ରାୟପୁର:ନିର୍ବାଚନୀ ବର୍ଷରେ ଚାଷୀ ଆନ୍ଦୋଳନ ପୁଣି ଜାତୀୟ ରାଜନୀତିକୁ ସରଗରମ କରିବାରେ ଲାଗିଛି । ଆଜି ଲକ୍ଷାଧିକ ସଂଖ୍ୟାରେ ଚାଷୀମାନେ ରାଜଧାନୀ ଦିଲ୍ଲୀ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି । ପଞ୍ଜାବ-ହରିୟାଣା ସୀମାନ୍ତ ଶମ୍ଭୁ ବର୍ଡରରେ ପୋଲିସ ସହ ସେମାନଙ୍କର ଖଣ୍ଡଯୁଦ୍ଧ ଦେଖିବାକୁ ମିଳିଛି । ଏହି ପ୍ରସଙ୍ଗରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ବିଜେପିକୁ ଟାର୍ଗେଟ କରିଛନ୍ତି । ସ୍ବାମୀନାଥନଙ୍କୁ ‘ଭାରତରତ୍ନ’ ପ୍ରଦାନ ନିଷ୍ପତ୍ତି ସହ ସେ ଚାଷୀ ଆନ୍ଦୋଳନ ପ୍ରସଙ୍ଗକୁ ଯୋଡି କେନ୍ଦ୍ରର ବିଜେପି ସରକାରକୁ କଡା ସମାଲୋଚନା କରିଛନ୍ତି । କଂଗ୍ରେସ ନେତୃତ୍ବାଧୀନ ‘ଇଣ୍ଡିଆ’ ମେଣ୍ଟ କ୍ଷମତାକୁ ଆସିଲେ, ସ୍ବାମୀନାଥନ କମିଶନର ସୁପାରିଶ ଅନୁସାରେ, ଏମଏମସପି ଆକ୍ଟ ଲାଗୁ କରାଯିବା ନେଇ ରାହୁଲ ଘୋଷଣା କହିଛନ୍ତି ।
ଆଜି ‘ଭାରତ ଯୋଡୋ ନ୍ୟାୟ ଯାତ୍ରା’ରେ ଛତିଶଗଡ ଅମ୍ବିକାପୁରରେ ଏକ ସାଧାରଣ ସଭାକୁ ରାହୁଲ ସମ୍ବୋଧିତ କରି ଚାଷୀ ଓ ସ୍ବାମୀନାଥନ କମିଶନ ପ୍ରସଙ୍ଗ ଉଠାଇଛନ୍ତି । ରାହୁଲ କହିଛନ୍ତି, " ଚାଷୀମାନେ ଆଜି ଦିଲ୍ଲୀ ଅଭିମୁଖେ ଆସୁଛନ୍ତି । ସେମାନେ କ’ଣ ଚାହାନ୍ତି ? ସେମାନେ କେବଳ ସେମାନଙ୍କ ପରିଶ୍ରମର ମୂଲ୍ୟ ପାଇଁ ଦାବି କରୁଛନ୍ତି । ହେଲେ ସେମାନଙ୍କ କଣ୍ଠରୋଧ କରାଯାଉଛି । ସେମାନଙ୍କୁ ରୋକିବା ପାଇଁ ରାଜରାସ୍ତାରେ କଂକ୍ରିଟ ବାରିକେଡ ଓ ଲୁହାକଣ୍ଟା ପୋତାଯାଉଛି । ସେମାନଙ୍କୁ ଗିରଫ କରି ଜେଲରେ ବନ୍ଦ ରଖାଯାଉଛି ।"
କେନ୍ଦ୍ର ସରକାର ସ୍ବାମୀନାଥନଙ୍କୁ ଭାରତରତ୍ନ ପ୍ରଦାନ କରିବାକୁ ନିଷ୍ପତ୍ତି ନେଲେ, ହେଲେ ସେ ଦେଇଥିବା ରିପୋର୍ଟ ସୁପାରିଶ କରିବା ପାଇଁ ଭୁଲିଗଲେ ବୋଲି କହିଛନ୍ତି ରାହୁଲ । ନିଜ ଅନୁଧ୍ୟାନ ରିପୋର୍ଟରେ ସ୍ବାମୀନାଥନ ସ୍ପଷ୍ଟ କରିଥିଲେ ଯେ, ଚାଷୀମାନେ ଏମଏସପି ଆକ୍ଟ ପାଇବା ସେମାନଙ୍କର ଆଇନଗତ ଅଧିକାର । ହେଲେ ମୋଦି ସରକାର ତାକୁ କାର୍ଯ୍ୟକାରୀ କରିବାକୁ ନାରାଜ । ଯେତେବେଳେ କେନ୍ଦ୍ରରେ ‘ଇଣ୍ଡିଆ’ ମେଣ୍ଟ ସରକାର ଗଠନ କରିବ, ସେତେବେଳେ ଏହି ଏମଏସପି ଆକ୍ଟ କାର୍ଯ୍ୟକାରୀ ହେବ । ସ୍ବାମୀନାଥନ କମିଟିର ସୁପାରିଶ ଅନୁସାରେ, ଚାଷୀଙ୍କ ପାଇଁ ସମସ୍ତ ନିୟମ ପ୍ରଣୟନ ହେବ ବୋଲି ରାହୁଲ କହିଛନ୍ତି ।