ଶ୍ରୀନଗର:ପୁଣି ଅଶାନ୍ତ ସୀମା । ଜମ୍ମୁ-କାଶ୍ମୀର ପୁଞ୍ଚ ଜିଲ୍ଲାର ସୁରନକୋଟ ଅଞ୍ଚଳରେ ଆଜି (ଶନିବାର) ସନ୍ଧ୍ୟାରେ ବାୟୁସେନା ଗାଡି ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି । ହଠାତ୍ ଆତଙ୍କବାଦୀମାନେ ସେନା ଗାଡି ଉପରେ ଗୁଳିମାଡ଼ କରିଥିଲେ । ଚଳିତ ବର୍ଷ ବାୟୁସେନା କନଭୟ ଉପରେ ଏହା ବଡ଼ ଧରଣର ଆକ୍ରମଣ ବୋଲି କୁହାଯାଉଛି । ଏଥିରେ ଜଣେ ଯବାନ ଶହୀଦ ହୋଇଯାଇଥିବା ବେଳେ 4 ଜଣ ଆହତ ହୋଇଛନ୍ତି । ପ୍ରଥମେ ସମସ୍ତ 5 ଜଣ ଯବାନଙ୍କୁ ଆହତ ଅବସ୍ଥାରେ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରେ ଆହତମାନଙ୍କୁ ଉଦ୍ଧମପୁରକୁ ଏୟାରଲିଫ୍ଟ କରାଯାଇଥିଲା । ସେଠି ଚିକିତ୍ସାଧୀନ ଅବସ୍ଥାରେ ଜଣେ ଯବାନ ଆଖି ବୁଜିଥିଲେ । ଅନ୍ୟପଟେ ଏହି ଗୁଳିମାଡ଼ ପରେ ଅଞ୍ଚଳରେ ସେନା ଅଧିକାରୀ ଓ ସୁରକ୍ଷାକର୍ମୀଙ୍କ ସର୍ଚ୍ଚ ଅପରେସନ ଜାରି ରହିଥିବା ନେଇ ଜଣେ ସିକ୍ୟୁରିଟି ଫୋର୍ସ ଅଧିକାରୀ ସୂଚନା ଦେଇଛନ୍ତି ।
ମିଳିଥିବା ସୂଚନା ଅନୁସାରେ, ଆତଙ୍କବାଦୀମାନେ ଏକ ଭାରତୀୟ ବାୟୁସେନା ଗାଡି କନଭଏକୁ ଆକ୍ରମଣ କରିଥିଲେ । ହଠାତ ଗୁଳିମାଡ଼ ଆରମ୍ଭ କରିବା ପରେ ସଙ୍ଗେ ସଙ୍ଗେ ଶାହସିତର ନିକଟରେ ଥିବା ଏକ ଏୟାର ବେସ୍ ଭିତରେ ଏହି ଯାନଗୁଡିକ ସୁରକ୍ଷିତ ରଖାଯାଇଛି । ଏହାପରେ ସ୍ଥାନୀୟ ରାଷ୍ଟ୍ରୀୟ ରାଇଫଲ୍ସ ୟୁନିଟ୍ ଆତଙ୍କୀକୁ କର୍ଡନ କରିଥିବା ବେଳେ ସର୍ଚ୍ଚ ଅପରେସନ ଆରମ୍ଭ କରିଛି । 5 ଜଣ ସୁରକ୍ଷାକର୍ମୀ ଆହତ ହୋଇଥିବା ନେଇ ସିକ୍ୟୁରିଟି ଫୋର୍ସ ଅଧିକାରୀଙ୍କ ପକ୍ଷରୁ ସୂଚନା ମିଳିଛି ।
ଏହା ବି ପଢନ୍ତୁ- ଜମ୍ମୁ-କାଶ୍ମୀରରେ ଯବାନଙ୍କ ଭାଇଙ୍କୁ ଗୁଳିକରି ହତ୍ୟା କଲେ ଆତଙ୍କୀ