ନୂଆଦିଲ୍ଲୀ:ଆସିବ ଦିଲ୍ଲୀ ଜନାଦେଶ । ଆପ ମୁଖ୍ୟ ଅରବିନ୍ଦ କେଜ୍ରିଓ୍ୱାଲ ହାଟ୍ରିକ କରୁଛନ୍ତି ନା ଦୀର୍ଘ ୨୭ ବର୍ଷ ପରେ ସତ୍ତା ଦଖଲ କରିବ ବିଜେପି । ଏକଜିଟ୍ ପୋଲ ସର୍ଭେରେ ଭାରତୀୟ ଜନତା ପାର୍ଟି ଦିଲ୍ଲୀବାସୀଙ୍କ ପ୍ରଥମ ପସନ୍ଦ ଭାବରେ ଉଭା ହୋଇଥିବା ବେଳେ ଏବେ ସମସ୍ତଙ୍କ ନଜର ଭୋଟ ଗଣତି ଏବଂ ଫଳାଫଳ ଉପରେ ରହିଛି ।
ସରିଛି ମତଦାନ । ଫେବୃଆରୀ 8ରେ ଜାତୀୟ ରାଜଧାନୀ ଦିଲ୍ଲୀର ଆସିବ ଜନାଦେଶ । ଏଥର କିଏ ଜିତିବ ଦିଲ୍ଲୀର ଦିଲ୍ ? ଆମ ଆଦମୀ ପାର୍ଟି, ବିଜେପି ନା କଂଗ୍ରେସ କିଏ ପିନ୍ଧିବ ଦିଲ୍ଲୀର ମୁକୁଟ । ସରକାରୀ ତଥ୍ୟ ଅନୁଯାୟୀ, ଦିଲ୍ଲୀରେ ୬୦.୪୨ ପ୍ରତିଶତ ଭୋଟର ନିଜର ମତସାବ୍ୟସ୍ତ କରିଥିବା ବେଳେ ୭୦ ଆସନରେ ୬୯୯ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବାକୁ ଯାଉଛି ।
କଣ କହୁଛି ଏକଜିଟ ପୋଲ୍ ଆକଳନ:
ଅଧିକାଂଶ ଏକଜିଟ ପୋଲ, ବିଜେପି ବହୁମତରେ ଦିଲ୍ଲୀରେ ସରକାର ଗଢିବାକୁ ଯାଉଥିବା ବେଳେ ଆପ ଦ୍ୱିତୀୟରେ ଓ କଂଗ୍ରେସ ତୃତୀୟରେ ରହିବ ବୋଲି ଆକଳନ କରିଛନ୍ତି । ଆଉ କିଛି ଏକଜିଟ ପୋଲ ବିଜେପି ଓ ଆପ ମଧ୍ୟରେ କଡା ମୁକାବିଲା ହେବ ବୋଲି ଆକଳନ କରିଛନ୍ତି । ତେବେ ଏକଜିଟ ପୋଲ ଏକଜାକ୍ଟ ପୋଲ ନୁହେଁ । କିଏ ଦିଲ୍ଲୀରେ ସରକାର ଗଢିବ ଫଳାଫଳ ପ୍ରକାଶ ପାଇବା ପରେ ଜଣାପଡିବ ।
ଦିଲ୍ଲୀ ବିଧାନସଭା ନିର୍ବାଚନରେ ପୁରୁଷଙ୍କ ଠାରୁ ମହିଳା ଭୋଟର ଅଧିକ:
ଦିଲ୍ଲୀ ବିଧାନସଭା ନିର୍ବାଚନରେ ୨୦୨୫ରେ ମୋଟ ଭୋଟଦାନ ପ୍ରତିଶତ ୬୦.୫୪% ଥିବାବେଳେ, ଏଥିରେ ପୁରୁଷଙ୍କ ତୁଳନାରେ ମହିଳା ଭୋଟର ସଂଖ୍ୟା ୦.୭୨% ଅଧିକ ରହିଛି । ନିର୍ବାଚନ କମିଶନଙ୍କ ତଥ୍ୟ ଅନୁଯାୟୀ, ଏଥର ମୋଟ ୧ କୋଟି ୫୬ ଲକ୍ଷ ୧୪ ହଜାର ଭୋଟରଙ୍କ ମଧ୍ୟରୁ ୯୪ ଲକ୍ଷ ୫୧ହଜାର ୯୯୭ ଜଣ ଭୋଟ ଦେଇଛନ୍ତି । ସେଥିମଧ୍ୟରୁ ୫୦ ଲକ୍ଷ ୪୨ ହଜାର ୯୬୬ ପୁରୁଷ ଏବଂ ୪୪ ଲକ୍ଷ ୦୮ହଜାର ୬୨୯ ମହିଳା ଭୋଟର ଅଛନ୍ତି ।
ପୁରୁଷଙ୍କ ତୁଳନାରେ ମହିଳା ଭୋଟର ଅଧିକ:
