ହାଇଦ୍ରାବାଦ:2024 ଲୋକସଭା ନିର୍ବାଚନର ପଞ୍ଚମ ପର୍ଯ୍ୟାୟ ମତଦାନ । 6ଟି ରାଜ୍ୟ ଓ 2ଟି କେନ୍ଦ୍ର ଶାସିତ ଅଞ୍ଚଳର ମୋଟ 49ଟି ଆସନରେ ଆସନ୍ତାକାଲି (ମେ 20) ପଡ଼ିବ ଭୋଟ । ମୈଦାନରେ ଅଛନ୍ତି 695ଜଣ ଯୋଦ୍ଧା । ମତଦାନର 48ଘଣ୍ଟା ପୂର୍ବରୁ ଅର୍ଥାତ ଶନିବାର ସନ୍ଧ୍ୟା ସୁଦ୍ଧା ସରିଛି ପ୍ରଚାର । କାଲି ଏହି ଆସନରେ ମତଦାନ ସାବ୍ୟସ୍ତ କରି ନିଜ ନେତା ବାଛିବେ ଭୋଟର । ମୈଦାନରେ ବହୁ ହେଭିୱେଟ ପ୍ରାର୍ଥୀ ଅଛନ୍ତି । ଉତ୍ତର ପ୍ରଦେଶ ରାୟବରିଲେରୁ ରାହୁଲ ଗାନ୍ଧୀ ଥିବା ବେଳେ ଆମେଠୀରୁ ଅଛନ୍ତି କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ।
695 ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା:- ପଞ୍ଚମ ପର୍ଯ୍ୟାୟ ମତଦାନରେ ମୈଦାନରେ ମୋଟ 695 ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା କରିବେ ମତଦାତା । ଏମାନଙ୍କ ମଧ୍ୟରୁ 1586 ଜଣ ନାମାଙ୍କନ ଭରିଥିବା ବେଳେ 749ଜଣଙ୍କ ନାମାଙ୍କନ ପତ୍ର ଗ୍ରହଣ କରାଯାଇଥିଲା । ସେପଟେ 837 ପ୍ରାର୍ଥୀଙ୍କ ନାମାଙ୍କନ ପ୍ରତ୍ୟାଖ୍ୟାନ କରାଯାଇଥିବା ବେଳେ 54ଜଣ ନିଜ ନାମାଙ୍କନ ପରବର୍ତ୍ତୀ ସମୟରେ ପ୍ରତ୍ୟାହାର କରିନେଇଥିଲେ । ଫଳରେ ଏବେ ମୈଦାନରେ 149 ରାଜନୈତିକ ଦଳର 695 ପ୍ରାର୍ଥୀ ଅଛନ୍ତି । ମହାରାଷ୍ଟ୍ରର ନାସିକ ସଂସଦୀୟ କ୍ଷେତ୍ରରୁ ସର୍ବାଧିକ 31 ପ୍ରାର୍ଥୀ ଥିବା ବେଳେ ଲଦାଖ ସଂସଦୀୟ କ୍ଷେତ୍ରରେ ସର୍ବନିମ୍ନ 3ଜଣ ପ୍ରାର୍ଥୀ ଅଛନ୍ତି ।
କୋଟିପତି ପ୍ରାର୍ଥୀ:-ଲୋକସଭା ନିର୍ବାଚନର ପଞ୍ଚମ ପର୍ଯ୍ୟାୟରେ 227 ଜଣ କୋଟିପତି ପ୍ରାର୍ଥୀ ଅଛନ୍ତି । ଏହି ତାଲିକାର ଶୀର୍ଷରେ ଅଛନ୍ତି ଝାନ୍ସି ବିଜେପି ପ୍ରାର୍ଥୀ ଅନୁରାଗ ଶର୍ମା । ତାଙ୍କ ମୋଟ ସମ୍ପତ୍ତିର ମୂଲ୍ୟ 212 କୋଟି । ସେହିପରି 116 କୋଟି ସମ୍ପତ୍ତି ସହିତ ଦ୍ବିତୀୟରେ ଅଛନ୍ତି ଭିୱାଣ୍ଡି ସ୍ବାଧୀନ ପ୍ରାର୍ଥୀ ନିଲେଶ ଭଗବାନ ସାମ୍ବରେ, ତୃତୀୟରେ 110 କୋଟି ମୂଲ୍ୟର ସମ୍ପତ୍ତି ସହ ମୁମ୍ବାଇ ନର୍ଥରୁ ବିଜେପି ପ୍ରାର୍ଥୀ ପୀୟୂଷ ଗୋଏଲ, ଚତୁର୍ଥରେ 107 କୋଟି ସମ୍ପତ୍ତି ସହ ଭିୱାଣ୍ଡି ଏନସିପି (ଏସିପି) ସୁରେଶ ଗୋପିନାଥ ମାତ୍ରେ ଓରଫ ବାଲ୍ୟା ମାମା ଏବଂ ପଞ୍ଚମରେ 70କୋଟି ସମ୍ପତ୍ତି ସହ ଛତ୍ରା କଂଗ୍ରେସ ପ୍ରାର୍ଥୀ କ୍ରୀଷ୍ଣା ନନ୍ଦ ତ୍ରିପାଠୀ ।
ଅପରାଧିକ ପୃଷ୍ଠଭୂମି ଥିବା ପ୍ରାର୍ଥୀ:-ଏହି ପର୍ଯ୍ୟାୟରେ 159 ପ୍ରାର୍ଥୀଙ୍କ ନାଁରେ ଅପରାଧିକ ମାମଲା ରହିଛି । ପଶ୍ଚିମବଙ୍ଗ ବାରାକପୁର ବିଜେପି ପ୍ରାର୍ଥୀ ଅର୍ଜୁନ ସିଂଙ୍କ ନାଁରେ 93ଟି ଅପରାଧିକ ମାମଲା ରହିଛି । ସେହିପରି ହୁଗୁଳି ବିଜେପି ପ୍ରାର୍ଥୀ ଲକେଟ ଚାଟାର୍ଜୀଙ୍କ ନାଁରେ 22ଟି ମାମଲା, ବନଗାଓଁ(ଏସସି) ବିଜେପି ପ୍ରାର୍ଥୀ ଶାନ୍ତନୁ ଠାକୁରଙ୍କ ନାଁରେ 23ଟି ମାମଲା, ଓଡ଼ିଶା ସୁନ୍ଦରଗଡ଼ କଂଗ୍ରେସ ପ୍ରାର୍ଥୀ ଜନାର୍ଦ୍ଦନ ଦେହୁରୀଙ୍କ ନାଁରେ 10ଟି ମାମଲା ରହିଛି ।