ଭୁବନେଶ୍ବର:ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜ୍ଜାର ହତ୍ୟାକାଣ୍ଡକୁ ନେଇ ଭାରତ ଓ କାନାଡାର ସମ୍ପର୍କରେ ତିକ୍ତତା ବୃଦ୍ଧି ପାଉଛି । ଏହି ହତ୍ୟାକାଣ୍ଡରେ ବିନା ପ୍ରମାଣରେ ଭାରତକୁ ଦାୟୀ କରିଆସୁଥିବା କାନାଡା ଗତକାଲି 3 ଜଣ ଭାରତୀୟଙ୍କୁ ଗିରଫ କରିଛି । ଏହା ଉପରେ କ୍ରମାଗତ ଭାବେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର କାନାଡାକୁ ସମାଲୋଚନା କରିଛନ୍ତି । ଭାରତ ବାରମ୍ବାର ବାରଣ କରିବା ପରେ ବି ପଞ୍ଜାବରେ ଅପରାଧିକ ମାମଲାରେ ଜଡ଼ିତ ଲୋକଙ୍କୁ କାନାଡା ଭିସା ପ୍ରଦାନ କରୁଛି ବୋଲି ଜୟଶଙ୍କର କହିଛନ୍ତି ।
ନିଜ୍ଜାର ହତ୍ୟାକାଣ୍ଡ ଘଟଣାରେ 3 ଭାରତୀୟଙ୍କୁ ଗିରଫ କରିବା ପରେ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ କହିଛନ୍ତି ଯେ ତାଙ୍କ ଦେଶ ହେଉଛି ଆଇନ ଶାସିତ ଦେଶ । ଯାହାର ସ୍ବାଧୀନ ନ୍ୟାୟିକ ପ୍ରଣାଳୀ ଥିବା ବେଳେ ଏହାର ନାଗରିକଙ୍କୁ ସୁରକ୍ଷା ପ୍ରଦାନ କରିବା ପାଇଁ ମୌଳିକ ପ୍ରତିବଦ୍ଧତା ପ୍ରଦାନ କରେ । କାନାଡ ନାଗରିକ ନିଜ୍ଜାରକୁ ଗତ ବର୍ଷ ଜୁନ 18 ତାରିଖରେ ବ୍ରିଟିଶ କଲମ୍ବିଆ ସୁରେ ସ୍ଥିତ ଏକ ଗୁରୁଦ୍ବାର ବାହାରେ ଗୁଳି କରି ହତ୍ୟା କରାଯାଇଥିଲା । ଏହି ହତ୍ୟାକାଣ୍ଡ ନେଇ ଭାରତୀୟ ଏଜେଣ୍ଟକୁ ଦାୟୀ କରିଥିଲା କାନାଡା ।
ଏନେଇ ଜୟଶଙ୍କର କହିଛନ୍ତି, "ଅପରାଧିକ ମାମଲାରେ ସମ୍ପୃକ୍ତି ଥିବା ଏଭଳି ଲୋକ କେତେକ ଦେଶରେ ନିଜକୁ ରାଜନୈତିକ ସ୍ତରରେ ସଂଗଠିତ କରନ୍ତି । କିଛି ଗଣତାନ୍ତ୍ରିକ ଦେଶ ଗୁଡ଼ିକ ମଧ୍ୟରୁ କିଛି ଦେଶର ରାଜନେତାମାନେ ବିଶ୍ବାସ କରିବାକୁ ଲାଗିଲେ ଯେ ଯଦି ସେମାନେ ଏହି ଲୋକମାନଙ୍କୁ ଅବମାନନା କରନ୍ତି କିମ୍ବା ଏହି ଲୋକମାନଙ୍କ ପ୍ରତି ଦୃଷ୍ଟି ଦିଅନ୍ତି, ତେବେ ତାଙ୍କୁ ରାଜନୈତିକ ସ୍ତରରେ ଫାଇଦା ମିଳିବ । କାରଣ ଏହି ନେତାଙ୍କ ଜରିଆରେ ସେମାନଙ୍କୁ ସାମ୍ପ୍ରଦାୟିକ ଭୋଟ ବ୍ୟାଙ୍କ ମିଳିବ । ଏଭଳି ବିଚାରାଧାରା ରଖୁଥିବା ଦେଶଗୁଡ଼ିକରେ ଉଗ୍ରବାଦୀମାନେ ରାଜନୀତିରେ ନିଜ ପାଇଁ ସ୍ଥାନ ସୃଷ୍ଟି କରିବାକୁ ଚେଷ୍ଟା କରିଛନ୍ତି ।"