ପୁରୁଷ ଭୋଟରଙ୍କ ସଂଖ୍ୟା ମହିଳାଙ୍କ ତୁଳନାରେ ଅଧିକ ଥିଲା । ମୋଟ ପୁରୁଷ ଭୋଟରଙ୍କ ସଂଖ୍ୟା ୮୩ଲକ୍ଷ ୭୬ହଜାର ୧୭୩ ଥିବାବେଳେ ସେମାନଙ୍କ ମଧ୍ୟରୁ ଭୋଟ ଦେଇଛନ୍ତି ୫୦ଲକ୍ଷ ୪୨ହଜାର ୯୬୬ । ଏହିପରି ପୁରୁଷଙ୍କ ଭୋଟଦାନ ପ୍ରତିଶତ ଥିଲା ୬୦.୨୦ ପ୍ରତିଶତ । ସେହିଭଳି ମୋଟ ମହିଳା ଭୋଟରଙ୍କ ସଂଖ୍ୟା ୭୨ ଲକ୍ଷ ୩୬ ହଜାର ୫୬୦ ଥିବାବେଳେ ୪୪ ଲକ୍ଷ ୦୮ହଜାର ୬୨୯ ମହିଳା ଭୋଟ ଦେଇଥିଲେ ଏବଂ ସେମାନଙ୍କର ଭୋଟ ପ୍ରତିଶତ ହେଉଛି ୬୦.୯୨% । ଏହାର ଅର୍ଥ ହେଉଛି ମହିଳାମାନେ ପୁରୁଷମାନଙ୍କ ତୁଳନାରେ ୦.୭୨% ଅଧିକ ଭୋଟ ଦେଇଛନ୍ତି ।
ଦିଲ୍ଲୀ ରାଜନୀତିରେ ମହିଳାଙ୍କ ପ୍ରତିଶତ ଏକ ମହତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଡକୁ ଇସାରା କରୁଛି । ଅନେକ ବିଧାନସଭା କ୍ଷେତ୍ରରେ ପୁରୁଷଙ୍କ ଅପେକ୍ଷା ଅଧିକ ମହିଳା ଭୋଟର ମତସାବ୍ୟସ୍ତ କରିଛନ୍ତି ।
ଏହିସବୁ ଆସନରେ ହେଭିଓ୍ବେଟଙ୍କ ମଧ୍ୟରେ କଡା ଟକ୍କର:
ଶାକୁର ବସ୍ତି ନିର୍ବାଚନ ମଣ୍ଡଳୀ: ଦିଲ୍ଲୀର ଶାକୁର ବସ୍ତି ନିର୍ବାଚନ ମଣ୍ଡଳୀରେ ବିଜେପିରୁ ପ୍ରତିନିଧିତ୍ୱ କରୁଥିବା କରନେଲ ସିଂ, ବିଜେପି ଦିଲ୍ଲୀ ମନ୍ଦିର ପ୍ରକୋଷ୍ଠର ମୁଖ୍ୟ ଅଛନ୍ତି । ତାଙ୍କ ବିପକ୍ଷରେ ଆପର ୩ ଥରର ବିଧାୟକ ତଥା ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ସତୈନ୍ଦ୍ର ଜୈନ୍ ମୁକାବିଲା କରୁଛନ୍ତି ।
ପତପରଗଞ୍ଜନିର୍ବାଚନ ମଣ୍ଡଳୀ: ୨୦୨୦ ନିର୍ବାଚନରେ ପତପରଗଞ୍ଜ ଆସନରୁ ଜିତିଥିଲେ ଆପ ନେତା ମନୀଷ ସିସୋଦିଆ । ଯଦିଓ ଚଳିତ ଥର ମନୀଷ ସିସୋଦିଆ ଏହି ନିର୍ବାଚନ ଲଢୁନାହାନ୍ତି କିନ୍ତୁ ଏହି ଚଳିତ ନିର୍ବାଚନରେ ଏହି ଆସନରେ ଅଓ୍ୱାଧ ଓଝା ଆପରୁ ଲଢୁଛନ୍ତି । ସେ ୟୁପିଏସି ପିଲାଙ୍କୁ ପାଠ ପଢାନ୍ତି । ଏହି ଆସନରେ ତାଙ୍କର ଦବଦବା ରହିଛି ।
