ନୂଆଦିଲ୍ଲୀ: ଆଉ ନାହାନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ । ଆଜି ବିଳମ୍ବିତ ସଂଧ୍ୟାରେ 92 ବର୍ଷ ବୟସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଯାଇଛି । ସଙ୍କଟାପନ୍ନ ଅବସ୍ଥାରେ ତାଙ୍କୁ ଆଜି ସଂଧ୍ୟାରେ ନୂଆଦିଲ୍ଲୀ ସ୍ଥିତ ଏମ୍ସ (AIIMS) ଏମରଜେନ୍ସି ଡିପାର୍ଟମେଣ୍ଟରେ ସେ ଭର୍ତ୍ତି କରାଯାଇଥିଲା । ମନମୋହନଙ୍କ ଦେହାନ୍ତ ନେଇ ‘ଏମ୍ସ’ ପକ୍ଷରୁ ଏକ ପ୍ରେସବାର୍ତ୍ତା ମାଧ୍ୟମରେ ସୂଚନା ଦିଆଯାଇଛି । ସେପଟେ କଂଗ୍ରେସ ପକ୍ଷରୁ ଆସନ୍ତାକାଲି (ଶୁକ୍ରବାର) ପାଇଁ ସମସ୍ତ ଦଳୀୟ କାର୍ଯ୍ୟକ୍ରମ ବାତିଲ ନେଇ ଘୋଷଣା କରାଯାଇଛି । ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନଙ୍କ ବିୟୋଗକୁ ନେଇ ଦେଶରେ ଶୋକର ଛାୟା ଖେଳିଯାଇଛି । କଂଗ୍ରେସ ଓ ତମାମ ଦଳର ବରିଷ୍ଠ ରାଜନେତାମାନେ ଏମ୍ସରେ ପହଞ୍ଚୁଛନ୍ତି ।
- 2004 ରୁ 2014 ପର୍ଯ୍ୟନ୍ତ ଥିଲେ ପ୍ରଧାନମନ୍ତ୍ରୀ
ବିଶିଷ୍ଟ ଅର୍ଥଶାସ୍ତ୍ରୀ ତଥା ଭାରତୀୟ ରାଜନୀତିରେ ଲମ୍ବା ଇନିସିଂ ଖେଳିଥିବା କଂଗ୍ରେସର ଏହି ଭେଟେରାନ ରାଜନେତା 2004 ରୁ 2014 ପର୍ଯ୍ୟନ୍ତ କଂଗ୍ରେସ ନେତୃତ୍ବାଧୀନ ‘ୟୁପିଏ’ ସରକାରରେ ପ୍ରଧାନମନ୍ତ୍ରୀ ଥିଲେ । ଚଳିତବର୍ଷ ଏପ୍ରିଲରେ ସେ ରାଜ୍ୟସଭା ସାଂସଦ ପଦରୁ ଅବସର ନେବା ସହ ବାର୍ଦ୍ଧକ୍ୟଜନିକ କାରଣରୁ ସକ୍ରିୟ ରାଜନୀତିରୁ ମଧ୍ୟ ଅବସର ନେଇଥିଲେ । ୨୦୦୪ରୁ ୨୦୧୪ ପର୍ଯ୍ୟନ୍ତ ଭାରତର ପ୍ରଧାନମନ୍ତ୍ରୀ ଥିଲେ ମନମୋହନ । ଲଗାତାର ୩୩ ବର୍ଷ ରାଜ୍ୟସଭା ସାଂସଦ ରହିଛନ୍ତି । ୧୯୯୧ରେ ପ୍ରଥମ ଥର ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ । ୧୯୯୧ରୁ ୧୯୯୬ରେ ତତ୍କାଳୀନ ନରସିହ୍ମା ରାଓ ସରକାରରେ ସେ ଅର୍ଥମନ୍ତ୍ରୀ ଭାବେ ଗୁରୁଦାୟିତ୍ବ ତୁଲାଇଥିଲେ । ଅର୍ଥ ବ୍ୟବସ୍ଥାରେ ସୁଧାର ଆଣିବାରେ ମନୋମୋହନ ଭୂମିକା ବେଶ ଗୁରୁତ୍ବପୂର୍ଣ୍ଣ ରହିଛି ।
- ଭାରତୀୟ ଅର୍ଥନୀତିର ଉତ୍ଥାନରେ ଅତୁଳନୀୟ ଭୂମିକା ଥିଲା: ପ୍ରଧାନମନ୍ତ୍ରୀ ମୋଦି
ମନମୋହନଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୋକ ବ୍ୟକ୍ତ କରିଛନ୍ତି । ଜଣେ ସାଧାରଣ ପୃଷ୍ଠଭୂମିରୁ ସେ ଜଣେ ଅସାଧାରଣ ଅର୍ଥନୀତିଜ୍ଞ ହୋଇ ପାରିଥିଲେ । ଏକାଧିକ ଗୁରୁତ୍ବପୂର୍ଣ୍ଣ ପଦ-ପଦବୀରେ ରହି ଦେଶର ସେବା କରିଥିଲେ ବୋଲି ମୋଦି ଟ୍ବିଟରେ କହିଛନ୍ତି । ଜଣେ ପ୍ରଧାନମନ୍ତ୍ରୀ ଭାବେ ସେ ଦେଶବାସୀଙ୍କ ଜୀବନ ଶୈଳୀରେ ଉନ୍ନତି ଆଣିବାରେ ଅତୂଳନୀୟ ଅବଦାନ ଛାଡିଯାଇଛନ୍ତି ବୋଲି ମୋଦି ଲେଖିଛନ୍ତି । ସେହିପରି କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ମଧ୍ୟ ମନମୋହନଙ୍କ ଦୀର୍ଘ ରାଜନୈତିକ ଅବଦାନକୁ ସ୍ମରଣ କରି ଟ୍ବିଟ କରିଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମଧ୍ୟ ଟ୍ବିଟ କରି ଶୋକ ବ୍ୟକ୍ତ କରିଛନ୍ତି ।
- ୧୯୩୨ରେ ପଞ୍ଜାବରେ ଜନ୍ମଗ୍ରହଣ