ଓଡିଶା

odisha

ଆଜି ପଦ୍ମ ଧରିବେ ଚମ୍ପାଇ ! ‘ବାଘ’ ବୋଲି କହି ସ୍ବାଗତ କଲେ କେନ୍ଦ୍ରମନ୍ତ୍ରୀ ଜୀତନରାମ ମାଞ୍ଝୀ - Jitan Ram welcome Champai Soren

By ETV Bharat Odisha Team

Published : Aug 19, 2024, 11:21 AM IST

JITAN RAM WELCOME CHAMPAI SOREN : ଗତକାଲି ଲମ୍ବା କ୍ଷୋଭଭରା ଟ୍ବିଟ ପରେ ଆଜି ବିଧିବଦ୍ଧ ପଦ୍ମ ଧରିପାରନ୍ତି ଚମ୍ପାଇ ସୋରେନ । ଚର୍ଚ୍ଚା ବଢାଇଲା କେନ୍ଦ୍ରମନ୍ତ୍ରୀ ଜୀତନରାମ ମାଞ୍ଝୀ ଟ୍ବିଟ । ଅଧିକ ପଢନ୍ତୁ

ଆଜି ପଦ୍ମ ଧରିବେ ଚମ୍ପାଇ: ଚର୍ଚ୍ଚା ବଢାଇଲା ଜୀତନରାମ ମାଞ୍ଝୀଙ୍କ ସ୍ବାଗତ ଟ୍ବିଟ
ଆଜି ପଦ୍ମ ଧରିବେ ଚମ୍ପାଇ: ଚର୍ଚ୍ଚା ବଢାଇଲା ଜୀତନରାମ ମାଞ୍ଝୀଙ୍କ ସ୍ବାଗତ ଟ୍ବିଟ (ETV Bharat Odisha)

ନୂଆଦିଲ୍ଲୀ:ଗତକାଲି ଏକ ଦୀର୍ଘ ଭାବପ୍ରବଣ ଟ୍ବିଟରେ ଅସନ୍ତୋଷ ସହ ଦଳ ‘ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା’ (ଜେଏମଏମ) ପ୍ରତି ନିଜର କ୍ଷୋଭ ବ୍ୟକ୍ତ କରିଥିବା ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ ଆଜି ବିଧିବଦ୍ଧ ବିଜେପିରେ ସାମିଲ ହୋଇପାରନ୍ତି । ଚମ୍ପାଇ ସିଧାସଳଖ ବିଜେପିରେ ସାମିଲ ହେବା ନେଇ ଏପର୍ଯ୍ୟନ୍ତ କୌଣସି ଘୋଷଣା କରିନଥିବା ବେଳେ କେନ୍ଦ୍ରମନ୍ତ୍ରୀ ତଥା ‘ଏନଡିଏ’ ସହଯୋଗୀ ଦଳ ‘ହାମ’ର ନେତା ଜୀତନରାମ ମାଞ୍ଝୀ ତାଙ୍କୁ ଆଗୁଆ ଟ୍ବିଟ କରି ମେଣ୍ଟ ପରିବାରକୁ ସ୍ବାଗତ କରିଛନ୍ତି ।

ଚମ୍ପାଇ 17 ତାରିଖରେ କୋଲକାତା ଗସ୍ତ କରିବା ପରେ ଗତକାଲି ନିଜର 5 ସମର୍ଥିତ ବିଧାୟକଙ୍କ ସହ ଦିଲ୍ଲୀ ଗସ୍ତ କରିଥିଲେ । ଆଜି ମଧ୍ୟ ସେ ଦିଲ୍ଲୀରେ ଅଛନ୍ତି । ତେଣୁ ଆଜି ସେ ନିଜ ସମର୍ଥିତ ଗୋଷ୍ଠୀ ସହ ବିଜେପିରେ ସାମିଲ ହୋଇପାରନ୍ତି । ସ୍ବାଗତ ଟ୍ବିଟରେ ଜୀତନରାମ ଲେଖିଛନ୍ତି,‘‘ ଚମ୍ପାଇ ଦା, ଆପଣ ଜଣେ ବାଘ । ଆପଣ ବାଘ ଥିଲେ, ବାଘ ଅଛନ୍ତି ଆଉ ବାଘ ହୋଇ ରହିଥିବେ ମଧ୍ୟ । ‘ଏନଡିଏ’ ପରିବାରକୁ ଆପଣଙ୍କୁ ସ୍ବାଗତ । ହୁଜାର ଟାଇଗର ।’’