ଜଙ୍ଗପୁରାରୁ ନିର୍ବାଚନ ମଣ୍ଡଳୀ: ଜଙ୍ଗପୁରା ଆସନରେ ୩ ହେବିଓ୍ୱେଟ ନିର୍ବାଚନ ଲଢିଛନ୍ତି । ଆପ ପ୍ରାର୍ଥୀ ମନିଷ ସିସୋଦିଆ, ବିଜେପି ପ୍ରାର୍ଥୀ ତରବିନ୍ଦର ମରାବାହ ଓ କଂଗ୍ରେସ ପ୍ରାର୍ଥୀ ଫରହାଦ ସୁରୀଙ୍କ ମଧ୍ୟରେ ତ୍ରିମୁଖୀ ମୁକାବିଲା ହୋଇଛି । ଆପ ପ୍ରାର୍ଥୀ ମନିଷ ସିସୋଦିଆ ଜଣେ ସାମ୍ବାଦିକ, ପୂର୍ବତନ ସମାଜ ସେବୀ ସହିତ ୨୦୨୫-୨୦୨୩ ପର୍ଯ୍ୟନ୍ତ ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ଦାୟିତ୍ୱ ସମ୍ଭାଳିଛନ୍ତି । ସେହିଭଲି ସୁରୀ ଦିଲ୍ଲୀର ପୂର୍ବତନ ମେୟର । ବିଜେପି ପ୍ରାର୍ଥୀ ତରବିନ୍ଦର ମରଓ୍ବାହ ୩ଥର ବିଧାୟକ ହୋଇଛନ୍ତି । ୨୦୨୦ ନିର୍ବାଚନରେ ଏହି ସିଟରେ ଆପରୁ ପ୍ରବୀଣ କୁମାର ପାଖାପାଖି ୫୦ ପ୍ରତିଶତ ଭୋଟ ବ୍ୟବଧାନରେ ବିଜୟ ହାସଲ କରିଥିଲେ । ଲଗାତର ୩ ଥର ହେଲା ଏହି ସିଟ ଆପ ନିଜ ହାତରେ ରଖିଆସୁଛି ।
ଦକ୍ଷିଣ-ପୂର୍ବ ଦିଲ୍ଲୀର କାଲିକାଜି ଆସନ: କେଜ୍ରିଓ୍ୱାଲଙ୍କ ଇସ୍ତଫା ପରେ ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳୁଥିବା ଆତିଶୀ ଆପରୁ ଦକ୍ଷିଣ-ପୂର୍ବ ଦିଲ୍ଲୀର କାଲିକାଜି ସିଟରୁ ନିର୍ବାଚନ ଲଢୁଛନ୍ତି । ତାଙ୍କ ପ୍ରତିଦ୍ୱନ୍ଦ୍ବୀ ଭାବେ ବିଜେପିରୁ ଦକ୍ଷିଣ ଦିଲ୍ଲୀର ୨ ଥରର ସାଂସଦ ଓ ୩ ଥର ବିଧାୟକ ହୋଇଥିବା ରମେଶ ବିଧୁଡି ଓ କଂଗ୍ରେସରୁ ଅଖିଳ ଭାରତୀୟ ମହିଳା କଂଗ୍ରେସର ମୁଖ୍ୟ ଅଳକା ଲାମ୍ବା ଛିଡା ହୋଇଛନ୍ତି । ଅଳକା ଲାମ୍ବା ୨୦୧୯ରେ କଂଗ୍ରେସରେ ସାମିଲ ହୋଇଥିଲେ ।
କରୋଲବାଗ ଆସନ:କରୋଲବାଗ ଆସନରେ ଆପରୁ ବୀନେଶ ରବି, ବିଜେପିରୁ ଦୁଶ୍ୟନ୍ତ ଗୌତମ ଓ କଂଗ୍ରେସରୁ ରାହୁଲ ଧନକ ନିର୍ବାଚନ ଲଢୁଛନ୍ତି । ବୀନେଶ ରବି ପୂର୍ବ ୨ଟି ନିର୍ବାଚନରେ ଏକ ଉଲ୍ଲେଖନୀୟ ଭୋଟ ବ୍ୟବଧାନରେ ବିଜେପି ପ୍ରାର୍ଥୀଙ୍କୁ ହରାଇଛନ୍ତି ।
ରୋହିଣି ଆସନ:ରୋହିଣି ଆସନରୁ ବିଜେପି ଓ ଆପର ହେବିଓ୍ୱେଟ ପ୍ରାର୍ଥୀ ହୋଇଛନ୍ତି । ଆପରୁ ପ୍ରଦୀପ ମିତ୍ତଲ ପ୍ରାର୍ଥୀ ହୋଇଛନ୍ତି । ସେ ସମାଜ ସେବୀ ଓ ମ୍ୟୁନିସପାଲ କାଉନସିଲର । ସେହିଭଳି ବିଜେପି ପ୍ରାର୍ଥୀ ବିଜେନ୍ଦର ଗୁପ୍ତା ରୋହିଣି ବିଧାୟକ ସହ ବିଜେପି ଜାତୀୟ କାର୍ଯ୍ୟକାରୀ ସଦସ୍ୟ ଅଛନ୍ତି ।