ଜୟପୁର:ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ବୁଲା କୁକୁର ଆତଙ୍କ । ଏକୁଟିଆ କୁନି ପିଲାଙ୍କୁ ଦେଖିଲା ମାତ୍ରେ ମାଡି ଆସୁଛନ୍ତି ଏହି କୁକୁର ଦଳ । ଏପରିକି ଅନେକ ସମୟରେ ବଡ଼ ଲୋକଙ୍କୁ ମଧ୍ୟ ଘେରି ମୃତ୍ୟୁମୁଖକୁ ଠେଲୁଛନ୍ତି । ତେବେ ଘର ବାହାରେ ଶିଶୁକୁ ଖେଳିବାକୁ ଛାଡୁଥିଲେ ପିତାମାତା ସାବଧାନ ହେବା ଉଚିତ । କାରଣ ଘର ବାହାରେ ଖେଳୁଥିବାବେଳେ 4ମାସର ଶିଶୁକୁ ଝୁଣି ତାର ଜୀବନ ନେଇଛନ୍ତି ବୁଲା କୁକୁର ଦଳ । ଏଭଳି ଏକ ଘଟଣା ରାଜସ୍ଥାନ ଉଦୟପୁରରୁ ସାମ୍ନାକୁ ଆସୁଛି ।
ଜଣେ ବରିଷ୍ଠ ପୋଲିସ ଅଧିକାରୀଙ୍କ କହିବାନୁସାରେ, ଶିଶୁକନ୍ୟାଟି ଘର ବାହାରେ ଖେଳୁଥିବା ସମୟରେ କିଛି ବୁଲା କୁକୁର ତାକୁ ଆକ୍ରମଣ କରିଥିଲେ । ଏହାପରେ କାମୁଡି ତାର ଜୀବନ ନେଇଛନ୍ତି । ମୃତ୍ୟୁବରଣ କରିଥିବା ଶିଶୁକନ୍ୟା ଜଣକ ମଧ୍ୟପ୍ରଦେଶ ସାଗର ଅଞ୍ଚଳର ହୋଇଥିବା ବେଳେ ମୁସଲିମ ସମ୍ପ୍ରଦାୟର ପବିତ୍ର ମାସ ରମଜାନ ପାଇଁ ମସ୍ତାନ ବାବା ଦରଗାହକୁ ଆସିଥିଲା । ଏହି ସମୟରେ କୁକୁର ଦଳ ତା' ଉପରେ ଆକ୍ରମଣ କରିଥିଲେ ।
ସେପଟେ ଅମ୍ବାମତା ପୋଲିସ ଷ୍ଟେସନର କନଷ୍ଟେବଳ ରଞ୍ଜିତ ସିଂ କହିଛନ୍ତି ଯେ, ମଧ୍ୟପ୍ରଦେଶ ସାଗର ଅଧିବାସୀ ନଦୀମ ଖାନଙ୍କ ଝିଅ ରେଶମା ପରିବାର ସହିତ ରାଜସ୍ଥାନ ଆସିଥିଲା । ପବିତ୍ର ରମଜାନ ପାଇଁ ନଦୀମ ନିଜ ପରିବାର ସହିତ ଉଦୟପୁରକୁ ଆସି ମସ୍ତାନ ବାବା ଦରଗାହରେ ଆରାଧନା କରିଥିଲେ । ଏଠାରେ ସେ ନିଜ ପରିବାର ସହିତ ରହୁଥିଲେ । ମୃତ ଶିଶୁକନ୍ୟାର ପିତା ନଦୀମଙ୍କ କହିବାନୁସାରେ ରେଶମା ଘର ବାହାରେ ଖେଳୁଥିବା ସମୟରେ ଏଭଳି ଆକ୍ରମଣର ଶିକାର ହୋଇଥିଲା ।