ଓଡିଶା

odisha

ନେତାଜୀଙ୍କ ପୂଣ୍ୟତିଥି; ଜାପାନର ଏହି ମନ୍ଦିରରେ ଅଛି ଅବଶେଷ, ଫେରାଇ ଆଣିବାକୁ ମୋଦିଙ୍କୁ ଅପିଲ୍ କଲେ ଅଣନାତି - Bring Netaji remains back to India

By ETV Bharat Odisha Team

Published : Jul 29, 2024, 11:55 AM IST

Bring Netaji's remains back to India: ନେତାଜୀଙ୍କ ଅଣନାତିଙ୍କ ବିଶେଷ ଅନୁରୋଧ । ଜାପାନର ଏକ ମନ୍ଦିରରେ ଅଛି ନେତାଜୀଙ୍କ ଦେହାବଶେଷ । ଚଳିତ ପୂଣ୍ୟ ତିଥି ପୂର୍ବରୁ ଫେରାଇ ଆଣନ୍ତୁ ସରକାର । ପୂର୍ବରୁ ସରକାରଙ୍କୁ ଚିଠି ଲେଖିଥିଲେ ନେତାଜୀଙ୍କ କନ୍ୟା ଅନିତା ବୋଷ । ଅଧିକ ପଢନ୍ତୁ

ଏହି ଦେଶରେ ଅଛି ନେତାଜୀଙ୍କ ଅବଶେଷ, ଫେରାଇ ଆଣିବାକୁ ସରକାରଙ୍କୁ ଅନୁରୋଧ କଲେ ଅଣନାତି
ଏହି ଦେଶରେ ଅଛି ନେତାଜୀଙ୍କ ଅବଶେଷ, ଫେରାଇ ଆଣିବାକୁ ସରକାରଙ୍କୁ ଅନୁରୋଧ କଲେ ଅଣନାତି (ETV Bharat Odisha)

କୋଲକାତା: ଜାପାନର ଏକ ମନ୍ଦିରରେ ଏବେବି ସୁରକ୍ଷିତ ରହିଛି ଅଦ୍ବିତୀୟ ଭାରତୀୟ ସ୍ବାଧୀନତା ସଂଗ୍ରାମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କର ଦେହାବଶେଷ । ନେତାଜୀଙ୍କ ଅନ୍ତର୍ଧ୍ୟାନ ଓ ମୃତ୍ୟୁ ସମ୍ପର୍କରେ ସଠିକ ସରକାରୀ ତଥ୍ୟ ନଥିବା ବେଳେ ଏହି ସୂଚନା ପ୍ରକାଶ କରିଛନ୍ତି ତାଙ୍କ ଅଣନାତି ଚନ୍ଦ୍ର କୁମାର ବୋଷ । ଅଗଷ୍ଟ ମାସରେ ହେବାକୁ ଥିବା ନେତାଜୀଙ୍କ ଚଳିତ ପୂଣ୍ୟତିଥି ପୂର୍ବରୁ କେନ୍ଦ୍ର ସରକାର ଏହି ଅବଶେଷ ଭାରତ ଫେରାଇ ଆଣନ୍ତୁ ବୋଲି ମଧ୍ୟ ସେ ନିବେଦନ କରିଛନ୍ତି ।

ନେତାଜୀ ସୁଭାଷ ଚନ୍ଦ୍ର ବୋଷ (ETV Bharat Odisha)

ଫେରାଇ ଆଣିବାକୁ ନେତାଜୀଙ୍କ ଅଣନାତିଙ୍କ ନିବେଦନ:-

ଜାତୀୟ ଖବର ସରବରାହ ସଂସ୍ଥା ‘ଏଏନଆଇ’କୁ ପ୍ରତିକ୍ରିୟା ଦେଇ ଚନ୍ଦ୍ର କହିଛନ୍ତି, ‘‘ଭାରତର ସ୍ବାଧୀନତା ପାଇଁ ଅଦମ୍ୟ ସାହସ ଦେଖାଇଥିବା ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କର 1945 ମସିହା ଅଗଷ୍ଟ 18 ତାରିଖରେ ଦେହାନ୍ତ ହୋଇଥିଲା । ତାଙ୍କ ଦେହାବଶେଷ ଜାପାନର ରେଣକୋଜି ମନ୍ଦିରରେ ରଖାଯାଇଛି । ନେତାଜୀ ବିଦେଶରେ ରହି ସ୍ବାଧୀନତା ସଂଗ୍ରାମ ଲଢୁଥିଲେ, ସ୍ବାଧୀନ ଭାରତକୁ ଫେରିବାକୁ ସ୍ବପ୍ନ ଦେଖୁଥିଲେ । ତେଣୁ ତାଙ୍କ ମୃତଦେହକୁ ସ୍ବଦେଇ ଫେରେଇ ଆଣିବା ଭାରତ ସରକାର କର୍ତ୍ତବ୍ୟ ।’’