  • ଫେବୃଆରୀରେ ଗିରଫ ହେବା ପରେ ପଦ ଛାଡିଥିଲେ ହେମନ୍ତ:-

ଚଳିତବର୍ଷ ଫେବୃଆରୀରେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ତଥା ‘ଜେଏମଏମ’ର କାର୍ଯ୍ୟକାରୀ ସଭାପତି ହେମନ୍ତ ସୋରେନଙ୍କୁ ଜମି ଘୋଟାଲା ମାମଲାରେ କେନ୍ଦ୍ରୀୟ ସଂସ୍ଥା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିଥିଲା । ଗିରଫ ହେବା ପୂର୍ବରୁ ହେମନ୍ତ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ପରେ ପତ୍ନୀ କଳ୍ପନା ସୋରେନଙ୍କୁ ମୁଖ୍ୟମନ୍ତ୍ରୀ କରିବା ନେଇ ବିଚାର ବିମର୍ଶ ଜାରି ରହିଥିବା ବେଳେ ଶେଷ ମୁହୂର୍ତ୍ତରେ ଚମ୍ପାଇ ସୋରେନଙ୍କ ନାମରେ ବିଧାୟକ ଦଳର ମୋହର ଲାଗିଥିଲା ।

  • ସୋରେନ ପରିବାରର ବେଶ ଘନିଷ୍ଠ ଥିଲେ ଚମ୍ପାଇ

ହେମନ୍ତ ସୋରେନ ଜେଲରେ ଥିବା ବେଳେ ଶିବୁ ସୋରେନ ପରିବାର ବେଶ ଘନିଷ୍ଠ ବୋଲି କୁହାଯାଉଥିବା ଚମ୍ପାଇ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ । ମାତ୍ର ଗତମାସ (ଜୁଲାଇ)ରେ ହେମନ୍ତ ବେଲରେ ଜେଲରୁ ମୁକୁଳିବା ପରେ ଚମ୍ପାଇଙ୍କୁ ହଟାଇ ତୁରନ୍ତ ମୁଖ୍ୟମନ୍ତ୍ରୀ ପଦ ଗ୍ରହଣ କରିଥିଲେ । ଏଥିରେ ଚମ୍ପାଇ ଓ ତାଙ୍କ ସମର୍ଥିତ ଗୋଷ୍ଠୀ ନାରାଜ ଥିବା ନେଇ ଚର୍ଚ୍ଚା ହୋଇଥିଲା । ନିକଟରେ କିଛି ଦିନ ହେବ ଚମ୍ପାଇ ବିଜେପି ସହ ଯୋଗାଯୋଗରେ ଥିବା ଚର୍ଚ୍ଚା ହୋଇଥିଲା । ଏପରିକି ସେ ବିଜେପିର ବରିଷ୍ଠ ନେତା ତଥା କେନ୍ଦ୍ରମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ସହ ସମ୍ପର୍କରେ ଥିବା ଗଣମାଧ୍ୟମରେ ଚର୍ଚ୍ଚା ଲାଗି ରହିଥିଲା ।

  • ଗତକାଲି ଦିଲ୍ଲୀ ଗସ୍ତ ପରେ ଚମ୍ପାଇଙ୍କ ଟ୍ବିଟ ଖୋଲିଥିଲା ପୋଲ:-

17 ତାରିଖରେ ଚମ୍ପାଇ ହଠାତ କୋଲକାତା ଗସ୍ତ କରିଥିଲେ । ସେଠାରେ ସେ ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କ ସହ ସାକ୍ଷାତ କରିଥିବା ମଧ୍ୟ ଚର୍ଚ୍ଚା ହୋଇଥିଲା । ଏହାପରେ ଗତକାଲି ସେ ନିଜର 5 ସମର୍ଥିତ ବିଧାୟକଙ୍କ ସହ ଦିଲ୍ଲୀରେ ପହଞ୍ଚିଥିଲେ । ପୂର୍ବାହ୍ନରେ ଗଣମାଧ୍ୟମରେ ପ୍ରତିକ୍ରିୟା ରଖି ବିଜେପିରେ ମିଶିବା ଚର୍ଚ୍ଚାକୁ ଖଣ୍ଡନ କରିଥିଲେ । ମାତ୍ର ସଂଧ୍ୟାରେ ତାଙ୍କର ଦୀର୍ଘ ଅସନ୍ତୋଷ ଓ କ୍ଷୋଭ ଭରା ଟ୍ବିଟ୍‌ ତାଙ୍କ ରାଜନୈତିକ ନିଷ୍ପତ୍ତିର ସମସ୍ତ ରାଜ ଖୋଲିଦେଇଥିଲା ।

ସେ ବିଜେପିରେ ମିଶିବା ଏକପ୍ରକାର ଅନୌପଚାରିକ ଭାବେ ସ୍ପଷ୍ଟ ହୋଇଯାଇଥିଲା । ଆଜି କେନ୍ଦ୍ର ମନ୍ତ୍ରୀ ଜୀତନରାମ ମାଞ୍ଝୀ ତାଙ୍କୁ ଟ୍ବିଟ କରି ସ୍ବାଗତ କରିବା ପରେ ଚମ୍ପାଇ ଓ ତାଙ୍କ ଗୋଷ୍ଠୀର କିଛି ବିଧାୟକ ବିଜେପିରେ ବିଧିବଦ୍ଧ ଭାବେ ମିଶି ପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଏନେଇ ହେମନ୍ତଙ୍କ କ୍ୟାମ୍ପରୁ କୌଣସି ପ୍ରତିକ୍ରିୟା ସମ୍ନାକୁ ଆସିନି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details