ଶ୍ରୀନଗର: ଜମ୍ମୁ-କାଶ୍ମୀରରେ ବଡ ଧରଣର ଅଘଟଣ । ଉତ୍ତର କାଶ୍ମୀରର ବାନ୍ଦିପୁରା ଜିଲ୍ଲାରେ ଘାଟିରୁ ଖସି ସେନା ଗାଡି ଦୁର୍ଘଟଣାଗ୍ରସ୍ତ । ଏଥିରେ 4 ଜଣ ଯବାନଙ୍କର ମୃତ୍ୟୁ ହୋଇଥିବା 1 ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ସେମାନଙ୍କ ଚିକିତ୍ସା ଜାରି ରହିଛି । ଅନ୍ୟପଟେ ଘଟଣାସ୍ଥଳରେ ତଦନ୍ତ ଜାରି ରହିଛି ।
ଘାଟିରୁ ଖସିଲା ସେନା ଗାଡି
ସରକାରୀ ସୁତ୍ର ଅନୁଯାୟୀ, "ଆଜି (ଶନିବାର) ଉତ୍ତର କାଶ୍ମୀରର ବାନ୍ଦିପୁରା ଜିଲ୍ଲାର ଉଲ୍ଲାର ଭିୟୁପଏଣ୍ଟ ନିକଟରେ ସେନା ଗାଡି ଘାଟିରେ ଯାଉଥିବା ସମୟରେ ହଠାତ ଭାରସାମ୍ୟ ହରାଇ ତଳକୁ ଖସି ପଡିଥିଲା । ଗାଡିରେ ଥିବା 4 ଜଣ ସେନାଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ଆହତ ସେନାଙ୍କୁ ତୁରନ୍ତ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।’
4 ଯବାନ ମୃତ, 1 ଗୁରୁତର
ବାନ୍ଦିପୁରା ଜିଲ୍ଲା ହସ୍ପିଟାଲ ସୁପରିଟେଣ୍ଟିଏଣ୍ଟ ଡ. ମଶାରତ ଇକବଲ ଓ୍ବାନିଙ୍କ ସୂଚନା ଅନୁଯାୟୀ, "ଦୁର୍ଘଟଣା ଖବର ପାଇବା ପରେ ଆମେ ତୁରନ୍ତ ଦୁର୍ଘଟଣାସ୍ଥଳକୁ ଆମ୍ବୁଲାନ୍ସ ପଠାଇଥିଲୁ । ଆହତ ସେନାଙ୍କୁ ପ୍ରଥମେ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ସେଠାରୁ ତାଙ୍କୁ ଅଧିକ ଚିକିତ୍ସା ପାଇଁ ଶ୍ରୀନଗର ପଠାଯାଇଛି । ଆହତଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ରହିଛି ।"
ଘଟଣାସ୍ଥଳରେ ପୋଲିସ ତଦନ୍ତ ଜାରି
କେଉଁ କାରଣରୁ ଗାଡି ଘାଟିକୁ ଖସିଲା ତାର କାରଣ ଏବେସୁଦ୍ଧା ଅସ୍ପଷ୍ଟ ରହିଥିବା ବେଳେ ଘଟଣାସ୍ଥଳରେ ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି । ତେବେ ବର୍ତ୍ତମାନ କାଶ୍ମୀରରେ ଶୀତର ପ୍ରବାହ ଜାରିି ରହିଥିବା ବେଳେ ଘନ କୁହୁଡିର ଆସ୍ତରଣ ରହିଛି । ରାଜପଥରେ ଅନେକ ସ୍ଥାନରେ ବରଫ ମଧ୍ୟ ଜମା ହୋଇରହିଥିବାରୁ ରାସ୍ତା ଦୃଶ୍ୟମାନ ହେଉନାହିଁ । ଯେଉଁଥିପାଇଁ ଏହି ଦୁର୍ଘଟଣା ଘଟିଥାଇପାରେ ବୋଲି ଅନୁମାନ କରାଯାଉଛି ।
ଗତମାସରେ ମଧ୍ୟ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ସେନା ଗାଡି
ଅନ୍ୟପଟେ ଗତ ମାସରେ ମଧ୍ୟ ପୁଞ୍ଛ ଜିଲ୍ଲାରେ ଏହିଭଳି ସେନା ଦୁର୍ଘଟଣା ଘଟିଥିଲା । ଯେଉଁଥିରେ 5 ସେନାଙ୍କ ମୃତ୍ୟୁ ହୋଇଥିବା ବେଳେ 5 ଜଣ ଆହତ ହୋଇଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