ଆଜାଦ ହୀନ୍ଦ ଫୌଜର ଅଭିବାଦନ ଗ୍ରହଣ କରୁଛନ୍ତି ନେତାଜୀ (ETV Bharat Odisha)

ସରକାରଙ୍କୁ ଚିଠି ଲେଖିଥିଲେ ଏକମାତ୍ର କନ୍ୟା ଅନିତା ବୋଷ :-

ନେତାଜୀଙ୍କ ନାତି କହିଛନ୍ତି,"ନେତାଜୀଙ୍କ ଏକମାତ୍ର କନ୍ୟା ଅନୀତା ବୋଷ ସରକାରଙ୍କୁ ଏସମ୍ପର୍କରେ ଚିଠି ଲେଖିଥିଲେ । ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କୁ ଶ୍ରଦ୍ଧାଞ୍ଜଳି ଓ ସମ୍ମାନ ଦେବାର ସମୟ ଆସିଛି । ତାଙ୍କର ମୃତଦେହ ଭାରତକୁ ଫେରାଇ ଆଣିବା ଓ ହିନ୍ଦୁ ରୀତିନୀତି ଅନୁସାରେ ତାଙ୍କର ଶେଷ ରୀତିନୀତି କରିବାକୁ ସେ ଇଚ୍ଛୁକ ଥିବା ଚିଠିରେ ଉଲ୍ଲେଖ କରିଥିଲେ । ନେତାଜୀଙ୍କ ଦେହାବଶେଷ ଜାପାନରେ ଥିବା ସେ ନିଶ୍ଚିତ ହୋଇଥିବା ମଧ୍ୟ ସରକାରଙ୍କୁ ଜଣାଇଥିଲେ । ନେତାଜୀଙ୍କ ମୃତ୍ୟୁ ସମ୍ପର୍କିତ ବିଭିନ୍ନ ଫାଇଲ୍‌ ସେ ଏକାଠୀ କରିଥିଲେ । ମୋଟ 11ଟି ଅନୁସନ୍ଧାନ ରିପୋର୍ଟ ମଧ୍ୟରୁ 10ଟିରେ ଉଲ୍ଲେଖ ଥିବା ତଥ୍ୟ ଅନୁସାରେ, 1945 ମସିହା ଅଗଷ୍ଟ 18 ତାରିଖରେ ନେତାଜୀଙ୍କ ମୃତ୍ୟୁ ଘଟିଛି ଏବଂ ତାଙ୍କ ମୃତଦେହ ଜାପାନର ରେନକୋଜି ମନ୍ଦିରରେ ରଖାଯାଇଥିବା ଜଣାପଡିଛି । ଗୋଟିଏ ମାତ୍ର ରିପୋର୍ଟରେ ନେତାଜୀଙ୍କ ମୃତ୍ୟୁ ସମ୍ପର୍କରେ କୌଣସି ନିର୍ଦ୍ଦିଷ୍ଟ ସମୟ ଉଲ୍ଲେଖ କରାଯାଇନଥିଲା । ତିନିବର୍ଷ ତଳେ ମୋର ବଡଭାଇ ଜାପାନ ଗସ୍ତ କରି ଉକ୍ତ ମନ୍ଦିରର ମୁଖ୍ୟ ପୂଜକଙ୍କ ସହ ମଧ୍ୟ ଆଲୋଚନା କରିଥିଲେ । ସେ ମଧ୍ୟ ନେତାଜୀଙ୍କ ସମ୍ପର୍କରେ କହିଥିଲେ । ତେଣୁ ନେତାଜୀଙ୍କ ଦେହାବଶେଷ ଭାରତକୁ ଫେରାଇବା ଆଣିବା ନିହାତି ଆବଶ୍ୟକ । କେନ୍ଦ୍ର ସରକାର ଏଦିଗରେ ପଦକ୍ଷେପ ଗ୍ରହଣ କରନ୍ତୁ । ’’

