ନୂଆଦିଲ୍ଲୀ:ଜାତୀୟ ରାଜଧାନୀ ଦିଲ୍ଲୀ ପରି ଜମ୍ମୁ କାଶ୍ମୀରରେ ମଧ୍ୟ ଉପରାଜ୍ୟପାଳ ହେବେ ଅଖଣ୍ଡ କ୍ଷମତାର ଅଧିକାରୀ । ନିର୍ବାଚିତ ପ୍ରାଦେଶିକ ସରକାର ଠାରୁ ଅଧିକ ପ୍ରାଶାସନିକ କ୍ଷମତା ଉପରାଜ୍ୟପାଳଙ୍କ ନିକଟରେ ରହିବ । ଚଳିତବର୍ଷ ଜମ୍ମୁ କାଶ୍ମୀର ବିଧାନସଭା ନିର୍ବାଚନ ହେବା ପୂର୍ବରୁ କେନ୍ଦ୍ର ସରକାର ଆଜି ଜମ୍ମୁ କାଶ୍ମୀର ପୁନର୍ଗଠନ ଆଇନ -2019ରେ ଏହି ସଂଶୋଧନ କରିଛନ୍ତି । ଜାମ୍ମୁ କାଶ୍ମୀର ପୁନର୍ଗଠନ ଅଧିନିୟମ-2019 ର ଧାରା-55 ଅନୁଯାୟୀ ସଂଶୋଧିତ ଅଧିନିୟମକୁ ଗୃହ ମନ୍ତ୍ରଣାଳୟ ଆଜି ସୂଚିତ କରିଛି ।
ସଂସଦରେ ଜମ୍ମୁ କାଶ୍ମୀର ପୁନର୍ଗଠନ ଅଧିନିମୟ ବିଲ 2019 ଅଗଷ୍ଟରେ ପାରିତ ହୋଇଥିଲା । କିନ୍ତୁ ଏପର୍ଯ୍ୟନ୍ତ କାଶ୍ମୀରରେ ବିଧାନସଭା ନିର୍ବାଚନ ହୋଇନାହିଁ । ଏହା ଚଳିତବର୍ଷ ହେବା ନେଇ ସର୍ବାଧିକ ସମ୍ଭାବନା ଥିବା ବେଳେ ଏହା ପୂର୍ବରୁ କେନ୍ଦ୍ର ସରକାର ଏହି ସଂଶୋଧନ କରିଛି । ନିର୍ବାଚନ ପରେ ସରକାର ଗଠନ ହେଲେ, ଲେଫ୍ଟନାଣ୍ଟ ଗଭର୍ଣ୍ଣର (ଉପରାଜ୍ୟପାଳ) ଅଧିକ କ୍ଷମତା ପାଇବେ । ଉପରାଜ୍ୟପାଳଙ୍କ ବିନା ଅନୁମତିରେ ନିର୍ବାଚିତ ସରକାର ପ୍ରଶାସନିକ ଅଧିକାରୀଙ୍କୁ ନିଯୁକ୍ତି କିମ୍ବା ବଦଳି କରିପାରିବେ ନାହିଁ । ଅର୍ଥାତ ପ୍ରଶାସନିକ ଭାବେ ଉପରାଜ୍ୟପାଳ ହିଁ ପ୍ରଦେଶରେ ମୁଖ୍ୟ ହେବେ । ନିର୍ବାଚିତ ସରକାରର ଅଧିକାର ଓ କ୍ଷମତା ପରିସର ସଙ୍କୁଚିତ ହେବ ।
ଜେ.କେ ପୁନର୍ଗଠନ ଅଧିନିୟମ-2019ର ଧାରା 55 ଅନୁଯାୟୀ ସଂଶୋଧିତ ନିୟମର କିଛି ଗୁରୁତ୍ବପୂର୍ଣ୍ଣ ବିନ୍ଦୁ
42-A- ପୋଲିସ, ପବ୍ଲିକ୍ ଅର୍ଡର, ସର୍ବଭାରତୀୟ ସେବା ଏବଂ ଦୁର୍ନୀତି ନିବାରଣ ବ୍ୟୁରୋ (ଏସିବି) ସମ୍ବନ୍ଧରେ ଅର୍ଥ ବିଭାଗର ପୂର୍ବ ସମ୍ମତି ଆବଶ୍ୟକ କରୁଥିବା କୌଣସି ପ୍ରସ୍ତାବକୁ ମୁଖ୍ୟ ସଚିବଙ୍କ ମାଧ୍ୟମରେ ଲେଫ୍ଟନାଣ୍ଟ ଗଭର୍ଣ୍ଣରଙ୍କ ସମ୍ମୁଖରେ ଉପସ୍ଥାପନ କରାଯିବ । ରାଜଭବନର ବିନା ସ୍ବୀକୃତିରେ ଏହାର କାର୍ଯ୍ୟାନ୍ବୟନ ସରକାର କରିପାରିବେ ନାହିଁ ।
42-B- ଅନୁସାରେ, ବିଚାର ପ୍ରକ୍ରିୟାରେ ରାଜ୍ୟ ସରକାରଙ୍କ ପକ୍ଷ ରଖିବା ପାଇଁ ଆଡଭୋକେଟ୍ ଜେନେରାଲ ଏବଂ ଅନ୍ୟ ଆଇନ ଅଧିକାରୀଙ୍କୁ ନିଯୁକ୍ତ କରିବା ପ୍ରସ୍ତାବ ମଧ୍ୟ ଉପରାଜ୍ୟପାଳଙ୍କ ନିକଟରେ ଉପସ୍ଥାପନ ହେବ । ମୁଖ୍ୟ ଶାସନ ସଚିବ ଏହି ପ୍ରସ୍ତାବ ଉପରାଜ୍ୟପାଳଙ୍କ ନିକଟରେ ଉପସ୍ଥାପନ କରିବେ । ରାଜଭବନ ଏହା ଉପରେ ଅନୁମୋଦନ ଦେଲେ ଏହି ପ୍ରକ୍ରିୟା ଆଗକୁ ବଢିବ ।