କୋଲକାତା:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି (ଶୁକ୍ରବାର) ଝାଡ଼ଖଣ୍ଡ ପରେ ପଶ୍ଚିମବଙ୍ଗ ଗସ୍ତ କରିଛନ୍ତି । ଏହି ଗସ୍ତରେ ମୋଦି ଟିଏମସି ଓ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ ବର୍ଷିଛନ୍ତି । ସନ୍ଦେଶଖାଲି ହିଂସାକାଣ୍ଡ ଯୋଗୁଁ ସାରା ଦେଶ ଦୁଃଖିତ । କେବଳ ବିଜେପିର ଚାପ ଯୋଗୁଁ ବଙ୍ଗ ପୋଲିସ ଅଭିଯୁକ୍ତକୁ ଗିରଫ କରିଛି । ହେଲେ ସନ୍ଦେଶଖାଲିରେ ଘଟିଥିବା ମହିଳା ବିରୋଧୀ ହିଂସାକାଣ୍ଡ ନେଇ ମମତା ସରକାରଙ୍କ ବିରୋଧରେ କଂଗ୍ରେସ କିମ୍ବା ବାମପନ୍ଥୀ ଦଳ ଗୋଟିଏ ବି ପ୍ରଶ୍ନ ଉଠାଇନଥିବା ମୋଦି କହିଛନ୍ତି ।
ଏକ ଜନସଭାକୁ ସମ୍ବୋଧିତ କରି ମୋଦି କହିଛନ୍ତି, "କେବଳ ବିଜେପିର ଚାପ ଯୋଗୁଁ ପଶ୍ଚିମବଙ୍ଗ ପୋଲିସ ସନ୍ଦେଶଖାଲି ହିଂସାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଶେଖ ଶାହାଜାହନକୁ ଗିରଫ କରିଛି । ଏଥିଲାଗି ଆପଣ ମାନେ ଟିଏମସିକୁ କ୍ଷମା କରିବେ କି ? ଆପଣମାନେ ପ୍ରତିଶୋଧ ନେବେ ନା ନାହିଁ ? ସନ୍ଦେଶଖାଲିରେ ଯାହା ଘଟିଲା ଏଥିଲାଗି ବିଶିଷ୍ଟ ସମାଜସେବୀ ରାଜା ରାମ ମୋହନ ରାୟଙ୍କ ଅନ୍ତର ଆତ୍ମା ମଧ୍ୟ ଦୁଃଖିତ । ଏତେ ସବୁ ଘଟିଲା ପରେ ବି କଂଗ୍ରେସ କିମ୍ବା ବାମପନ୍ଥୀ ଦଳ ମମତା ସରକାରକୁ ଆଙ୍ଗୁଳି ନିର୍ଦ୍ଦେଶ କରିନାହାନ୍ତି ।"
ଏହା ବି ପଢନ୍ତୁ- ବିକାଶର ବଡ଼ ଶତ୍ରୁ କଂଗ୍ରେସ ଓ ଇଣ୍ଡିଆ ମେଣ୍ଟ: ପ୍ରଧାନମନ୍ତ୍ରୀ ମୋଦି
ମୋଦି ଆହୁରି କହିଛନ୍ତି, "ଏହା ହେଉଛି ଇଣ୍ଡିଆ ମେଣ୍ଟର ପ୍ରକୃତ ଚେହେରା । ପଶ୍ଚିମବଙ୍ଗରେ ଟିଏମସି ଅପରାଧ ଓ ଦୁର୍ନୀତିର ଏକ ମଡେଲ ଆରମ୍ଭ କରିଛି । ଏପରିକି କେନ୍ଦ୍ରୀୟ ତଦନ୍ତକାରୀ ଏଜେନ୍ସିକୁ ମଧ୍ୟ ଯାଞ୍ଚ ପାଇଁ ଟିଏମସି ରାଜ୍ୟ ଭିତରକୁ ପ୍ରବେଶ କରିବାକୁ ଦେଉନାହିଁ । କେନ୍ଦ୍ରୀୟ ଏଜେନ୍ସି ଯାଞ୍ଚ ବିରୋଧରେ ଟିଏମସି ଧାରଣାରେ ବସୁଛି । କିନ୍ତୁ ମୋଦି କୌଣସି ଧମକ ବା ଆକ୍ରମଣକୁ ଭୟ କରେ ନାହିଁ ।" ରାଜ୍ୟରେ ଟିଏମସି ସରକାର ଥିବାରୁ ବିକାଶ କାର୍ଯ୍ୟ ଅଧପନ୍ତରିଆ ପଡି ରହିଥିବା ମଧ୍ୟ ମୋଦି ଅଭିଯୋଗ କରିଛନ୍ତି ।