କଂଗ୍ରେସ ବୈଠକରେ ଗାନ୍ଧିଜୀଙ୍କ ସହ ନେତାଜୀ (ETV Bharat Odisha)

ଓଡିଶାରେ ଜନ୍ମ ଗ୍ରହଣ କରିଥିଲେ ନେତାଜୀ:-

1897 ମସିହା ଜାନୁଆରୀ 23 ତାରିଖରେ କଟକରେ ଏକ ବଙ୍ଗୀୟ ପରିବାରରେ ଜନ୍ମଗ୍ରହଣ କରିଥିଲେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ । ବ୍ରିଟିଶ ଇଣ୍ଡିଆରେ ସେ ଭାରତୀୟ ସିଭିଲ ସେବା (ଆଇସିଏସ) ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ । ହେଲେ ପରବର୍ତ୍ତୀ ସମୟରେ ଭାରତୀୟ ଜାତୀୟ କଂଗ୍ରେସରେ ଯୋଗ ଦେବା ସହ ଭାରତୀୟ ସ୍ବାଧୀନତା ଆନ୍ଦୋଳନରେ ସାମିଲ ହୋଇଥିଲେ । ଚରମପନ୍ଥୀ ଓ କ୍ରାନ୍ତିକାରୀ ବିଚାରଧାରାରେ ବିଶ୍ବାସ ରଖୁଥିବା ନେତାଜୀଙ୍କୁ ପରବର୍ତ୍ତୀ ସମୟରେ କଂଗ୍ରେସ ଅଧ୍ୟକ୍ଷ ପଦ ଛାଡିବାକୁ ପଡିଥିଲା । ସେ ଭାରତ ବାହାରେ ବ୍ରିଟିଶ ବିରୋଧୀ ଶକ୍ତିଙ୍କ ସହଯୋଗରେ ବିଦେଶରେ ବନ୍ଦୀ ଥିବା ଭାରତୀୟ ସୈନ୍ୟଙ୍କୁ ନେଇ ପ୍ରତିଷ୍ଠା କରିଥିଲେ ‘ଆଜାଦ ହୀନ୍ଦ ଫୌଜ’ ।

ଦିଲ୍ଲୀରେ ନେତାଜୀଙ୍କ ବିଶାଳ ପ୍ରତିମୂର୍ତ୍ତି (ETV Bharat Odisha)

ହେଲେ 1945 ରେ ଦ୍ବିତୀୟ ବିଶ୍ବଯୁଦ୍ଧ ଶେଷ ହେବା ବେଳକୁ ସେ ନିରୁର୍ଦ୍ଦିଷ୍ଟ ହୋଇଯାଇଥିଲେ । ତାଙ୍କ ସମ୍ପର୍କରେ କୌଣସି ପତ୍ତା ମିଳିନଥିଲା । ଅଧିକାଂଶ ଏହାକୁ ବିମାନ ଦୁର୍ଘଟଣା ବୋଲି କହୁଥିବା ବେଳେ ସରକାରୀ ଭାବେ ଏହା ଏବେ ମଧ୍ୟ ସ୍ପଷ୍ଟ ହୋଇନି । ଭାରତ ସରକାର ନେତାଜୀଙ୍କ ଜନ୍ମ ଜୟନ୍ତୀକୁ ‘ପରାକ୍ରମ ଦିବସ’ ଭାବେ ଘୋଷଣା କରିଛନ୍ତି । ତଥାପି ମୃତ୍ୟୁ ସମ୍ପର୍କିତ କୌଣସି ନିର୍ଦ୍ଦିଷ୍ଟ ତଥ୍ଯ ନଥିବାରୁ ନେତାଜୀଙ୍କ ଶୀର୍ଷ ସ୍ବାଧୀନତା ସଂଗ୍ରାମୀଙ୍କୁ ‘ଭାରତରତ୍ନ’ ପ୍ରଦାନ କରାଯାଇପାରିନି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details