରେକ୍ଟର ସିଏଚ କିରଣ ।
ଶବ୍ଦର ବାଦଶାହ ରାମୋଜୀ ରାଓ:
ଏହି ଖବରକାଗଜ ଆରମ୍ଭ କରିବା ସମ୍ପର୍କରେ ଚେୟାରମ୍ୟାାନଙ୍କର କୌଣସି ଧାରଣା ନଥିଲା। ଏହା ଥିଲା ଏକ ଅପ୍ରତ୍ୟାଶିତ ଯାତ୍ରା। ରାମୋଜୀ ରାଓଙ୍କର ଜଣେ ପରିଚିତ ବ୍ୟକ୍ତି ଥିଲେ, ଯାହାଙ୍କ ନାଁ ଥିଲା ଟି ରାମଚନ୍ଦ୍ର ରାଓ। ସେ ବିଜ୍ଞାପନ କ୍ଷେତ୍ରରେ କାମ କରୁଥିଲେ। ତାଙ୍କୁ ଦେଖିବା ପରେ ରାମୋଜୀ ରାଓଙ୍କର ଏଥିପ୍ରତି ଆଗ୍ରହ ବଢିଥିଲା। ତେଣୁ ବିଜ୍ଞାପନ ସହ ଜଡିତ ଜ୍ଞାନକୌଶଳ ବିଷୟରେ ଜାଣିବାକୁ ଆଗ୍ରହ ପ୍ରକାଶ କରିଥିଲେ ରାମୋଜୀ ରାଓ। ଅଧ୍ୟୟନ ଶେଷ ହେବା ପରେ ରାମୋଜୀ ରାଓ ଜଣେ କଳାକାର ଭାବରେ ଦିଲ୍ଲୀର ଏକ ବିଜ୍ଞାପନ ଏଜେନ୍ସିରେ ଯୋଗ ଦେଲେ । ସେଠାରେ ସେ 3 ବର୍ଷ କାମ କରିବା ପରେ ହାଇଦ୍ରାବାଦ ଫେରିଆସିଥିଲେ। ସେହିଦିନ ଗୋଏଙ୍କାର ଆନ୍ଧ୍ରପ୍ରଭା ତେଲୁଗୁ ଗଣମାଧ୍ୟମରେ ସର୍ବାଧିକ ପ୍ରସାରିତ ହୋଇଥିଲା। ଏହାପରେ ରାମୋଜୀ ଭାବିଥିଲେ ଯେ, କାହିଁକି ଜଣେ ତେଲୁଗୁ ବ୍ୟକ୍ତି ନିଜ ଖବରକାଗଜ କରିପାରିବେ ନାହିଁ?
ଯଦି ଆପଣ ଏକ ପତ୍ରିକାର ଆରମ୍ଭ କରିବାକୁ ଯାଉଛନ୍ତି କେଉଁଠୁ ଆରମ୍ଭ କରିବେ? କେମିତି ଆରମ୍ଭ କରିବେ? ଏ ପ୍ରଶ୍ନ ଆସେ। ସେହି ସମୟରେ ତେଲୁଗୁ ଖବରକାଗଜ ବିଜୟୱାଡାରେ ମୁଦ୍ରଣ ହେଉଥିଲା। ସେଠାରୁ ଅନ୍ୟ ସ୍ଥାନମାନଙ୍କୁ ପଠାଯାଉଥିଲା। ଟ୍ରେନ ସାହାଯ୍ୟରେ ବିଜୟୱାଡାରୁ ବିଶାଖାପାଟନମ ଆସୁଥିଲା ଖବର କାଗଜ। ତେଣୁ ଖବରକାଗଜ ପହଞ୍ଚିବାବେଳକୁ ଅପରାହ୍ନ ହୋଇଯାଉଥିଲା। ଏପରିକି ଉତ୍ତର ଆନ୍ଧ୍ରର ପାଠକଙ୍କ ନିକଟରେ ପହଞ୍ଚିବା ବେଳକୁ ସନ୍ଧ୍ୟା ମଧ୍ୟ ହୋଇଯାଉଥିଲା। ତେଣୁ ବିଶାଖାପାଟନମରେ ଯେଉଁ ସମୟରେ କୌଣସି ମୁଦ୍ରଣ ସଂସ୍ଥା ନଥିଲା ସେହି ସମୟରେ ପ୍ରଥମ ପଦକ୍ଷେପ ନେଲେ ରାମୋଜୀ ରାଓ। ଚୀନର ଯୁଦ୍ଧ ରଣନୀତି 'ନୋ ମ୍ୟାନ ଲ୍ୟାଣ୍ଡ' ବିଷୟରେ ରାମୋଜୀ ରାଓ ସବୁବେଳେ ଉଦାହରଣ ଦେଇଆସୁଥିଲେ।
ଏକ ଦୁଃସାହସିକ ଆରମ୍ଭ:
ବିଶାଖାପାଟନମରେ ଏକ ପତ୍ରିକାର ଆରମ୍ଭ କରିବା ଯେତିକି ଦୁସାଃହସିକ ଥିଲା ସେତିକି ସମ୍ବେଦନଶୀଳ ମଧ୍ୟ ଥିଲା। ସେହି ସମୟରେ ସବୁ ଖବରକାଗଜର ନାଁ 'ଆନ୍ଧ୍ର' ନାଁରେ ନାମିତ ଥିଲା। ଆନ୍ଧ୍ର ପତ୍ରିକା, ଆନ୍ଧ୍ର ପ୍ରଭା, ଆନ୍ଧ୍ରଜନତା ଆନ୍ଧ୍ର ଜ୍ୟୋତି, ଭିସାଲଆନ୍ଧ୍ର ଇତ୍ୟାଦି। ରାମୋଜୀ ରାଓ କାହାକୁ ଅନୁସରଣ କରନ୍ତି ନାହିଁ। ତେଣୁ ସେ କିଛି ଭିନ୍ନ କରିବାରେ ପ୍ରୟାସ କରିଥିଲା। ତେଣୁ ଏହି ଖବର କାଗଜର ନାଁ ରଖିଲେ 'ଇନାଡୁ'। 'ନାଡୁ'ର ଦୁଇ ପ୍ରକାର ଅର୍ଥ ଅଛି ସ୍ଥାନ ଏବଂ ଦିନ। ଇନାଡୁ ଅର୍ଥ ଏହି ସ୍ଥାନ ବା ଏହି ଦିନ। ଏହି ନାଁ ସହିତ ଖବରକାଗଜ ଦିନକୁ ଦିନ କ୍ଷମତା ବିସ୍ତାର କରିବାରେ ଲାଗିଲା।