ଓଡିଶା

odisha

ETV Bharat / bharat

ବୋଝ ଉପରେ ନଳିତା ବିଡା; ଦିଲ୍ଲୀରେ ପ୍ରବଳ ଗରମ ସାଙ୍ଗକୁ ଉତ୍କଟ ଜଳ ସମସ୍ୟା, ଡହଳବିକଳ ସହରବାସୀ - Delhi Water Crisis - DELHI WATER CRISIS

DELHI WATER CRISIS: ଦିଲ୍ଲୀରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଚିନ୍ତା ବଢାଇଛି ଉତ୍କଳ ପାନୀୟ ଜଳ ସମସ୍ୟା । ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହେଲେ ଦିଲ୍ଲୀ ସରକାର । ଅଧିକ ପଢନ୍ତୁ

DELHI WATER CRISIS
DELHI WATER CRISIS (ETV Bharat Odisha)

By ETV Bharat Odisha Team

Published : May 31, 2024, 7:29 PM IST

ନୂଆଦିଲ୍ଲୀ:ଜାତୀୟ ରାଜଧାନୀ ଦିଲ୍ଲୀରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ । ଦିନ ତାପମାତ୍ରା 45 ଡିଗ୍ରୀ ଉପରେ ରହୁଥିବା ବେଳେ ସାଧାରଣ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ବୋଝ ଉପରେ ନଳିତା ବିଡ଼ା ପରି ଦିଲ୍ଲୀର ଅଧିକାଂଶ ଅଞ୍ଚଳରେ ଉତ୍କଟ ଜଳ ସମସ୍ୟା ଦେଖିବାକୁ ମିଳିଛି । ଭୀଷଣ ଖରାରେ ପାଣି ଟିକିଏ ପାଇଁ ଡହଳବିକଳ ହେଉଛନ୍ତି ସ୍ଥାନୀୟ ଲୋକେ । ଯମୁନା ନଦୀରେ କ୍ରମାଗତ ଭାବେ ଜଳସ୍ତର କମିବା ଲାଗିଥିବା ବେଳେ ଟ୍ୟାଙ୍କର ଉପରେ ନିର୍ଭରଶୀଳ ସହରବାସୀ । ସେପଟେ ଜଳ ସଙ୍କଟ ନେଇ ଦିଲ୍ଲୀ ସରକାର ହରିୟାଣାକୁ ଦାୟୀ କରିଛନ୍ତି ।

ଭୀଷଣ ଖରା ମଧ୍ୟରେ ଚାଣକ୍ୟପୁରୀର ସଞ୍ଜୟ କ୍ୟାମ୍ପ ଅଞ୍ଚଳରେ ଲୋକେ ପାଣି ପାଇଁ ଟ୍ୟାଙ୍କର ଉପରେ ନିର୍ଭରଶୀଳ ହୋଇପଡ଼ିଛନ୍ତି । ଆଜି ପାଣି ଭରିବା ପାଇଁ ଲୋକଙ୍କ ଲମ୍ବା ଲାଇନ ଦେଖିବାକୁ ମିଳିଥିଲା । ଟ୍ୟାଙ୍କର ଆସିବା ମାତ୍ରେ ସ୍ଥାନୀୟ ଲୋକେ ଗରା, ହାଣ୍ଡି, ବାଲ୍ଟି ଧରି ଟ୍ୟାଙ୍କର ପଛରେ ଦୌଡ଼ିଥିଲେ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଏନେଇ ଜଣେ ସ୍ଥାନୀୟ ଲୋକ କହିଛନ୍ତି ଯେ କଲୋନୀରେ ବହୁ ଲୋକ ରହୁଥିବା ବେଳେ ଗୋଟିଏ ପାଣି ଟ୍ୟାଙ୍କର ଆସୁଛି । ଯାହାକି ନିଅଣ୍ଟ ହେଉଛି ବୋଲି ସେ କହିଛନ୍ତି ।

ଏହା ବି ପଢନ୍ତୁ- ବୈଶ୍ବିକ ଜଳ ସଙ୍କଟ ଏକ ଆହ୍ବାନ, ଭବିଷ୍ୟତ ପିଢି ପାଇଁ କେତେ ଜରୁରୀ ଜଳ ପରିଚାଳନା

