ଶ୍ରୀନଗର:ବିଧାନସଭା ନିର୍ବାଚନ ଶେଷ ହେବା ପରେ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲାଙ୍କ ଗୃହଜିଲ୍ଲାରେ ବଡ ଆକ୍ରମଣ ଭିଆଇଛନ୍ତି ଆତଙ୍କବାଦୀ । ଜଣେ ଡାକ୍ତରଙ୍କ ସମେତ ୭ ଜଣଙ୍କୁ ଗୁଳି କରି ହତ୍ୟା କରିଛନ୍ତି ଆତଙ୍କୀ । ମୃତକଙ୍କ ମଧ୍ୟରେ ୬ଜଣ ଅଣସ୍ଥାନୀୟ ଶ୍ରମିକ ରହିଛନ୍ତି । ଶ୍ରମିକମାନେ ବାହାର ରାଜ୍ୟର । ସେମାନେ ନ୍ୟାସନାଲ ହାଇ-ଓ୍ବେ ନିର୍ମାଣ କାର୍ଯ୍ୟରେ ନିୟୋଜିତ ଥିଲେ । ଗତକାଲି (ରବିବାର) ବିଳମ୍ବିତ ସଂଧ୍ୟାରେ ଗାନ୍ଦରବାଲ ଜିଲ୍ଲାରେ ଏହି ଗଣହତ୍ୟାକାଣ୍ଡକୁ ରୂପ ଦେଇଛନ୍ତି ଆତଙ୍କବାଦୀ । ସୂଚନା ପାଇ ସେନା, ପାରା ମିଲିଟାରୀ ଫୋର୍ସ ଓ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ସମଗ୍ର ଏରିଆକୁ କର୍ଡନ କରାଯାଇ ରାତି ତମାମ ସର୍ଚ୍ଚ ଅପରେସନ ଆରମ୍ଭ କରିଛି ମିଳିତ ସୁରକ୍ଷା ବାହିନୀ ।
ନ୍ୟାସନାଲ ହାେଇଓ୍ବେ କାମରେ ନିୟୋଜିତ ଥିଲେ ଶ୍ରମିକ:-
ସୂଚନା ଅନୁସାରେ, ଗଙ୍ଗଗିରି ଏରିଆରେ ଶ୍ରୀନଗର-ଲେହ ଜାତୀୟ ରାଜପଥରେ ଏକ ଟନେଲ ନିର୍ମାଣ ପ୍ରକଳ୍ପରେ ଶତାଧିକ ଶ୍ରମିକ କାମ କରୁଥିଲେ । ଗତକାଲି ବିଳମ୍ବିତ ସଂଧ୍ୟାରେ ସଶସ୍ତ୍ର ଆତଙ୍କବାଦୀମାନେ ଶ୍ରମିକଙ୍କ ଉପରେ ଅତର୍କିତ ଗୁଳିମାଡ କରିଥିଲେ । ଏଥିରେ ଜଣେ ଡାକ୍ତରଙ୍କ ସମେତ ମୋଟ ୭ ଜଣଙ୍କର ମୃତ୍ୟୁ ହୋଇଛି । ମୃତକମାନେ ଡ. ଶାହନାୱାଜ ଫହିମ ନାଜିର, କାଲିମ, ମହମ୍ମଦ ହନିଫ, ଶଶି ଅବ୍ରୋଲ, ଅନିଲ ଶୁକ୍ଳା ଓ ଗୁରୁମିତ ସିଂ ବୋଲି ଜଣାପଡିଛି । ଅନ୍ୟ କିଛି ଆହତ ଶ୍ରମିକ ବର୍ତ୍ତମାନ ଚିକିତ୍ସାଧୀନ ଅଛନ୍ତି । ପୂରା ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଆତଙ୍କବାଦୀଙ୍କୁ ନିପାତ କରିବା ପାଇଁ ଗତକାଲି ରାତିଠାରୁ ଅପରେସନ ଜାରି ରହିଛି ।