ଲକ୍ଷ୍ନୌ: ସାଙ୍ଗ ସାଜିଲା ବଇରି । ଝିମିଟି ଖେଳରୁ ହେଲା ମହାଭାରତ । ସାଙ୍ଗ ବାହାଘରକୁ ନଯିବା ପଡ଼ିଲା ଭାରି । କଥାଟି ଶୁଣିବାକୁ ଅଜବ ଲାଗିଲେ ମଧ୍ୟ ସତ । ପିଲାଦିନର ସାଙ୍ଗକୁ ଅଭିଯୁକ୍ତ ନିଜ ବାହାଘରରେ ଯୋଗ ଦେବାପାଇଁ ଡ଼ାକିଥିଲେ । କିନ୍ତୁ ବନ୍ଧୁ ଜଣକ ମନା କରିଦେଇଥିବାରୁ ଅଭିଯୁକ୍ତ ରାଗି ଯାଇଥିଲେ । ବାସ ତାପରେ ଶତ୍ରୁ ସାଜି ସୋସିଆଲ ମିଡ଼ିଆରେ ସେହି ବନ୍ଧୁଙ୍କର ଏକ ଫେକ ଆକାଉଣ୍ଟ କରି ତାଙ୍କୁ ବଦନାମ କରିଥିଲେ । ତେବେ ଘଟଣାଟି ଉତ୍ତରପ୍ରଦେଶର ମେରଟ ଜିଲ୍ଲା ଭବନପୁର ଅଞ୍ଚଳର ।
ଭବନପୁର ପୋଲିସ ଷ୍ଟେସନ ପରିସରର ଏକ କଲୋନୀରେ ରହୁଥିବା ଜଣେ ଝିଅ ପୋଲିସ ଷ୍ଟେସନରେ ଅଭିଯୋଗ କରିଥିଲେ ଯେ, ସେ ଅଗଷ୍ଟ 23ରେ ନିଜ ଗ୍ରାମକୁ ଶିବରାତ୍ରୀ ପାଇଁ ଯାଇଥିଲେ । ସେଠାରେ ତାଙ୍କ ପିଲା ଦିନର ସାଙ୍ଗକୁ ଭେଟିଥିଲେ । ତାଙ୍କ ସାଙ୍ଗ ତାଙ୍କୁ ତାର ବିବାହକୁ ଆସିବାକୁ କହିଥିଲେ । ହ୍ବାଟ୍ସଆପରେ କାର୍ଡ ପଠାଇବାକୁ ମୋବାଇଲ୍ ନମ୍ବର ମାଗିଥିଲେ । ପରେ ତାଙ୍କୁ ବାରମ୍ବାର ଫୋନ କରି ବିବାହକୁ ଆସିବାକୁ କହିଥିଲେ । ସମୟ ମିଳିଲେ ସେ ଯିବେ ବୋଲି ଅଭିଯୁକ୍ତଙ୍କୁ କହିଥିଲେ । ଏହା ଶୁଣି ତାଙ୍କ ବନ୍ଧୁ ରାଗିଗଲେ ଏବଂ ଧମକ ଦେଲେ, "ଯଦି ତୁମେ ମୋ ବିବାହକୁ ନଆସ ତେବେ ଦେଖ ମୁଁ କଣ କରିବି। ’’ ପିଲାଦିନର ବନ୍ଧୁ ହୋଇଥିବାରୁ ସେ ଏହି କଥା ପ୍ରତି ଧ୍ୟାନ ଦେଲେ ନାହିଁ ।