ସେହିପରି ଗୀତା କଲୋନିର ଜଣେ ମହିଳା କହିଛନ୍ତି, "ଟ୍ୟାଙ୍କର ପ୍ରତିଦିନ ଆସୁଛି, କିନ୍ତୁ ଲୋକଙ୍କୁ ଉପଯୁକ୍ତ ପରିମାଣରେ ପାଣି ମିଳିପାରୁନାହିଁ । କାରଣ ଟ୍ୟାଙ୍କର ପହଞ୍ଚିବା ମାତ୍ରେ ବହୁ ସମୟରୁ ଅପେକ୍ଷା କରିଥିବା ଲୋକେ ଧାଁ ଧପଡ଼ କରୁଛନ୍ତି ଓ ଦେଖୁ ଦେଖୁ ପାଣି ଶେଷ ହୋଇଯାଉଛି । କାହାକୁ ପାଣି ମିଳୁଛି ତ ଆଉ କିଏ ଖାଲି ପାତ୍ର ଧରି ଫେରୁଛି । ସମସ୍ତେ ପ୍ରଥମେ ପାଣି ଭରିବା ଲାଗି ଉଦ୍ୟମ କରୁଛନ୍ତି । ଯାହା ଫଳରେ ବିବାଦ ମଧ୍ୟ ଉପୁଜିଛି ।"

'କମ ପାଣି ଛାଡୁଛି ହରିୟାଣା':ସେପଟେ ଜଳ ମନ୍ତ୍ରୀ ଆତିଶୀଙ୍କ କହିବାନୁସାରେ ହରିୟାଣା କମ ପାଣି ଛାଡୁଛି । ଏଥିପାଇଁ ଉତ୍କଟ ଜଳ ସମସ୍ୟା ଉପୁଜିଛି । ଏ ନେଇ ଆତିଶି Xସାଇଟ୍‌ରେ ପୋଷ୍ଟ କରି କହିଛନ୍ତି, "ହିଟୱେଭ ସମୟରେ ହରିୟାଣା କମ ପାଣି ଛାଡୁଛି । ଏଥିପାଇଁ ଦିଲ୍ଲୀର ସ୍ଥାନେ ସ୍ଥାନେ ପିଇବା ପାଣି ସମସ୍ୟା ଦେଖିବାକୁ ମିଳିଛି । ପାଣି ଯୋଗାଣ ସୁଚାରୁରୂପେ ବଜାୟ ରହିବା ପାଇଁ ରାମଲିଲା ମୈଦାନ ୟୁଜିଆର, ଦିଲ୍ଲୀ ଗେଟ ୟୁଜିଆର, ଝଣ୍ଡେୱାଲା ୟୁଜିଆର ଓ ଆଇପି ଏଷ୍ଟେଟ ଟ୍ୟାଙ୍କର ଫିଲିଂ ଷ୍ଟେସନ ନିରୀକ୍ଷଣ କରାଗଲା । ସମସ୍ତଙ୍କୁ ପାଣି ଯୋଗାଇବା ଲାଗି ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।"

ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ଦିଲ୍ଲୀ ସରକାର:-ଦିଲ୍ଲୀ ସରକାରଙ୍କ ଅଭିଯୋଗ ଅନୁସାରେ ଦିଲ୍ଲୀ ଭାଗ ପାଣି ହରିୟାଣା ଛାଡୁନଥିବାରୁ ଏଭଳି ସମସ୍ୟା ଦେଖିବାକୁ ମିଳିଛି । ଏଣୁ ସହରରେ ଏହି ସମସ୍ୟାର ସମାଧାନ କରିବା ଲାଗି ହରିୟାଣା ସରକାରଙ୍କୁ ନିର୍ଦ୍ଦେଶ ଦେବା ଲାଗି ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି ଦିଲ୍ଲୀ ସରକାର । ଏନେଇ ଜଳ ମନ୍ତ୍ରୀ ଆତିଶୀଙ୍କ ପକ୍ଷରୁ ଏକ ଆବେଦନ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details